ସୋଆରେ ଦୁଇ ଦିନିଆ ‘ବିକଶିତ ଭାରତ ଯୁବ ସଂସଦ ୨୦୨୫’ କାର୍ଯ୍ୟକ୍ରମ ଉଦ୍‌ଘାଟିତ

Share It

ଭୁବନେଶ୍ୱର , ୨୧ ମାର୍ଚ୍ଚ : ଖୋର୍ଦ୍ଧା ଜିଲ୍ଲା ପାଇଁ ଆରମ୍ଭ ହେବାକୁ ଯାଉଥିବା ସୋଆ ଏନ୍‌ଏସ୍‌ଏସ୍ ବ୍ୟୁରୋ ଦ୍ୱାରା ଆୟୋଜିତ ଦୁଇ ଦିନିଆ ‘ବିକଶିତ ଭାରତ ଯୁବ ସଂସଦ ୨୦୨୫’ କାର୍ଯ୍ୟକ୍ରମ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) କ୍ୟାମ୍ପସର ବାଂଶୁରୀଗୁରୁ ଅଡିଟୋରିୟମ୍‌ରେ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖୋର୍ଦ୍ଧା ଜିଲ୍ଲା ପାଇଁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟକୁ ‘ବିକଶିତ ଭାରତ ଯୁବ ସଂସଦ ୨୦୨୫’ର ନୋଡାଲ କେନ୍ଦ୍ର ଭାବେ ଚୟନ କରିଥିବାରୁ ନେହେରୁ ଯୁବ କେନ୍ଦ୍ର ସଂଗଠନ ଭୁବନେଶ୍ୱର ଓ ଏନ୍‌ଏସ୍‌ଏସ୍ ଭୁବନେଶ୍ୱରକୁ ସାଧୁବାଦ ଦେଇଥିଲେ ।
କାର୍ଯ୍ୟକ୍ରମରେ ସୋଆ ଆଉଟ୍‌ରିଚ୍ ନିର୍ଦ୍ଦେଶକ ତଥା ଏନ୍‌ଏସ୍‌ଏସ୍ ବ୍ୟୁରୋର କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ଡକ୍ଟର ନଚିକେତା ଶର୍ମା ସମସ୍ତ ଅତିଥିବୃନ୍ଦଙ୍କୁ ସ୍ୱାଗତ କରି ସେମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏନଏସ୍‌ଏସ୍ ଭୁବନେଶ୍ୱରର ଯୁବ ଅଧିକାରୀ ଶ୍ରୀ ଅଜିତ କୁମାର ଯୁବ ସଂସଦ କାର୍ଯ୍ୟକ୍ରମର ଗଠନ ଉପରେ ବକ୍ତବ୍ୟ ରଖିଥିଲେ ।
ଏନଏସଏସ୍ ଭୁବନେଶ୍ୱରର ଆଂଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ ତାଙ୍କ ବକ୍ତବ୍ୟରେ କହିଥିଲେ ‘ଭାରତ ସରକାରଙ୍କର ଏହି ‘ବିକଶିତ ଭାରତ ଯୁବ ସଂସଦ ୨୦୨୫’ କାର୍ଯ୍ୟକ୍ରମ ଅନେକ ଯୁବାପ୍ରତିଭାଙ୍କୁ ଆଗକୁ ଆସିବାର ସୁଯୋଗ ପ୍ରଦାନ କରିଛି ଏବଂ ସେମାନଙ୍କ ପ୍ରତିଭା ଓ ବିଚାରକୁ ସର୍ବ ସମ୍ମୁଖରେ ଉପସ୍ଥାପିତ କରିବାର ସୁଯୋଗ ପ୍ରଦାନ କରିଛି । ସେହିପରି ନେହେରୁ ଯୁବ କେନ୍ଦ୍ର ସଂଗଠନ ଭୁବନେଶ୍ୱର (ପୂର୍ବାଂଚଳ)ର ଆଂଚଳିକ ନିର୍ଦ୍ଦେଶକ ଶ୍ରୀ ଶିବାଜୀ ମୁରଲୀଧର ଖରାଟ ମଧ୍ୟ କହିଥିଲେ ଯେ ଆମ ଯୁବ ବକ୍ତାଙ୍କୁ ଶୁଣିଲେ ଲାଗେ ଆମ ଭାରତରେ କେତେ ପ୍ରତିଭାପୂର୍ଣ୍ଣ ଯୁବକ ଅଛନ୍ତି ।
ନେହେରୁ ଯୁବ କେନ୍ଦ୍ର ସଂଗଠନର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିପିନ କୁମାର ତାଙ୍କ ଅଭିଭାଷଣରେ କହିଥିଲେ ଯେ ପୂର୍ବରୁ କରୋନା ସମୟରେ ଏହି କାର୍ଯ୍ୟକ୍ରମ ଅନ୍‌ଲାଇନ୍ ମାଧ୍ୟମରେ ହେଉଥିଲା । ଏବେ ଅଫଲାଇନ୍ ମାଧ୍ୟମରେ ହେଉଛି ଯେଉଁଥିରେ ଅଂଶଗ୍ରହଣ କରିଥିବା ଯୁବାମାନେ ଭାରତର ବିକାଶ ପାଇଁ ତାଙ୍କ ବକ୍ତବ୍ୟ ରଖିବେ ଏବଂ ଯୁବ ସଂସଦ ପାଇଁ ମନୋନୀତ ହେବେ ।
କାର୍ଯ୍ୟକ୍ରମର ସଂଯୋଜକ ସୋଆ ଏନଏସଏସ୍ ବ୍ୟୁରୋ ଡକ୍ଟର କମଳଲୋଚନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରୁ ପ୍ରାୟ ୧୨୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟ ‘ଏକ ଦେଶ, ଏକ ନିର୍ବାଚନ’ ରହିଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଉଥିବା ବେଳେ ୫ ଜଣ ବିଚାରକ ଭୂମିକା ତୁଲାଇବେ ।


Share It

Comments are closed.