ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗଦେବେ

Share It

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିଲ୍ଲୀ ଗସ୍ତ କରିଛନ୍ତି।  ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ଶିଳ୍ପକ୍ଷେତ୍ରରେ ପ୍ରଗତି ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ କମ୍ପାନୀ ସହ ବୁଝାମଣାପତ୍ର ସ୍ବାକ୍ଷର କରିବେ। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ ଷ୍ଟେକ୍‌ ହୋଲ୍ଡର୍‌, ଶିଳ୍ପପତିଙ୍କୁ ସମ୍ବୋଧିତ କରି ଓଡ଼ିଶାକୁ ନିବେଶ ଅନୁକୂଳ କରିବା ଦିଗରେ ରାଜ୍ୟସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇବେ। ଏହି ଅବସରରେ ବିଭିନ୍ନ କମ୍ପାନୀ ସହ ସ୍ବାକ୍ଷରିତ ହେବାକୁ ଥିବା ଚୁକ୍ତି ରାଜ୍ୟର ଅର୍ଥନୀତି ଅଭିବୃଦ୍ଧିରେ ସହାୟକ ହେବା ସହ ଅନେକ ନିଯୁକ୍ତି ସୁଯୋଗ ସୃଟେି କରିବ ବୋଲି ଆଶା କରାଯାଉଛି। ଚୁକ୍ତି ହେବାକୁ ଥିବା କମ୍ପାନିଗୁଡ଼ିକ ମଧ୍ୟରେ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନ ଲିମିଟେଡ୍‌, ପେଟ୍ରୋନେଟ୍‌ ଏଲଏନଜି, ଇଣ୍ଡିଆନ୍‌ ଷ୍ଟ୍ରାଟେଜିକ ପେଟ୍ରୋକେମିକାଲ ରିଜର୍ଭସ୍‌ ଲିମିଟେଡ୍‌ ଆଦି କମ୍ପାନି ରହିଛି। ଏହି ସହଭାଗିତା ରାଜ୍ୟରେ ପେଟ୍ରୋକେମିକାଲ ଓ କେମିକାଲ ଶିଳ୍ପକୁ ସୁଦୃଢ଼ କରିବାରେ ସହାୟକ ହେବ। 

ତେବେ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନୋଇଡ଼ାସ୍ଥିତ ଏଚସିଏଲ ଟେକ୍‌ କ୍ୟାମ୍ପସ୍‌ ପରିଦର୍ଶଦନ କରିବାର ମଧ୍ୟ ଯୋଜନା ରହିଛି। ଏହାବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରର ପୁଞ୍ଜିନିବେଶକ ସହ ଓ୍ବାନ୍‌ ଅନ୍‌ ଓ୍ବାନ୍‌ ଆଲୋଚନା କରି ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ। ପୂର୍ବୋଦୟ ଯୋଜନା ଅଧିନରେ ପୂର୍ବଭାରତ ବିଶେଷ କରି ଓଡ଼ିଶାରେ ଥିବା ଶିଳ୍ପ ସମ୍ଭାବନାକୁ ନୂଆରୂପ ଦେବାରେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସହାୟକ ହେବ ବୋଲି ଆଶା କରାଯାଉଛି। ଏପ୍ରିଲ ୯ରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିପାରନ୍ତି।


Share It

Comments are closed.