ଫେବୃଆରୀ ୧୩ରୁ ଏକାଦଶ ଅନ୍ତର୍ଜାତୀୟ ରେଡିଓ ମେଳା

• ବର୍ଣ୍ଣାଳି ହୋତାଙ୍କୁ ଉପେନ୍ଦ୍ର କୁମାର ପାହାଡ଼ସିଂହ ମେମୋରିଆଲ ଆୱାର୍ଡ • ସାମିଲ ହେବେ ନେପାଳର ପାଞ୍ଚଟି ରେଡିଓ ଷ୍ଟେସନର ପ୍ରତିନିଧି

Share It

ଭୁବନେଶ୍ୱର : ଚଳିତ ମାସ ୧୩ ଏବଂ ୧୪ ତାରିଖରେ ଏକାଦଶ ଆଉଟରିଚ ଆନ୍ତର୍ଜାତୀୟ ରେଡ଼ିଓ ମେଳା ସ୍ଥାନୀୟ ଭଞ୍ଜ କଳା ମଣ୍ଡପରେ ଅନୁଷ୍ଠିତ ହେବ। ଏହା ଏସିଆ ମହାଦେଶର ଏକମାତ୍ର ରେଡ଼ିଓ ମେଳା। ଏହି ମେଳାରେ ଦେଶର ଅନେକ ରେଡିଓ ପ୍ରସାରକ ଓ ଷ୍ଟେସନ ଯୋଗଦେବେ। ପ୍ରସାରଣ କ୍ଷେତ୍ରରେ ଉତ୍କର୍ଷତା ପାଇଁ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନକୁ ସମ୍ମାନିତ କରାଯିବ। ମେଳାରେ ୩ ହଜାରରୁ ଅଧିକ ପୁରୁଣା ରେଡ଼ିଓ, ପ୍ରସାରଣ ସାମଗ୍ରୀ, ହାମ୍ ରେଡ଼ିଓ ଓ ଗ୍ରାମଫୋନ ପ୍ରଦର୍ଶନ କରାଯିବ। ଫେବୃଆରୀ ୧୩ ତାରିଖ ବିଶ୍ଵ ରେଡିଓ ଦିବସକୁ ସ୍ମରଣୀୟ କରିବା ପାଇଁ ଆଉଟରିଚ ପ୍ରତିବର୍ଷ ଏଭଳି ଆୟୋଜନ କରୁଛି। ଦେଶର ବିଭିନ୍ନ ରାଜ୍ୟରୁ ହାମ୍ ରେଡ଼ିଓ ଏହି ମେଳାରେ ଯୋଗ ଦେବେ। ଏହାଛଡ଼ା ରାଜ୍ୟର ଅନେକ କମ୍ୟୁନିଟି ରେଡିଓ ଷ୍ଟେସନ ମଧ୍ୟ ମେଳାରେ ସାମିଲ ହେବେ ।
ମେଳାରେ ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହେବ। ନୃତ୍ୟ, ଗୀତ ଓ ଚିତ୍ରାଙ୍କନ, ରିପୋର୍ଟ ରାଇଟିଙ୍ଗ ସହ ତର୍କ ପ୍ରତିଯୋଗିତାରେ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିପାରିବେ। କଲେଜ ଛାତ୍ରଛାତ୍ରୀ ମାନେ ରେଡିଓ ସମ୍ବାଦ ପଠନ ପ୍ରତିଯୋଗିତାରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିବେ। ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ। ପ୍ରତିଯୋଗିତା ପାଇଁ ଛାତ୍ରଛାତ୍ରୀ ମାନେ ଅନଲାଇନ ଏବଂ ସ୍ପଟ୍ ପଞ୍ଜୀକରଣ କରିପାରିବେ।
ଚଳିତ ବର୍ଷ ରେଡ଼ିଓ ମେଳାରେ ନେପାଳ କମ୍ୟୁନିଟି ରେଡିଓ ପ୍ରସାରକ ସଙ୍ଘ(ACORAB)ର ସଭାପତି ଅର୍ଜୁନ ଗିରି ଯୋଗ ଦେବେ। ଏହା ସହ କାଲିନଚୋକ ଏଫଏମର ଜୀବନ ଲାମା, ହଜୁରକୋ ରେଡିଓର ଦୀପକ କୁମାର ଘିମିରେ ଏବଂ ତମାକୋଶୀ ଏଫଏମର ସରୋଜ ରାଜ ସୁବେଦୀ ଓ ରେଡିଓ ନେପାଳର ପ୍ରଦୀପ କାଫଲେ ସାମିଲ ହେବେ।
ଏହି ଅବସରରେ ଲୋକପ୍ରିୟ କଣ୍ଠଶିଳ୍ପୀ ବର୍ଣ୍ଣାଳି ହୋତାଙ୍କୁ ଉପେନ୍ଦ୍ର କୁମାର ପାହାଡ଼ସିଂହ ମେମୋରିଆଲ ଆଓ୍ଵାର୍ଡ, ଆକାଶବାଣୀର ଅବସରପ୍ରାପ୍ତ ପ୍ରୋଗ୍ରାମ ଏଗଜିକ୍ୟୁଟିଭ ଅଭୟ ଦାସଙ୍କୁ ନଦିଆ ବିହାରୀ ସ୍ମୃତି ସମ୍ମାନ ଦିଆଯିବ। କେନ୍ଦୁଝରର ରେଡିଓ ଜୁହାରକୁ ଜଣ ସେବାରେ ରେଡିଓର ସର୍ବୋକୃଷ୍ଟ ବ୍ୟବହାର ପାଇଁ ସମ୍ମାନିତ କରାଯିବ। ରେଡିଓ ମେଳାରେ ବୋଲଗଡ଼ର ଅକ୍ଷୟ ପଟ୍ଟନାୟକ ଏବଂ ଭୁବନେଶ୍ବରର ରାଜେନ୍ଦ୍ର ସାହୁ ରେଡ଼ିଓ ସଂଗ୍ରାହକ ଭାବେ ଯୋଗ ଦେବେ ବୋଲି ରେଡିଓ ମେଳାର ଆୟୋଜକ ସୁବ୍ରତ କୁମାର ପତି ଏକ ପ୍ରେସ ମିଟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ସହାୟତାରେ ରେଡିଓ ମେଳାରେ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ।


Share It

Comments are closed.