କିସ୍‍କୁ ବାରମ୍ବାର ବଦନାମ କରି ବନ୍ଦ କରିବା ପାଇଁ ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲ୍‍ ଚଳାଇଥିବା ଷଡ଼ଯନ୍ତ୍ର ବିରୋଧରେ କିସ୍‍ର ପୁରାତନ, ବର୍ତ୍ତମାନର ଛାତ୍ରଛାତ୍ରୀ ସଂଘ ଆଗକୁ ଆସିଛନ୍ତି

Share It

ଭୁବନେଶ୍ୱର: କିସ୍‍କୁ ବାରମ୍ବାର ବଦନାମ କରି ବନ୍ଦ କରିବା ପାଇଁ ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲ୍‍ ଚଳାଇଥିବା ଷଡ଼ଯନ୍ତ୍ର ବିରୋଧରେ କିସ୍‍ର ପୁରାତନ, ବର୍ତ୍ତମାନର ଛାତ୍ରଛାତ୍ରୀ ସଂଘ ଆଗକୁ ଆସିଛନ୍ତି । ଆଜି ଏ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଛାତ୍ରଛାତ୍ରୀମାନେ କହିଛନ୍ତି କିଟ୍ ବିଶ୍ୱବିଦ୍ୟାଳୟରେ ଘଟିଥିବା ଅଭାବନୀୟ ଘଟଣା ପ୍ରସଙ୍ଗ ଛାଡ଼ି ଏବେ ଏହି ଟିଭି ଚ୍ୟାନେଲ୍‍ କିସ୍‍ ପଛରେ ଲାଗିଛନ୍ତି । ଦୀର୍ଘ ୨୨ ଦିନ କାଳ ଏଭଳି ନକାରତ୍ମକ ସମ୍ବାଦ ପରିବେଷଣକୁ ସମସ୍ତ ସଂଘ ବିରୋଧ କରିବା ସହ ଘୋର ନିନ୍ଦା କରିଛନ୍ତି । କୌଣସି କାରଣ ନଥାଇ, କିସ୍‍କୁ ଆକ୍ରମଣ କରିବା କେତେଦୂର ଯୁକ୍ତିଯୁକ୍ତ? କିଟ୍‍ ହେଉଛି ଆମର ଭାତହାଣ୍ଡି, କିସ୍‍ ହେଉଛି ଆମର ହୃତପିଣ୍ଡ । ଦୁଇଟି ଟିଭି ଚ୍ୟାନେଲ୍‍ କିସ୍‍କୁ ବଦନାମ କରିଚାଲିଛନ୍ତି । କିସ୍‍ ଏବେ ଇଜି ଟାର୍ଗେଟ ହୋଇଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
୪୦ ହଜାର ଆଦିବାସୀ ଛାତ୍ରଛାତ୍ରୀ ଏଠାରୁ ପାଠ ପଢ଼ିସାରିଲେଣି, ଆଉ ୪୦ ହଜାର ଛାତ୍ରଛାତ୍ରୀ ଏବେ ପାଠ ପଢ଼ୁଛନ୍ତି । ଯେଉଁଭଳି ଭାବେ ନିର୍ଦ୍ଦଷ୍ଟ ଦୁଇଟି ଟିଭି ଚ୍ୟାନେଲ୍‍ କିସ ଓ ଏହାର ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସେମାନେ କହିଛନ୍ତି ଦୀର୍ଘ ୩୩ବର୍ଷ ଧରି ସେମାନଙ୍କ ପିଲା କିସ୍‍ରେ ପାଠ ପଢୁଛନ୍ତି, ହେଲେ କୌଣସି ଛାତ୍ରଛାତ୍ରୀ କିମ୍ବା ଅଭିଭାବକ କିସ୍‍ ବିରୋଧରେ କିଛି ବି ଅଭିଯୋଗ ଆଣିନାହାନ୍ତି ।
ଯେଉଁମାନେ ସେମାନଙ୍କ ପିଲାଙ୍କୁ କେବେ କିଛି ବି ଦେଇ ନାହାନ୍ତି କିମ୍ବା ସେମାନଙ୍କ ଭଲ ମନ୍ଦରେ କଥା ପଦେ ବି କହିନାହାନ୍ତି, ସେମାନେ କାହିଁକି ଉପରେ ପଡ଼ି କିସ୍ କଥା ଭାବୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଏଭଳି ବଦନାମ କରି ଆଦିବାସୀମାନଙ୍କୁ ପୁଣି ଜଙ୍ଗଲକୁ ଫେରାଇ ଦିଆଯିବା ନିମନ୍ତେ ଷଡ଼ଯନ୍ତ୍ର ଚାଲିଥିବା ସେମାନେ ଅଭିଯୋଗ କରିଛନ୍ତି ।
ବିଶେଷ କରି ଓଟିଭି ଓ ଏହାର ପ୍ରତିଷ୍ଠାତା ଯେଉଁଭଳି ଢ଼ଙ୍ଗରେ କିସ୍‍ ପଛରେ ଲାଗିଛନ୍ତି, ଏଥିରୁ ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ହେବା ଏକ ପ୍ରକାର ନିଶ୍ଚିତ ହୋଇଛି ବୋଲି ସେମାନେ ଆଶଙ୍କା ପ୍ରକଟ କରିଛନ୍ତି ।
କିସ୍‍ ଘଟଣାକୁ ୨୨ ଦିନ ବିତି ଯାଇଥିଲେ ମଧ୍ୟ ମୂଳ ପ୍ରସଙ୍ଗରୁ ଦୂରେଇ ଓଟିଭି ଲଗାତାର କିସ୍‍ ଓ ଏହାର ପ୍ରତିଷ୍ଠାତାଙ୍କ ବିରୋଧରେ କପୋଳକଳ୍ପିତ, ମନଗଢ଼ା ଖବର ପ୍ରସାରଣ କରି ଓଟିଭି ଓ ଏହାର ପ୍ରତିଷ୍ଠାତାଙ୍କ ନକରାତ୍ମକ ମନୋଭାବ ଓ ମନ୍ଦ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଛି ବୋଲି ସେମାନେ କହିଛନ୍ତି । ଓଟିଭି କିସ୍‍କୁ ବନ୍ଦ କରିଦେବାକୁ ବସିଛି, ଅଥଚ ଓଟିଭିକୁ ବିରୋଧ କରିବା କଣ ଆଦିବାସୀଙ୍କ ଭୁଲ୍‍ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
ଓଟିଭି ଦ୍ୱାରା ଉଦ୍ଦେଶ୍ୟ ପ୍ରଣୋଦିତ ଖବର ପ୍ରସାରଣ ତାର କୁତ୍ସିତ ମନୋଭାବକୁ ପ୍ରତିପାଦିତ କରୁଛି । ଓଟିଭି ଏଭଳି ହୀନ ଖବର ପ୍ରସାରଣ ବନ୍ଦ କରିବା ସହ ଏହାର ପ୍ରତିଷ୍ଠାତା ଓ ଓଟିଭି ନିସର୍ତ୍ତ କ୍ଷମା ନ ମାଗନ୍ତି, ତେବେ ଖୁବ୍‍ ଶୀଘ୍ର ୪୦ ହଜାର କିସ୍‍ ପିଲା ଓଟିଭି ଅଫିସ ଘୋରାଓ କରିବେ । ଏହା ସହ ଓଡ଼ିଶା ସମେତ ୧୫ଟି ରାଜ୍ୟରୁ କିସ୍‍ରେ ଥିବା ୮୦ ହଜାର କିସ୍‍ ପିଲା ଓ ତାଙ୍କ ସହ ଜଡ଼ିତ ୮ଲକ୍ଷ ଆଦିବାସୀ ପରିବାର ୧୫ଟି ରାଜ୍ୟରେ ଓଟିଭି ଆଉ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆନ୍ଦୋଳନ କରିବେ ଏବଂ ଓଟିଭିର ସମସ୍ତ ରିପୋର୍ଟରଙ୍କୁ ସବୁଠି ବିରୋଧ କରିବେ ବୋଲି କହିଛନ୍ତି ।
ଆଦିବାସୀମାନେ ଅତ୍ୟନ୍ତ ସରଳ ଓ ଶାନ୍ତ । ସେମାନଙ୍କୁ ମାନସିକ ନିର୍ଯାତନା ଦେଇ ଅଶାନ୍ତି ସୃଷ୍ଟି କଲେ ସେମାନେ ବାଧ୍ୟ ହୋଇ ସମସ୍ତ ଜିଲ୍ଲାରେ ପ୍ରଦର୍ଶନ ଆରମ୍ଭ କରିବେ । ଆଇନର ଆଶ୍ରୟ ନେବା ସହ ଗଣମାଧ୍ୟମର ଆଶ୍ରୟ ନେବେ ବୋଲି ସେମାନେ ସୂଚନା ଦେଇଛନ୍ତି । ଏହା ସହ ଗରିବ ଆଦିବାସୀ ପିଲାମାନଙ୍କୁ ଶାନ୍ତିରେ ରହି ପାଠ ପଢ଼ିବାକୁ ସୁଯୋଗ ଦେବା ପାଇଁ ସେମାନେ ଅନୁରୋଧ କରିଛନ୍ତି । ଇତି ମଧ୍ୟରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାର ସମସ୍ତ ବିଧାୟକ ଓ ସାଂସଦମାନଙ୍କୁ ସେମାନଙ୍କ ଦୁଃଖ ଜଣାଇଛନ୍ତି ।
ଏହି ଅବସରରେ ସେମାନେ ସମସ୍ତ ଶୁଭେଚ୍ଛୁଙ୍କୁ କୃତଜ୍ଞତା ଜଣାଇବା ସହ କିସ୍‍କୁ ବନ୍ଦ କରିବାକୁ ନେଇ ଏଭଳି ଷଡ଼ଯନ୍ତ୍ର ପରେ ସେମାନେ କିସ୍‍ରେ ରହିବେ ନା ପୁଣି ଜଙ୍ଗଲକୁ ଫେରିଯିବେ ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ ପଚାରିଛନ୍ତି ।


Share It

Comments are closed.