‘ପୂର୍ବୋଦୟ’ ଯୋଜନାରେ ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ- ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ଏପ୍ରିଲ ୧୭- ରାଜ୍ୟରେ ପ୍ରାୟ ୪ ହଜାର ୧୩୭ କୋଟି ଟଙ୍କାର ୧୯ଟି ଜାତୀୟ ରାଜପଥ ପ୍ରକଳ୍ପ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଲୋକାର୍ପଣ ଓ ଶିଳାନ୍ୟାସ ହୋଇଛି । ଆଜି ଲୋକାର୍ପଣ ଏବଂ ଶିଳାନ୍ୟାସ ହୋଇଥିବା ରାଜପଥ ପ୍ରକଳ୍ପ ‘ପୂର୍ବୋଦୟ’ ଯୋଜନାରେ ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଏକ ଭିଡିଓ ମେସେଜ୍ ଜରିଆରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ପୂର୍ବୋଦୟ ମିଶନ’ରେ ଶୁଭାରମ୍ଭ ହୋଇଥିବା ଏହି ପ୍ରକଳ୍ପଗୁଡିକ ଓଡ଼ିଶାରେ ସଡ଼କ ଭିତ୍ତିଭୂମିକୁ ମଜଭୂତ୍ କରିବ । ଲୋକଙ୍କ ଯାତାୟତ ସହଜ ହେବ । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୃଷ୍ଟି ହେବ । ଆମର ସ୍ଥାନୀୟ ଓ ରାଜ୍ୟ ଅର୍ଥନୀତି ଅଧିକ ମଜଭୂତ୍ ହେବ । ଆମ ସରକାର ସବକା ସାଥ୍-ସବକା ବିକାଶର ସରକାର । ଲୋକାର୍ପିତ ହୋଇଥିବା ପ୍ରକଳ୍ପ ଗୁଡିକ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବା ସହ ସାମାଜିକ ଓ ଆର୍ଥିକ ବିକାଶରେ ମଧ୍ୟ ଅଭିବୃଦ୍ଧି ଘଟିବ । ଏହି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଗଡକରୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଉଛି ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ସାଢେ ୪ କୋଟି ଓଡ଼ିଆ ଲୋକଙ୍କ ଇଚ୍ଛାଶକ୍ତି କାରଣରୁ ଆଜି ରାଜ୍ୟରେ ଡବଲ ଇଞ୍ଜିନ ସରକାର ହୋଇଛି । ଆମ ସରକାରରେ ଜାତୀୟ ରାଜପଥ, ରେଳ, ବିମାନସେବା ଏବଂ ଯୋଗାଯୋଗ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଉପରେ ପ୍ରାଥମିକତା ଦିଆଯାଉଛି । ଜନଜାତୀୟ ଗୌରବ କରିଡର, ଶକ୍ତି କରିଡର, ବନ୍ଦର ଓ ଶିଳ୍ପ କରିଡର ମଧ୍ୟ ବିକଶିତ ହେଉଛି । ମୋଦୀ ସରକାରରେ ଓଡ଼ିଶାରେ ୪୦୦୦ରୁ ଅଧିକ କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯାଇଛି । କୋଷ୍ଟାଲ ହାଇଓ୍ୱେ, କ୍ୟାପିଟାଲ ରିଜିୟନ୍ ରିଙ୍ଗ୍ ରୋଡ୍, ସମ୍ବଲପୁର ରିଙ୍ଗ୍ ରୋଡ୍ ପ୍ରକଳ୍ପ ଓଡ଼ିଶାର ଅର୍ଥନୀତିକୁ ତ୍ୱରାନ୍ୱିତ କରିବ । ମାନ୍ୟବର ମୋଦିଜୀ ଭାରତର ସାମଗ୍ରିକ ବିକାଶକୁ ଆଖି ଆଗରେ ରଖି ପୂର୍ବୋଦୟ ମିଶନର କଳ୍ପନା କରିଛନ୍ତି, ଯାହାର କେନ୍ଦ୍ରବିନ୍ଦୁରେ ଓଡ଼ିଶା ରହିଛି ।
୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ଓ ୨୦୪୭ରେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବ । ୨୦୪୭ ସୁଦ୍ଧା ଆମ ଦେଶ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବାର ଲକ୍ଷ୍ୟ ରଖିଛି । ସେହିପରି ଓଡ଼ିଶା ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାର ଅର୍ଥନୀତି ହାସଲ କରିବାର ଲକ୍ଷ୍ୟ ରଖିଛି । ବର୍ତ୍ତମାନ ସମୟରେ ରାଜପଥ, ଯୋଗାଯୋଗ ଏବଂ ଆନୁଷଙ୍ଗିକ ଭିତ୍ତିଭୂମିକୁ ତ୍ୱରାନ୍ୱିତ କରିପାରିଲେ ହିଁ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ର ସ୍ୱପ୍ନ ସାକାର ହୋଇପାରିବ ।
ସଡ଼କ ସୁରକ୍ଷା ସଚେତନତା ନେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତ୍ତମାନ ସମୟରେ ବିଶ୍ୱରେ ରୋଡ୍ ସେଫଟି ବା ସଡ଼କ ସୁରକ୍ଷା କେତେ ଜରୁରୀ ହୋଇ ପଡିଛି । ଏଭଳି ସମୟରେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ନେତୃତ୍ୱରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦେଶର ସମସ୍ତ ସ୍କୁଲରେ ସଚେତନତା ସୃଷ୍ଟି କରିବା ପାଇଁ ‘ସଡକ ସୁରକ୍ଷା ଅଭିଯାନ’ରେ ସାମିଲ ହୋଇଛି । ସ୍କୁଲ ଶିକ୍ଷା ବ୍ୟବସ୍ଥାରୁ ସବୁ କ୍ଷେତ୍ରରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନକୁ ଏକ ବ୍ୟାପକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।
Comments are closed.