୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୩ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ  ୩୦୦ କୋଟି ଟଙ୍କାର ସୁଧଫେରସ୍ତ ହେବ- ମୁଖ୍ୟମନ୍ତ୍ରୀ

Share It

ଭୁବନେଶ୍ୱର: ସ୍ଥାନୀୟ ଜନତା ମୈଦାନ ଠାରେ ଆୟୋଜନ “ସୁଭଦ୍ରା ଶକ୍ତି” ମେଳାର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  କହିଥିଲେ ଯେ, ୨୦୨୪-୨୫ ଆର୍ଥିକ ବର୍ଷରେ ୩ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୩୦୦ କୋଟି ଟଙ୍କାର ସୁଧ ଫେରସ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ  ଘୋଷଣା କରିଥିଲେ ।

ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଯେପରି ଜୀବିକା ଅର୍ଜନରେ ଅଧିକ ସହାୟତା ପାଇବେ ଏବଂ ଅଧିକ ପୁଞ୍ଜି ବିନିଯୋଗ କରି ନିଜ ଉଦ୍ୟୋଗକୁ ଆଗକୁ ବଢାଇବେ, ସେଥିପାଇଁ ସେମାନଙ୍କ ସୁଧଛାଡ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ରାଜ୍ୟ ସରକାର ସୁଧ ଫେରସ୍ତ ବ୍ୟବସ୍ଥା କରିଛନ୍ତି ।

ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ସହାୟତା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଚଳିତ ବର୍ଷ ଆମ ସରକାର, ରାଜ୍ୟର ପ୍ରାୟ ୫.୮୦ ଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ଦିଆଯାଉଥିବା Revolving Fundର ପରିମାଣକୁ ଦୁଇଗୁଣା କରିଛନ୍ତି । ୧୫ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ଏବଂ ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡରେଶନ ବା ଜିପିଏଲଏଫ ମାନଙ୍କୁ ପ୍ରଦାନ କରାଯାଉଥିବା Community Investment Fundକୁ ୩୫ ଲକ୍ଷରୁ ୬୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହା ଦ୍ଵାରା ଏହି ଅନୁଷ୍ଠାନ ଗୁଡିକ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇପାରିବ ଓ ଭବିଷ୍ୟତରେ ମା’ ମାନେ ଏଥିରୁ ଅଧିକ ଲାଭାନ୍ଵିତ ହେବେ, ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଆଜି ଆରମ୍ଭ ହୋଇଥିବା ଏହି ସୁଭଦ୍ରା ଶକ୍ତି ମେଳାରେ ୭୦୦ ରୁ ଅଧିକ ଏସଏଚଜି ମାନେ ୩୦୦ ରୁ ଅଧିକ ଷ୍ଟଲରେ ୨୦୦ରୁ ଅଧିକ ସାମଗ୍ରୀର ପ୍ରଦର୍ଶନ କରିଛନ୍ତି । ଏହି ମେଳା ୯ ଦିନ ଧରି ଚାଲିବ । ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଓ କଳାକୃତି, ମିଲେଟ ଓ ଅର୍ଗାନିକ ଉତ୍ପାଦ, ଖାଦ୍ୟ ଓ ମସଲା ସାମଗ୍ରୀ, ଟେରାକୋଟା ଓ ବାଉଁଶ ଶିଳ୍ପ ଆଦି ଅନେକ ଉତ୍ପାଦ ସ୍ଥାନ ପାଇଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏ ମେଳା କେବଳ ଏକ ସାଧାରଣ ପ୍ରଦର୍ଶନୀ ନୁହେଁ । ଏହା ଆମ ଓଡ଼ିଶାର ମା’, ଭଉଣୀ ଏବଂ ଝିଅମାନଙ୍କର ସଫଳତାର କାହାଣୀ । ସେମାନଙ୍କ ପ୍ରତିଭା, ଦକ୍ଷତା ଓ ଉଦ୍ୟମର ନିଦର୍ଶନ । ଆମ ସରକାର ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଏକ ଆନ୍ଦୋଳନ । ବ୍ୟକ୍ତିଗତ ସ୍ତରରେ ହେଉ ବା ଗ୍ରୁପ ସ୍ତରରେ ହେଉ, ପ୍ରତ୍ୟେକ ମହିଳା ଯେପରି ଦକ୍ଷ ଉଦ୍ୟୋଗୀ ହୋଇ, ଆର୍ଥିକ ସ୍ୱତନ୍ତ୍ରତା ହାସଲ କରିବେ, ସେଥିପାଇଁ ଆମର ଉଦ୍ୟମ ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ।


Share It

Comments are closed.