ଏନଏସଇରେ ପଞ୍ଜୀକୃତ ନିବେଶକଙ୍କ ସଂଖ୍ୟା ୧୨ କୋଟିରେ ପହଂଚିଲା
ଭୁବନେଶ୍ୱର : ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ)ରେ ସ୍ୱତନ୍ତ୍ର ପଞ୍ଜୀକୃତ ନିବେଶକଙ୍କ ସଂଖ୍ୟା ସେପ୍ଟେମ୍ବର ୨୩ ତାରିଖରେ ୧୨ କୋଟି ଅତିକ୍ରମ କରିଛି। ଏଥିସହିତ ସେପ୍ଟେମ୍ବର ୨୩, ୨୦୨୫ ସୁଦ୍ଧା ଏନଏସଇରେ ପଞ୍ଜୀକୃତ ଥିବା ମୋଟ ନିବେଶ ଆକାଉଂଟ ସଂଖ୍ୟା ୨୩.୫ କୋଟି ରହିଛି, ଯାହା ଗତ ଜୁଲାଇ ୨୦୨୫ରେ ୨୩ କୋଟି ଅତିକ୍ରମ କରିଥିଲା। ନିବେଶକ ସଂଖ୍ୟାରେ ଏହି ଢାଂଚାଗତ ବିସ୍ତାର ସମୟକ୍ରମେ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଅଧିନରେ ଡିଜିଟାଇଜେସନ, ଉନ୍ନତ ଫିନଟେକ ଉପଲବ୍ଧତା, ମଧ୍ୟବିତ ଶ୍ରେଣୀଙ୍କ ସଂଖ୍ୟା ବୃଦ୍ଧି ଓ ସମର୍ଥିତ ନୀତିଗତ ପଦକ୍ଷେପଗୁଡିକ ଯୋଗୁଁ ଭାରତରେ ନିବେଶକ ଯୋଗଦାନ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି। ଚଳିତ ଆର୍ଥିକ ବର୍ଷରେ ସେପ୍ଟେମ୍ବର ୨୩, ୨୦୨୫ ସୁଦ୍ଧା ନିଫ୍ଟି ୫୦ ଇଣ୍ଡେକ୍ସ ୭.୦%ର ରିଟର୍ଣ୍ଣ ସୃଷ୍ଟି କରିଥିବା ବେଳେ ନିଫ୍ଟି ୫୦୦ ଇଣ୍ଡେକ୍ସ ୯.୩% ରିଟର୍ଣ୍ଣ ପ୍ରଦାନ କରିଛି। ସେହିପରି ସେପ୍ଟେମ୍ବର ୨୩ରେ ଶେଷ ହୋଇଥବା ଗତ ୫ ବର୍ଷର ବାର୍ଷିକ ରିଟର୍ଣ୍ଣ ନିଫ୍ଟି ୫୦ ଓ ନିଫ୍ଟି ୫୦୦ ପାଇଁ ଯଥାକ୍ରମେ ୧୭.୭% ଓ ୨୦.୫% ରହିଛି।
ଏସମ୍ପର୍କରେ ଏନଏସଇର ଚିଫ୍ ବିଜ୍ନେସ୍ ଡେଭ୍ଲପମେଂଟ ଅଫିସର ଶ୍ରୀରାମ କ୍ରିଷ୍ଣନ କହିଛନ୍ତି, “ଚଳିତ ବର୍ଷ ଆମେ ନିବେଶକ ଆଧାର କ୍ଷେତ୍ରରେ ଆଉ ଏକ ମାଇଲଖୁଂଟ ଅତିକ୍ରମ କରିଛୁ। ଜାନୁଆରୀରେ ୧୧ କୋଟି ସଂଖ୍ୟା ଅତିକ୍ରମ କରିବା ପରେ ଏହା ପ୍ରଶଂସାଯୋଗ୍ୟ ଯେ, ଅନିଶ୍ଚିତତା ମଧ୍ୟରେ ଏନଏସଇରେ ସାମିଲ ହୋଇଥିବା ନିବେଶକଙ୍କ ସଂଖ୍ୟା ମାତ୍ର ୮ ମାସରେ ୧ କୋଟି ବୃଦ୍ଧି ପାଇଛି। ଏହି ସ୍ଥିର ଅଭିବୃଦ୍ଧି ଶୃଙ୍ଖଳିତ କେୱାଇସି ପ୍ରକ୍ରିୟା, ଉନ୍ନତ ଆର୍ଥିକ ସାକ୍ଷରତା ଓ ସ୍ଥାୟୀ ସକାରାତ୍ମକ ବଜାର ଭାବନା ଯୋଗୁଁ ସମ୍ଭବ ହୋଇପାରିଛି। ଇକ୍ୱିଟି, ଇଟିଏଫ, ଆରଇଆଇଟି, ଆଇଏନଭିଆଇଟି, ସରକାରୀ ବଣ୍ଡ ଓ କର୍ପୋରେଟ ବଣ୍ଡ ସମେତ ଏକ୍ସଚେଞ୍ଜ-ଟ୍ରେଡେଡ ଇନ୍ଷ୍ଟ୍ରୁମେଂଟରେ ବର୍ଦ୍ଧିତ ଅଂଶଗ୍ରହଣ ଏହି କାରକଗୁଡ଼ିକ ପ୍ରତି ଦୃଷ୍ଟି ଆକର୍ଷଣ କରୁଛି।”
ଏହାଛଡା ଏନଏସଇ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜି ଏହି ୫ ବର୍ଷ ଅବଧିରେ ବାର୍ଷିକ ହାରରେ ୨୫.୧% ବୃଦ୍ଧି ହୋଇ ୪୬୦ ଲକ୍ଷ କୋଟି ଟଙ୍କା ରହିଛି। ଉଲ୍ଲେଖଯୋଗ୍ୟ ଯେ, ମ୍ୟୁଚୁଆଲ ଫଣ୍ଡ ମାଧ୍ୟମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସ୍ୱାଧୀନ ନିବେଶକମାନେ ଜୁନ ୩୦, ୨୦୨୫ ସୁଦ୍ଧା ବଜାର (ଏନଏସଇ ତାଲିକାଭୁକ୍ତ କମ୍ପାନୀ)ର ୧୮.୫%ର ମାଲିକ ଅଟନ୍ତି। ଆଜି ଏନଏସଇର ପ୍ରତି ୪ ଜଣ ନିବେଶକଙ୍କ ମଧ୍ୟରୁ ଜଣେ ମହିଳା। ଏହାବ୍ୟତୀତ ନିକଟ ବର୍ଷଗୁଡିକରେ ଆର୍ଥିକ ବଜାର ଓ ଷ୍ଟକ ମାଲିକାନା କ୍ଷେତ୍ରରେ ଭାରତର ଯୁବପିଢୀଙ୍କ ଆଗ୍ରହ ବୃଦ୍ଧି ପାଇଥିବା ଆମେ ଦେଖିବାକୁ ପାଇଛୁ ଯାହା ପୁଞ୍ଜି ବଜାରରେ ନିବେଶକଙ୍କ ବଢୁଥିବା ବିଶ୍ୱାସକୁ ପ୍ରତିଫଳନ କରୁଛି। ଆଜି ଭାରତରେ ୧୨ କୋଟି ପଞ୍ଜୀକୃତ ନିବେଶକଙ୍କର ମଧ୍ୟବର୍ତୀ ବୟସ ୩୩ ବର୍ଷ ଅଟେ ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୪୦% ନିବେଶକଙ୍କ ବୟସ ୩୦ ବର୍ଷରୁ କମ୍ ଅଟେ। ଚଳିତ ଆର୍ଥିକ ବର୍ଷରେ ପରୋକ୍ଷ ଅଂଶଗ୍ରହଣ ମଧ୍ୟ ଦ୍ରୁତ ବେଗରେ ବୃଦ୍ଧି ପାଇଛି ଏବଂ ଏହା ଏପ୍ରିଲ ୨୦୨୫ରୁ ଅଗଷ୍ଟ ୨୦୨୫ ମଧ୍ୟରେ ଖୋଲାଯାଇଥିବା ପ୍ରାୟ ୨.୯ କୋଟି ନୂଆ ଏସଆଇପି ଆକାଉଂଟରୁ ପ୍ରମାଣିତ ହେଉଛି ।
Comments are closed.