ନିଷେଧ  ନିଶାଦ୍ରବ୍ୟ  ଚୋରାଚାଲାଣ ରୋକିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ନିଆଯିବ

Share It

ଭୁବନେଶ୍ୱର, ୧୩.୦୫.୨୦୨୫ : ନିଷେଧ ନିଶା  ଦ୍ରବ୍ୟର  ବେଆଇନ୍ ଚୋରା ଚାଲାଣକୁ ରୋକିବା ସଂପର୍କରେ ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅଧିନସ୍ଥ ନାର୍କୋ କୋର୍ଡିନେସନ ସେଣ୍ଟର ତରଫରୁ ଆଜି   ୫ମ ରାଜ୍ୟସ୍ତରୀୟ ବୈଠକ ଭୁବନେଶ୍ୱର ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ  ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ରାଜ୍ୟ ପୁଲିସ୍ ମହା ନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି ଖୁରାନିଆ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର  ଉପ-ମହା ନିର୍ଦ୍ଦେଶକ ଶ୍ରୀ  ହିତେଶ ଗୋଦାରା, ଅବକାରୀ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାରଙ୍କ  ସମେତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଅନ୍ୟ ବରିଷ୍ଠ  ଅଧିକାରୀ, ରାଜ୍ୟ ପୁଲିସ ପ୍ରଶାସନ, ଅବକାରୀ ବିଭାଗ, ବିଭିନ୍ନ ଜିଲ୍ଲାରୁ ଜିଲ୍ଲାପାଳ,  ଆରକ୍ଷୀ ଅଧିକ୍ଷକ, ପାରାଦୀପ  ବନ୍ଦର କର୍ତ୍ତୃପକ୍ଷ, ସୀମା ସୁରକ୍ଷାବଳ, ନୌସେନା, ରେଳ ଓ ତଟ ସୁରକ୍ଷା, ଭାରତୀୟ ଡାକସେବା ଆଦି ବିଭିନ୍ନ ଆଇନ୍ ଅନୁପାଳନ ସଂସ୍ଥାର  ବରିଷ୍ଠ ଅଧିକାରୀମାନେ  ଯୋଗ ଦେଇଥିଲେ ।  ଆଭାସୀ ମାଧ୍ୟମରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ପୁଲିସ୍  ପ୍ରଶାସନ, ଅବକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିବା ବେଳେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ।

ବୈଠକରେ ଗତ ୨୪ ଅପ୍ରେଲ ୨୦୨୪ରେ ଅନୁଷ୍ଠିତ ୪ର୍ଥ ଏନ୍‌ସିଓଆରଡି ବୈଠକର ନିଷ୍ପତ୍ତିର କାର୍ଯ୍ୟାନୁଷ୍ଠାନ ସଂପର୍କରେ ଆଲୋଚନା କରାଯାଇଥିଲା । ରାଜ୍ୟରେ ବେଆଇନ୍‌ ନିଶାଦ୍ରବ୍ୟ କାରବାର, ଚୋରାଚାଲାଣର ସ୍ଥିତି, ନଷ୍ଟ କରାଯାଇଥିବା ନିଶାଦ୍ରବ୍ୟ, ରାଜ୍ୟକୁ ନାକୋଟିକ୍ସ କଣ୍ଟୋଲ ବ୍ୟୁରୋର ସହାୟତା ସମେତ ନିଶାମୁକ୍ତ ଭାରତ ପାଇଁ  ଭାରତ ସରକାରଙ୍କ ଆହ୍ୱାନକୁ କାର୍ଯ୍ୟକାରୀ କରିବା ପାଇଁ ଆଗାମୀ ଦିନର ପଦକ୍ଷେପ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।  ଜୋନ ନିର୍ଦ୍ଦେଶକ, ଏନସିବି ଭୁବନେଶ୍ୱର ସ୍ୱଗତ ଭାଷଣ ପ୍ରଦାନ କରିଥିଲେ ।

ସୂଚନା ଅନୁସାରେ ଇ-ଗଭର୍ଣ୍ଣାସ୍‌ ପୋର୍ଟାଲରେ  ୬୨,୩୮୩ ଜଣ ନିଜକୁ, ନିଜ ପରିବାର ଓ ପ୍ରିୟଜନମାନଙ୍କୁ ମାଦକ ପଦାର୍ଥକୁ ଦୂରରେ ରହି ସୁସ୍ଥ  ଓ ନିରୋଗ ଜୀବନ ଉପଭୋଗ କରିବାର ଶପଥ ନେଇ ମହାବିଦ୍ୟାଳୟମାନଙ୍କୁ ଆଣ୍ଟି-ଡ୍ରଗ୍ସ ଶପଥ ପାଇଁ  ଉଚ୍ଚ ଶିକ୍ଷା ବିଭାଗ ତରଫରୁ ପତ୍ର ପ୍ରେରଣ କରାଯାଇଛି । ଗତ ୨୦୨୪-୨୫ ବର୍ଷରେ ରାଜ୍ୟରେ ମୋଟ ୨୭,୭୨୧ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଗତ ୨୦୨୩-୨୪ ରେ ପ୍ରାୟ ୧୦,୩୨୦ ଏକର ଗଞ୍ଜେଇ ଚା‌ଷ‌ ନଷ୍ଟ କରାଯାଇଥିବା ବେଳେ ୨୦୨୪-୨୫ ରେ ଏହା ପ୍ରାୟ ୩ ଗୁଣା ବୃଦ୍ଧି ପାଇଛି । ସାଟେଲାଇଟ ଛବି ଓ ସୂଚନା  ଆଧାରରେ ବେଆଇନ୍‌ ଗଞ୍ଜେଇ ଚାଷ ଅଂଚଳକୁ ଚିହ୍ନଟ  କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ସଂପର୍କରେ ବୈଠକରେ ସୂଚନା   ଦିଆଯାଇଥିଲା । ଗଞ୍ଜେଇ ଚାଷରୁ ନିବୃତ୍ତ ରହିବା ପାଇଁ  ଜନ ସଚେତନତା ବୃଦ୍ଧିକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି  ।

ଗଞ୍ଜେଇ ଚାଷ କରୁଥିବା ଅଂଚଳରେ ଲୋକମାନଙ୍କୁ ଅନ୍ୟ ଚାଷ କରିବା ଏବଂ  ଫଳଚାଷ ଆଦିକୁ ପ୍ରୋତ୍ସାହନ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।   ବୈଠକରେ  ୨୦୨୪ ରେ ୧,୩,୭୬୧ କେଜି ଗଞ୍ଜେଇ, ୩୭ କେଜି ହେରୋଇନ୍‌ ସମେତ  ଅନ୍ୟ ମାଦକ ଦ୍ରବ୍ୟ ଜବତ ଜନିତ ସଂପର୍କିତ ସୂଚନା ଦିଆଯାଇଥିଲା । ସମଗ୍ର ଭାରତରେ ଡ୍ରଗ୍ସ  ବିରୁଦ୍ଧରେ ସମ୍ମିଳିତ ପ୍ରୟାସ ନିମନ୍ତେ ମାଦକ ଦ୍ରବ୍ୟ ନିଷେଧ ସୂଚନା କେନ୍ଦ୍ର ଭାବରେ ସହାୟତା କେନ୍ଦ୍ର  ଭାବରେ ନ୍ୟାସନାଲ ନାକୋଟିକ୍ସ  ହେଲ୍ପଲାଇନ୍- ୧୯୩୩ (ମାନସ ପୋର୍ଟାଲ) କାର୍ଯ୍ୟ କରୁଛି ।  ଅନ୍ୟ ପକ୍ଷରେ ରାଜ୍ୟ  ଉଚ୍ଚଶିକ୍ଷା, ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ,  ଅବକାରୀ ବିଭାଗ ସହଯୋଗରେ ବ୍ୟାପକ ଜନ ସଚେତନତାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି ।

ବୈଠକରେ ଡିଜିପି ଶ୍ରୀ ୱାଇବି ଖୁରାନିଆ  ଯୋଗଦେଇ ରାଜ୍ୟ ପୁଲିସ, ଅବକାରୀ ବିଭାଗ ସମନ୍ୱୟରେ ରାଜ୍ୟରେ ନିଶାଦ୍ରବ୍ୟ  କାରବାର ଚୋରାଚାଲାଣ ସଫଳତା ସଂପର୍କରେ ପ୍ରକାଶ କରିବା ସହ ୨୦୨୫-୨୬ ବର୍ଷ ପାଇଁ ପ୍ରସ୍ତୁତି ଓ ସଚେତନତା ସଂପର୍କରେ ମତବ୍ୟକ୍ତ କରିଥିଲେ ।  ନାକୋଟିକ୍ସ ଓ ସାଇକୋଟ୍ରାପିକ୍ସ ଦ୍ରବ୍ୟ ମାମଲାର ଫଇସଲା ପାଇଁ ରାଜ୍ୟ ସରକାର ପୁଲିସ୍ ପ୍ରଶାସନର ପ୍ରସ୍ତାବ କ୍ରମେ  ଖୁବ୍ ଶୀଘ୍ର  ଏନ୍‌ଡିପିଏସ କୋର୍ଟ ଖୋଲିବାକୁ ଯାଉଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ସୂଚନା ଦେଇଛନ୍ତି  । 

ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ  କହିଛନ୍ତି ଯେ, ନିଶାମୁକ୍ତ ଭାରତ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ଅଛନ୍ତି । ଏଥି ପାଇଁ ଯାହା ଯାହା ପଦକ୍ଷେପ ଆବଶ୍ୟକ,  ସମସ୍ତ ପ୍ରକାର ସହାୟତା କରାଯିବ   ।  ମାଦକ ଦ୍ରବ୍ୟ  ବ୍ୟବହାର  ପାଇଁ ଏହାର ଯେପରି ସହଜ ଉପଲବ୍ଧ ହେବ ନାହିଁ,ସେଥିପାଇଁ ସୁଦୃଢ଼ ସମନ୍ୱୟ ଉପରେ ସେ  ଗୁରୁତ୍ୱ ଦେଇଛନ୍ତି । ବିଶେଷ କରି ଜଙ୍ଗଲ ଅଂଚଳରେ ଗଂଜେଇ ଚାଷ କରାଯାଉଥିବାରୁ ଏହି ଅଂଚଳରେ ଅଧିବାସୀମାନଙ୍କ ପାଇଁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ସମନ୍ୱିତ କରି ଅନ୍ୟ ଜୀବିକାକାର୍ଜନ କାର୍ଯ୍ୟକ୍ରମକୁ ବଢ଼ାଇବା ସଂପର୍କରେ ସେ ବୈଠକରେ ଗୁରୁତ୍ୱାରୋପ କରିଥିଲେ ।

ଅନ୍ୟ ପକ୍ଷରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକମାନଙ୍କୁ ଜିଲ୍ଲାରେ ଏ ସଂପର୍କିତ ନିୟମିତ ବୈଠକ କରି ବେଆଇନ୍ ନିଶାଦ୍ରବ୍ୟ ଚୋରାଚାଲାଣ ବିରୁଦ୍ଧରେ ଶତ ପ୍ରତିଶତ  କାର୍ଯ୍ୟାନୁଷ୍ଠାନ  ପାଇଁ  ଉଦ୍ୟମ  ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । 


Share It

Comments are closed.