ଜୟ ନାରାୟଣଙ୍କ ମନ୍ତବ୍ୟକୁ ନେଇ ରାଜ୍ୟରେ ଘନେଇବାରେ ଲାଗିଛି ବିବାଦ, ସ୍ପଷ୍ଟିକରଣ ରଖିଲେ ମନ୍ତ୍ରୀ, ସରକାରଙ୍କୁ ଘେରିଲେ ସସ୍ମିତ
ଜୟ ନାରାୟଣଙ୍କ ମନ୍ତବ୍ୟକୁ ନେଇ ରାଜ୍ୟରେ ବିବାଦ ଘନେଇବାରେ ଲାଗିଥିବାବେଳେ ଏପଟେ ସରକାରଙ୍କୁ ଘେରିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ସପଟେ ରାଜ୍ୟର ବିଜେପି ସରକାରଙ୍କୁ ବିବାଦରୁ ଦୂରେଇ ରଖିବା ପାଇଁ ସ୍ପଷ୍ଟିକରଣ ରଖିଲେ ମନ୍ତ୍ରୀ ପୃଥବୀରାଜ ହରିଚନ୍ଦନ ।
ରାଜ୍ୟ ସରକାରଙ୍କୁ କାଠଗଡାକୁ ଟାଣି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, “ମାତ୍ର କିଛି ମାସ ଶାସନରେ ଆସିବା ପରେ, ବିଜେପିର ରାଜନୀତି ଅତ୍ୟନ୍ତ ନିମ୍ନସ୍ତରକୁ ପହଞ୍ଚିଛି।
ଯେପରିକି:
୧. ଓଡ଼ିଶାର ବରପୁତ୍ର ବିଜୁବାବୁଙ୍କର ଓଡ଼ିଶା ପ୍ରତି ଅବଦାନ ଏବଂ ତାଙ୍କର ଐତିହ୍ୟକୁ ଲିଭାଇବାକୁ ଉଦ୍ୟମ।
୨. ବିଜୁବାବୁଙ୍କ ନାମରେ ଥିବା କ୍ରୀଡା ପୁରସ୍କାରକୁ ନାମ ପରିବର୍ତ୍ତନ କରିବାର ଚେଷ୍ଟା।
୩. ପଞ୍ଚାୟତି ରାଜ ଦିବସକୁ ଅନ୍ୟ ତାରିଖରେ ସ୍ଥାନାନ୍ତର ଏବଂ ଛୁଟି ବାତିଲ କରିବା ।
୪. ବିଜୁବାବୁଙ୍କ ମୂର୍ତ୍ତିକୁ ନଷ୍ଟ କରିବାଭଳି ଧ୍ଵଂସକାରି ଉଦ୍ୟମ।
ବିଜେପିର ଏହିଭଳି କାର୍ଯ୍ୟକ୍ରମ ଅତ୍ୟନ୍ତ ନିନ୍ଦନୀୟ। ଓଡ଼ିଶାବାସୀ ବିଜେପିକୁ ବାଛିକି ଭୁଲ କରିଛନ୍ତି ଏବଂ ଏବେ ସେଥିପାଇଁ ପ୍ରାୟଶ୍ଚିତ ମଧ୍ୟ କରୁଛନ୍ତି। ତେଣୁ, ଆମେ ଏହି ବିଷୟରେ ରାଜ୍ୟର ବିଧାନ ସଭାରେ ସ୍ୱର ଉତ୍ତୋଳନ କରିଛୁ ଏବଂ ଏହା ଉପରେ ପାର୍ଲିଆମେଣ୍ଟରେ ମଧ୍ୟ ଆମେ ସ୍ୱର ଉଠାଇବୁ।”
ସପଟେ ରାଜ୍ୟର ବିଜେପି ସରକାରଙ୍କୁ ବିବାଦରୁ ଦୂରେଇ ରଖିବା ପାଇଁ ସ୍ପଷ୍ଟିକରଣ ରଖି ମନ୍ତ୍ରୀ ପୃଥବୀରାଜ ହରିଚନ୍ଦନ କହିଛନ୍ତି ଯେ, “ମାନ୍ୟବର ବରିଷ୍ଠ ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ବିଧାନସଭା ବାହାରେ ଯେଉଁ ବିବୃତି ଦେଇଥିଲେ, ସେ ବିବୃତି ସହ ସରକାର ସହମତି ନୁହଁନ୍ତି। ଏହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମତାମତ ଅଟେ। ସମଗ୍ର ଓଡ଼ିଶା ପ୍ରଦେଶ ତଥା ଓଡ଼ିଶାର ଏକତା ଓ ଅଖଣ୍ଡତା ପାଇଁ ଆମ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରତିଶ୍ରୁତିବଦ୍ଧ ଅଟନ୍ତି। ଏ ନେଇ କାହା ମନରେ କୈାଣସି ପ୍ରକାର ଦ୍ବନ୍ଦ ରହିବାର ଆବଶ୍ୟକତା ନାହିଁ,ରାଜ୍ୟର ସାମଗ୍ରିକ ବିକାଶ ପାଇଁ ସରକାର ସଦା ସର୍ବଦା କାର୍ଯ୍ୟରତ ଏବଂ ଆମେ ସମସ୍ତେ ଜାଣିଛେ ‘ପଶ୍ଚିମ ଓଡ଼ିଶା ବିକାଶ ପରିଷଦ’ କୁ ଅଧିକ ସଶକ୍ତ ଓ କ୍ରିୟାଶୀଳ କରିବା ସହିତ ‘ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ’ ଓ ‘ଉତ୍ତର ଓଡ଼ିଶା ବିକାଶ ପରିଷଦ’ ଗଠନ କରି ସରକାର ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଗଠନମୂଳକ କାର୍ଯ୍ୟ କରୁଛନ୍ତି ଏବଂ ଏହି ପ୍ରକ୍ରିୟା ଜାରିରହିବ।
ସେହି ଦୃଷ୍ଟିକୋଣରୁ ମୁଁ କହିବାକୁ ଚାହେଁ, ରାଜନୀତିରେ ଆଲୋଚ଼ନା, ସମାଲୋଚନା, ବିକ୍ଷୋଭ ପ୍ରଦର୍ଶନୀ ଆଦି କ୍ଷେତ୍ରରେ ସାମ୍ବିଧାନିକ ଅଧିକାର ରହିଛି। କିନ୍ତୁ ବିଧାନସଭା ଗୃହରେ ଯେଉଁଭଳି ଭାବେ ଆଜି ବିରୋଧିଦଳ ପକ୍ଷରୁ ହିଂସାତ୍ମକ ଓ ଅସଂସଦୀୟ ଆଚ଼ରଣ କରାଗଲା। ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଗ୍ରହଣଯୋଗ୍ଯ ନୁହେଁ। ସରକାର ଯେକୌଣସି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଏବଂ ଆମେ ବିରୋଧି ଦଳକୁ ଯେ କୌଣସି ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିବା ପାଇଁ ଆମନ୍ତ୍ରଣ କରୁଛୁ । ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ତଥା ରାଜ୍ୟକୁ ବିକାଶ ଓ ପ୍ରଗତି ରାସ୍ତାରେ ଚ଼ଳାଇବାକୁ ଆମେ ମିଳିମିଶି କାର୍ଯ୍ୟ କରିବା ଓ ଗୃହକୁ ମିଳିମିଶି ଚଳାଇବା ପାଇଁ ମାନ୍ୟବର ବିରୋଧି ଦଳର ସମସ୍ତ ସଦସ୍ୟଙ୍କୁ ବିନୀତ ଅନୁରୋଧ କରୁଛି।
”
Comments are closed.