ଓମଫେଡ୍ ଦୁଗ୍ଧ ଚାଷୀ ପାଇଲେ ୩୧ କୋଟିର ପ୍ରୋତ୍ସାହନ ରାଶି
ରାଜ୍ୟର ପ୍ରାୟ ୧ ଲକ୍ଷ ଓମଫେଡର ଯୋଗ୍ୟ ଦୁଗ୍ଧ ଚାଷୀଙ୍କୁ ରାଜ୍ୟ ସରକାର ୩୧.୧୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଏହି ଅର୍ଥ ଓମଫେଡ ପକ୍ଷରୁ ଡିବିଟି ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି । ୨୦୨୪ ସେପ୍ଟେମ୍ବରରୁ ୨୦୨୫ ଫେବୃଆରୀ ମଧ୍ୟରେ ଯେଉଁ ଚାଷୀ ଯେତେ ପରିମାଣର ଦୁଗ୍ଧ ଓମଫେଡକୁ ଦେଇଛନ୍ତି, ସେମାନଙ୍କ ବ୍ୟାଙ୍କ ଖାତାକୁ ସେହି ଅନୁପାତରେ ଏହି ପ୍ରୋତ୍ସାହନ ରାଶି ଯାଇଛି ।
ସାଧାରଣତଃ ସେପ୍ଟେମ୍ବରରୁ-ଫେବୃଆରୀ ୬ ମାସ ହେଉଛି ଦୁଗ୍ଧର ତିରୋଟ ସମୟ ବା ଦୁଗ୍ଧ ଉତ୍ପାଦନ କମ ହୋଇଥାଏ । ଏହି ସମୟରେ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ତଥା ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଓମଫେଡ ପକ୍ଷରୁ ଲିଟର ପିଛା ୧ ରୁ ୫ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ପୂର୍ବରୁ ଘୋଷଣା କରାଯାଇଥିଲା । ଏଥିପାଇଁ ରାଜ୍ୟ ସରକାର ମଧ୍ୟ ଓମଫେଡକୁ ଆର୍ଥିକ ସହାଯତା ଯୋଗାଇ ଦେଇଥିଲେ ।
ସମ୍ପ୍ରତି ରାଜ୍ୟରେ ମୋଟ ୧୧ଟି ଜିଲା ଦୁଗ୍ଧ ସମବାୟ ସମିତି ରହିଛି । ଏହି ଦୁଗ୍ଧ ସମୟବାୟ ସମିତି ମଧ୍ୟରୁ ସର୍ବାଧିକ ୩୩ ହଜାର ଚାଷୀ କଟକ ଜିଲା ଦୁଗ୍ଧ ସମବାୟ ସମିତିରେ ରହିଛନ୍ତି। ଏହାପରେ ରହିଛି ବାଲେଶ୍ୱର ଜିଲା । ବାଲେଶ୍ୱର ଜିଲା ଦୁଗ୍ଧ ସମବାୟ ସମିତିରେ ୧୮ ହାଜର ଚାଷୀ ରହିଛନ୍ତି । ସର୍ବନିମ୍ନ ଅର୍ଥାତ୍ ୫୩୧ ଜଣ ଚାଷୀ ରହିଛନ୍ତି ମୟୁରଭଞ୍ଜ ଜିଲା ଦୁଗ୍ଧ ସମବାୟ ସମିତିରେ ରହିଛନ୍ତି। କଟକ ଜିଲା ଦୁଗ୍ଧ ସମବାୟ ସମିତି ଅଧିନରେ ଥିବା ଚାଷୀଙ୍କ ଖାତାକୁ ସର୍ବାଧିକ ୧୩ କୋଟି ଟଙ୍କା ଯାଇଥିବା ବେଳେ ବାଲେଶ୍ୱର ଜିଲ୍ଲା ଦୁଗ୍ଧ ସମବାୟ ସମିତି ଚାଷୀଙ୍କ ଖାତାକୁ ଯାଇଛି ୫ କୋଟି ।
ସେହିପରି ସମ୍ବଲପୁରକୁ- ୪.୭୩ କୋଟି, ବଲାଙ୍ଗିର, କଳାହାଣ୍ଡି, ନୂଆପଡା ଜିଲା ଦୁଗ୍ଧ ସମବାୟ ସମିତ ଅଧିନରେ ଥିବା ଚାଷୀଙ୍କ ଖାତାକୁ ୨.୬୨ କୋଟି, ପୁରୀ ଜିଲାକୁ- ୨.୩୨ କୋଟି ଟଙ୍କା ଯାଇଥିବା ବେଳେ ସର୍ବନିମ୍ନ ପ୍ରୋତ୍ସାହନ ରାଶି ମୟୂରଭଞ୍ଜ ଜିଲା ଦୁଗ୍ଧସମବାୟ ସମିତି ଅଧିନରେ ଥିବା ଚାଷୀଙ୍କ ଖାତାକୁ ଯାଇଛି। ମୟୂରଭଞ୍ଜ ଜିଲାକୁ ମାତ୍ର ୨୦ ଲକ୍ଷ ଟଙ୍କା ଯାଇଛି॥ ଆଗାମୀ ବର୍ଷରେ ଏହି ପ୍ରୋତ୍ସାହନ ରାଶି ପ୍ରଦାନ ପ୍ରକ୍ରିୟା ଜାରି ରହିବ।
କେବଳ ସେତିକି ନୁହେଁ, ବର୍ଷ ସାରା ଓମଫେଡର ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦେବା ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ବୋଲି କହିଛନ୍ତି ଓମଫେଡର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି। ଏହି ଅର୍ଥ କୌଣସି ୟୁନିୟନ ମାଧ୍ୟମରେ ଦିଆଯାଇ ନାହିଁ । ଏହା ସିଧାସଳଖ ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଯାଇଛି ।
Comments are closed.