ଜୟଦେବ ପୀଠର ବିକାଶ ପାଇଁ ୭ କୋଟି

Share It

କବି ଜୟଦେବ ଓ ‘ଗୀତଗୋବିନ୍ଦ’ ଆମ ସାଂସ୍କୃତିକ ପରିଚୟର ଏକ ଅବିଚ୍ଛେଦ୍ୟ ଅଙ୍ଗ। କବି ଜୟଦେବ ଆମ ଓଡ଼ିଆ ଅସ୍ମିତାର ଅନ୍ୟତମ ମହାନାୟକ। ଜୟଦେବ ଜୟନ୍ତୀ ଅବସରରେ ବୁଧବାର ଜନ୍ମପୀଠ କେନ୍ଦୁବିଲୱ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜୟଦେବଙ୍କ ପୀଠକୁ ସାହିତ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକତାର ଏକ କେନ୍ଦ୍ରସ୍ଥଳ ଭାବେ ବିକଶିତ କରିବା ପାଇଁ ଅନେକ ପ୍ରକଳ୍ପ ଘୋଷଣା କରିବା ସହିତ କେତେକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ। ଜୟଦେବ ପୀଠକୁ ଏକ ଆଧ୍ୟାତ୍ମିକ ବିଶ୍ୱସ୍ତରୀୟ ପୀଠରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ। ଜୟଦେବ ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୭ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତି ରଖିଥିଲେ। ଏଥିରେ ଅନେକ ପ୍ରକାରର ଫୁଲ ବଗିଚା ଓ ୧୦ଟି କଇଁ ପୋଖରୀ ଏବଂ ବିଭିନ୍ନ ପ୍ରକାରର ଲତାଜାତୀୟ ଗଛର ବଗିଚା ସୃଷ୍ଟି କରାଯିବ। ଯେତେଦୂର ସମ୍ଭବ କବିଙ୍କ ସମୟର ପ୍ରାକୃତିକ ସୌନ୍ଦର୍ଯ୍ୟର ପୁନରୁଦ୍ଧାର କରିବା ପାଇଁ ଉଦ୍ୟମ କରାଯିବ। ଏହା ସହିତ ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଆହୁରି ଅନେକ ପ୍ରକଳ୍ପ ଘୋଷଣା କରିଥିଲେ। ଏଥିରେ ଏଣ୍ଟ୍ରାନ୍ସ ଗେଟ, ଦଶବତାର ପ୍ଲାଜା, ପଦ୍ମ ପୋଖରୀର ସୌନ୍ଦର୍ଯ୍ୟକରଣ, ବିଭିନ୍ନ କୁଞ୍ଜ’ର ବିକାଶ, କ୍ରାଫ୍ଟ ସପ, ଫୁଡ କୋର୍ଟ ଆଦିର ବିକାଶ କରାଯିବ। ଏହାର ବିକାଶ ପାଇଁ ସଂସ୍କୃତି, ପର୍ଯ୍ୟଟନ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମିଳିତ ଭାବେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଉପସ୍ଥିତ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଏହାକୁ ଏକ ଆଦର୍ଶ ଗ୍ରାମରେ ପରିଣତ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜୟଦେବ କେବଳ ଯେ ଗୀତ ଗୋବିନ୍ଦ ପାଇଁ ପୂଜ୍ୟ, ତାହା ନୁହେଁ; ଏ ଦେଶ ଯେଉଁ କେତେଜଣ ମହାନ ଶାସ୍ତ୍ରୀୟ ସଂସ୍କୃତ କବିଙ୍କୁ ଜନ୍ମ ଦେଇଛି, ସେମାନଙ୍କ ସହିତ ଜୟଦେବ ସମକକ୍ଷ। ଅଶଘୋଷ, ଭାସ, କାଳିଦାସ, ଭର୍ତ୍ତୃହରିଙ୍କ ଠାରୁ ଆରମ୍ଭ କରି ବିଲହନ ଓ ଶ୍ରୀହର୍ଷ ପ୍ରମୁଖ ଶାସ୍ତ୍ରୀୟ ସଂସ୍କୃତ କବି ଥିଲେ। ଏହି କ୍ରମରେ ଶେଷ ହେଉଛନ୍ତି ଜୟଦେବ। ତାଙ୍କର ଏହି କୃତି, କାଳିଦାସଙ୍କ ମେଘଦୂତଙ୍କ ସହିତ ସମକକ୍ଷ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଜୟଦେବଙ୍କ ଜନ୍ମ ଓ
ଜୟଦେବଙ୍କ କୃତି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଛି ବୋଲି ମତ ଦେଇ ସେ କହିଲେ ଯେ, ‘ଗୀତଗୋବିନ୍ଦ’ ବିଭିନ୍ନ ବିଦେଶୀ ଭାଷାରେ ଯଥା- ଫରାସୀ, ଜର୍ମାନ, କୋରିୟାନ, ଜାପାନୀ ଓ ଇଂରାଜୀରେ ଅନୁବାଦ ହୋଇଛି । ଫଳରେ, ଏହା ସାରା ପୃଥିବୀର ସାହିତ୍ୟ-ରସିକ ଓ ଗବେଷକମାନଙ୍କ ଦୃଷ୍ଟି ଆକର୍ଷଣ କରିଛି। ‘ଗୀତଗୋବିନ୍ଦରେ ଅଛି ଭକ୍ତି, ଭାବମୟତା ଓ ସଙ୍ଗୀତମୟତା। ଫଳରେ, ଏହା କେବଳ ଲୋକପ୍ରିୟ ହୋଇନାହିଁ ବରଂ ଅନ୍ୟମାନଙ୍କ ଦାରା ବ୍ୟବହାର ଓ ପରିବେଷଣ ମଧ୍ୟ କରାଯାଉଛି । କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂହ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଲବନ୍ତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ, ସଂଜୀବ କୁମାର ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ ଓ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ।


Share It

Comments are closed.