ମହାପ୍ରଭୁ ଜଗତର ରକ୍ଷାକର୍ତ୍ତା, ତାଙ୍କର ଲୀଳା ଅପାର – ଧର୍ମେନ୍ଦ୍ର ପ୍ରଧାନ

Share It

ପୁରୀ, ଜୁନ ୨୭ – ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର ରଥଯାତ୍ରାରେ ସାମିଲ ହୋଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭକ୍ତମାନଙ୍କ ସହ ରଥାରୁଢ଼ ଚତୁର୍ଦ୍ଧାମୂରତିଙ୍କ ଦର୍ଶନ କରିଛନ୍ତି ।

 

ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ରଥଯାତ୍ରା ସମସ୍ତଙ୍କ ପାଇଁ ଏକ ପବିତ୍ର ଦିନ । ମହାପ୍ରଭୁ ଶ୍ରୀଜଗନ୍ନାଥ ଜଗତର ରକ୍ଷାକର୍ତ୍ତା । ତାଙ୍କର ଲୀଳା ଅପାର । ଜାତି, ଧର୍ମ, ବର୍ଣ୍ଣ, ବିଶ୍ୱାସ ନିର୍ବିଶେଷରେ ସେ ସମସ୍ତଙ୍କର ନାଥ । ଆଜି ବଡ଼ଦାଣ୍ଡରେ ରଥାରୂଢ ଚକାନୟନ, ବଡ ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ଦର୍ଶନ କରିବା ମୋର ସୌଭାଗ୍ୟ । ସବୁ ଭକ୍ତମାନେ ଆନନ୍ଦ ଓ ଉତ୍ସାହର ସହ ଆଧ୍ୟାତ୍ମିକ ବାତାବରଣରେ ରଥ ଭିଡ଼ିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଚଳିତବର୍ଷ ରଥଯାତ୍ରା ବ୍ୟବସ୍ଥିତ ହୋଇଛି । ଏହି ବ୍ୟବସ୍ଥା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୁରୀ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

 

ରଥଯାତ୍ରା ଅବସରରେ ଶ୍ରୀ ପ୍ରଧାନ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତଙ୍କ ସହ ‘ଶ୍ରୀଜଗନ୍ନାଥ ମନ୍ଦିର ସତ୍ୱଲିପି’ ଓ ଉତ୍କଳ ପ୍ରସଙ୍ଗର ରଥଯାତ୍ରା ବିଶେଷାଙ୍କ ପତ୍ରିକା ଉନ୍ମୋଚନ କରିଥିଲେ । ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ କହିବା ସହ ଏହି ଉପାଦେୟ ସତ୍ୱଲିପି ଓ ପତ୍ରିକାର ବିପୁଳ ପାଠକୀୟ ଆଦୃତି ଲାଭ କରିଛନ୍ତି ଶ୍ରୀ ପ୍ରଧାନ । ଏହା ପୂର୍ବରୁ ଶ୍ରୀ ପ୍ରଧାନ ପୁରୀ ଗୋବର୍ଦ୍ଧନ ପୀଠ ପରିଦର୍ଶନ କରିବା ସହ ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜା ଏବଂ ଜଗଦଗୁରୁ ପରମପୂଜ୍ୟ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଇଥିଲେ ।

 

ବଡଦାଣ୍ଡରେ ବିଶ୍ୱ ହିନ୍ଦୁ ପରିଷଦ ସେବା ବିଭାଗ ତରଫରୁ ଆୟୋଜିତ ଅନ୍ନଦାନ ସେବାରେ ସାମିଲ ହୋଇ ଶ୍ରୀ ପ୍ରଧାନ ଭକ୍ତମାନଙ୍କୁ ପ୍ରସାଦ ବିତରଣ କରିଥିଲେ । ପୁରୀରେ ରଥଯାତ୍ରାକୁ ଶୃଙ୍ଖଳିତ କରିବା ସହ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ହୋଇଥିବା “ଇଣ୍ଟିଗ୍ରେଟେଡ୍ କମାଣ୍ଡ୍ ଆଣ୍ଡ୍ କଣ୍ଟ୍ରୋଲ ସେଣ୍ଟର” ପରିଦର୍ଶନ କରିବା ସହ ରଥଯାତ୍ରାରେ ପ୍ରଥମ ଥର ପାଇଁ ଡ୍ରୋନ୍ ଓ ଅନ୍ୟାନ୍ୟ ଟେକ୍ଲୋଲୋଜି ମନିଟରିଂ ଦିଗରେ ଓଡ଼ିଶା ପୋଲିସର ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ ।


Share It

Comments are closed.