ସୋଆ ବିଶ୍ୱବିଦ୍ୟାଳୟରେ ର‌୍ୟାଗିଂ ବିରୋଧୀ ସପ୍ତାହ ପାଳିତ

Share It

ଭୁବନେଶ୍ୱର, ଅଗଷ୍ଟ ୨୧: ନିକଟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟରେ ର‌୍ୟାଗିଂ ବିରୋଧୀ ସପ୍ତାହ ପାଳନ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ପରିଚାଳିତ ସମସ୍ତ ଶିକ୍ଷାନୁଷ୍ଠାନ ତଥା ବିଶ୍ୱବିଦ୍ୟାଳୟ ସ୍ତରରେ ଅଗଷ୍ଟ ୧୨ ରୁ ୧୮ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରାଯାଇଥିଲା ।

ଏହି ଉପଲକ୍ଷେ ଏକ ର‌୍ୟାଗିଂ ମୁକ୍ତ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ନିମନ୍ତେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।

ଅଗଷ୍ଟ ୧୨ରେ ବିଶ୍ୱବିଦ୍ୟାଳୟରେ ର‌୍ୟାଗିଂ ବିରୋଧୀ ଦିବସ ପାଳିତ ହୋଇଥିଲା । ଏଥିରେ ଶପଥ ଗ୍ରହଣ ଉତ୍ସବ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମ୍ବେଦନଶୀଳତା ବୃଦ୍ଧି ଓ ସଚେତନତା ସୃଷ୍ଟି ନିମନ୍ତେ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଥିଲା । ବିଭିନ୍ନ ଶିକ୍ଷାନୁଷ୍ଠାନର ର‌୍ୟାଗିଂ ବିରୋଧୀ କମିଟି ଓ ହଷ୍ଟେଲ ଅଧୀକ୍ଷକମାନେ ଏହା ପରିଚାଳନା କରିଥିଲେ ।

ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ପୋଷ୍ଟର ତିଆରି, ସ୍ଲୋଗାନ୍ ଲେଖିବା, ନୁକଡ଼ ନାଟକ, ବିତର୍କ, କୁଇଜ, ପ୍ରବନ୍ଧ ଏବଂ ରଙ୍ଗୋଲି ଭଳି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହା ମଧ୍ୟ ଦେଇ ପରସ୍ପର ପ୍ରତି ସମ୍ମାନ ପ୍ରକାଶ ତଥା ମର୍ଯ୍ୟାଦାର ଗୁରୁତ୍ୱ ଏବଂ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଅନ୍ତର୍ଭୁକ୍ତତାକୁ ପ୍ରାଧାନ୍ୟ ଦିଆଯାଇଥିଲା ।

ଏହି ସପ୍ତାହର ପୁରସ୍କାର ବିତରଣୀ ଓ ସମ୍ବର୍ଦ୍ଧନା ଉତ୍ସବ ଅଗଷ୍ଟ ୧୮ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶ୍ୱବିଦ୍ୟାଳୟର କୁଳପତି, ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଡିନ୍ (ଛାତ୍ର ମଙ୍ଗଳ) ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଅନ୍ୟାନ୍ୟ ଡିନ୍‌, ନିର୍ଦ୍ଦେଶକ, ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

ର‌୍ୟାଗିଂ ବିରୁଦ୍ଧରେ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରି ପ୍ରଫେସର ନନ୍ଦ କହିଥିଲେ ଯେ ବିଶ୍ୱବିଦ୍ୟାଳୟ ର‌୍ୟାଗିଂକୁ ସଂପୂର୍ଣ୍ଣ ବିରୋଧ କରେ । ଏହା ସହିତ ଛାତ୍ରଛାତ୍ରୀମାନେ ପରସ୍ପର ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ପରସ୍ପରର ବିଶ୍ୱାସ ଭାଜନ ହେବା  ଆବଶ୍ୟକ ବୋଲି ସେ କହିଥିଲେ ।

ଫ୍ୟାକଲ୍ଟି କୋଅର୍ଡିନେଟର ଡକ୍ଟର ଅଂଶୁମାନ ଜେନା ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ଓ ଏକତା ବୃଦ୍ଧି ନିମନ୍ତେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ।
ଏହି ଉପଲକ୍ଷେ ଏକ ସନ୍ଦେଶ ଦିଆଯାଇଥିଲା ଯାହାର ଅର୍ଥ ହେଲା “ର‌୍ୟାଗିଂ ବିଭକ୍ତ କରେ ମାତ୍ର ପରସ୍ପର ପ୍ରତି ସମ୍ମାନ ଏକତା ବଢ଼ାଏ । ଆମେ ଏକତ୍ର ଶପଥ ନେଉଛୁ ଯେ ବିଶ୍ୱବିଦ୍ୟାଳୟରେ ପରସ୍ପର ପ୍ରତି ସମ୍ମାନ, ମର୍ଯ୍ୟାଦା ଓ ବନ୍ଧୁତ୍ୱ ବୃଦ୍ଧି ନିମନ୍ତେ ଉଦ୍ୟାମ ଜାରି ରଖିବୁ ।”


Share It

Comments are closed.