ଭିଜିଲାନ୍ସ ଦୁର୍ନୀତି ମାମଲାରେ ସୁବର୍ଣ୍ଣପୁରର ପୂର୍ବତନ ପୌର ଅଧିକାରୀ ଦୋଷୀ ସାବ୍ୟସ୍ତ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ପୌରପାଳିକାର ପୂର୍ବତନ ସହକାରୀ ଟିକସ କଲେକ୍ଟର (ଅବସରପ୍ରାପ୍ତ) ଶ୍ରୀ ଶିବରାମ ସାହୁ ଭିଜିଲାନ୍ସ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବଲାଙ୍ଗୀର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ତାଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।
ଶ୍ରୀ ସାହୁଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୧)(ସି)(ଡି) ଓ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଧାରା ୪୦୯ ଅନୁଯାୟୀ ଜଳ ଯୋଗାଣ ସଂଯୋଗ ଶୁଳ୍କ, ନିର୍ମାଣ ଶୁଳ୍କ, କ୍ୟାବିନ୍ ପାଇଁ ଲାଇସେନ୍ସ ଫି, ସାପ୍ତାହିକ ବଜାର ଶୁଳ୍କ ଓ ପାର୍କିଂ ଫି’ ବାବଦରେ ଆଦାୟ ହୋଇଥିବା ସରକାରୀ ପାଣ୍ଠିର ଅପବ୍ୟବହାର ପାଇଁ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଟିକସଦାତାଙ୍କୁ ରସିଦ ପ୍ରଦାନ ସତ୍ତ୍ୱେ ଶ୍ରୀ ସାହୁ ଓଡ଼ିଶା ମ୍ୟୁନିସିପାଲିଟି ନିୟମ-୧୯୫୩ ଅନୁଯାୟୀ ସଂଗୃହୀତ ପାଣ୍ଠିକୁ ପୌରପାଳିକାର ଦୈନିକ ସଂଗ୍ରହ ରେଜିଷ୍ଟରରେ ଜମା କରିବାରେ ବିଫଳ ହୋଇଥିଲେ।
ଦୋଷୀ ସାବ୍ୟସ୍ତ ହେବା ପରେ ଓଡ଼ିଶା ଭିଜିଲାନ୍ସ ଏବେ ଆଇନଗତ ବ୍ୟବସ୍ଥା ଅନୁଯାୟୀ ଶ୍ରୀ ସାହୁଙ୍କ ପେନସନ୍ ବନ୍ଦ କରିବା ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେବ।
ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସାଧାରଣ ପ୍ରଶାସନରେ ଉତ୍ତରଦାୟିତ୍ବ ଓ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧତା ଜାରି ରହିଛି।
Comments are closed.