ଆଜିଠୁ ଆରମ୍ଭ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍
ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଶେଷ ହୋଇଛି। ଏହି ସିରିଜ୍କୁ ଭାରତ ୪-୧ରେ ଜିତିଥିଲାବେଳେ ଆଜିଠାରୁ ହେବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ଘରୋଇ ଦଳ ସମାନ ଫଳାଫଳ ଆଶା କରୁଛି। କିନ୍ତୁ ଏହି ଫର୍ମାଟରେ ଭାରତ ଏକତ୍ର ହୋଇ ଖୁବ୍ କମ୍ ମ୍ୟାଚ୍ ଖେଳିଛି। ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲ ପରେ ଭାରତ ଗତବର୍ଷ ଅଗଷ୍ଟରେ ଶେଷଥର ଦିନିକିଆ ଖେଳିଥିଲା। ଶ୍ରୀଲଙ୍କା ବିପକ୍ଷ ଏହି ସିରିଜ୍ରେ ଭାରତ ୦-୨ରେ ଶୋଚନୀୟ ପରାଜୟ ବରଣ କରିଥିଲା। ୨୦୨୩ରେ ବିଶ୍ୱକପ୍ ଫାଇନାଲ ଖେଳିଥିବା ଦଳ ଓ ଏବେ ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ଖେଳିବାକୁ ଯାଉଥିବା ଦଳରେ ବିଶେଷ ପରିବର୍ତ୍ତନ ହୋଇନାହିଁ।
ଶ୍ରୀଲଙ୍କାଠାରୁ ପରାଜିତ ହେବା ପରେ ଏହି ଦଳ ଯେ ଅପରାଜେୟ ତାହା ମଧ୍ୟ କହିହେଉ ନାହିଁ। ଦୁଇ କିଂବଦନ୍ତୀ ଖେଳାଳି ରୋହିତ – କୋହଲି ଭାରତର ଏବେ ମଧ୍ୟ ଭାଗ୍ୟ ବିଧାତା ହୋଇ ଏହି ସିରିଜ୍ ଖେଳିବାକୁ ଯାଉଛନ୍ତି। ଏବେ ଏହି ଦୁଇ ଖେଳାଳିଙ୍କ ପୂର୍ବ ଫର୍ମ କିମ୍ବା ପ୍ରାଧାନ୍ୟ ନାହିଁ। ଖେଳ ଜୀବନର ଶେଷ ଭାଗରେ ପହଞ୍ଚିଥିବା ଏହି ଦୁଇ ଖେଳାଳିଙ୍କ ଭବିଷ୍ୟତ, ଆସନ୍ତା ୧୯ରୁ ପାକିସ୍ତାନ ଆୟୋଜନ କରୁଥିବା ଚାମ୍ପିଅନ୍ସ ଟ୍ରଫି ଲାଗି ଏହି ସିରିଜ୍ରୁ ଭାରତ ସ୍ପଷ୍ଟ ସମୀକରଣ ପାଇବା ଲକ୍ଷ୍ୟରେ ରହିଛି। ଲୋକେଶ ରାହୁଲ ଓ ଋଷଭ ପନ୍ତ୍ଙ୍କ ଭୂମିକା ବା ୱିକେଟରକ୍ଷକ ଭାବେ କିଏ ଖେଳିବେ ତାହା ମଧ୍ୟ ସ୍ଥିର ହେବ। ନିଜେ ଅଧିନାୟକ ରୋହିତ ଶର୍ମା ଫର୍ମରେ ନ ଥିଲାବେଳେ କିଏ କେଉଁ ପୋଜିସନରେ ଖେଳିବେ ତାହା ମଧ୍ୟ ନିଷ୍ପତ୍ତି ନିଆଯିବ। ଅନେକଙ୍କ ମତ ଭବିଷ୍ୟତରେ ଭାରତ ଲାଗି ଦୀର୍ଘଦିନ ଖେଳିବାକୁ ଯାଉଥିବା ଶୁବମାନ ଗିଲ ଓ ଯଶସ୍ୱୀ ଜୟସ୍ୱାଲ ଇନିଂସ ଓପନ କରନ୍ତୁ। କିନ୍ତୁ ରୋହିତଙ୍କ ଉପସ୍ଥିତିରେ ଏହା ସମ୍ଭବ ହେବ ବୋଲି ଆଶା କରାଯାଉନି। ତଥାପି ଦୁଇ ଯୁବ ଖେଳାଳି ଆଗକୁ ଗଲେ ଭାରତ ଫାଇଦାରେ ରହିବ ବୋଲି ଆଶା କରାଯାଏ। କିନ୍ତୁ ଟେଷ୍ଟ ଫର୍ମାଟରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଥିବା ଭାରତୀୟ ଦଳର ଖେଳାଳିମାନେ ଯେଉଁ ଆଘାତ ନେଇ ଏହି ସିରିଜ୍ ଖେଳିବାକୁ ଆସିଛନ୍ତି ସେଥିରେ କିପରି ମଲମ ଲଗାଇବେ ତାହା ଦେଖିବାର କଥା।
ସେହିପରି ଦିନିକିଆ ବିଶ୍ୱକପ୍ ପରେ ଇଂଲଣ୍ଡ ମଧ୍ୟ ଅଧିକ ମ୍ୟାଚ୍ ଖେଳିନାହିଁ। ଏହା ମଧ୍ୟରେ ଦଳରେ ଅନେକ ଖେଳାଳି ପରିବର୍ତ୍ତିତ ହୋଇଯାଇଛନ୍ତି। ଭେଟେରାନ ଖେଳାଳି ଜୋ ରୁଟ୍ ଦିନିକିଆ ବିଶ୍ୱକପ୍ ପରେ ପ୍ରଥମଥର ଲାଗି ଦଳକୁ ଫେରିଛନ୍ତି। ଜୋଶ ବଟ୍ଟଲର ଟି-୨୦ ସିରିଜ୍ରେ ସେପରି କିଛି କରିପାରି ନାହାନ୍ତି। ଭାରତୀୟ ମାଟିରେ ତାଙ୍କର ଢେ଼ର ଅଭିଜ୍ଞତା ରହିଛି। ଦିନିକିଆ ସିରିଜ୍ରେ ବଟ୍ଟଲର ତାଙ୍କ ଫର୍ମ ଫେରିପାଇବେ ବୋଲି ଇଂଲଣ୍ଡ ସମର୍ଥକ ଆଶା ରଖିଛନ୍ତି। ବିଶ୍ୱକପ୍ ପରେ ଦଳ ୧୧ଟି ଦିନିକିଆ ଖେଳିଛି। ଏହା ମଧ୍ୟରୁ ୭ଟି ମ୍ୟାଚ୍ରେ ୮ କିମ୍ବା ତା’ଠାରୁ ଅଧିକ ୱିକେଟ ହରାଇଛି। ଯୁବ ଖେଳାଳିଙ୍କୁ ନେଇ ବଟ୍ଟଲର କିଛି ନୂଆ କରିବେ ବୋଲି ଆଶା କରୁଛନ୍ତି। ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ଚୂଡାନ୍ତ ଏକାଦଶ ଘୋଷଣା କରିସାରିଛି। ଫାଷ୍ଟ ବୋଲର ମାର୍କ ଉଡ୍ଙ୍କୁ ବିଶ୍ରାମ ଦେଇଥିଲାବେଳେ ୪ଜଣ ଫ୍ରଣ୍ଟ ଲାଇନ୍ ବୋଲର ଯଥା ଜୋଫ୍ରା ଆର୍ଚର, ବ୍ରାଇଡନ କାର୍ସ, ସାକିବ ମହମ୍ମଦ୍ ଓ ଆଦିଲ ରଶିଦ୍ଙ୍କୁ ନେଇ ଖେଳିବ। ୫ମ ବୋଲର କୋଟା ପୂରଣ କରିବେ ୩ କାମଚଳା ବୋଲର। ଲିଆମ ଲିଭିଙ୍ଗଷ୍ଟୋନ୍, ଜୋ ରୁଟ ଓ ଜ୍ୟାକବ ବେଥେଲ ଏହି କୋଟା ପୂରଣ କରିବେ।
ନାଗପୁରର ପିଚ୍ ଯେପରି ମନ୍ଥର ରୁହେ, ଠିକ୍ ସେହିପରି ଟର୍ଣ୍ଣ ମଧ୍ୟ ନିଏ। ଏଭଳି ପିଚ୍ରେ ଭାରତ ୩ଜଣ ସ୍ପିନରଙ୍କୁ ଖେଳାଇବ। ବାମହାତୀ ସ୍ପିନର କୁଲଦୀପ ପ୍ରଥମ ପସନ୍ଦର ବୋଲର ଭାବେ ଖେଳିବେ। ଦଳରେ ଥିବା ୩ଜଣ ସ୍ପିନ୍ ବୋଲିଂ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦରଙ୍କ ମଧ୍ୟରୁ ଦୁଇ ଜଣ ଖେଳିବା ପ୍ରାୟ ନିଶ୍ଚିତ୍। ଏପରି ବି ହୋଇପାରେ ଟି-୨୦ ସିରିଜ୍ରେ ଇଂଲଣ୍ଡର କଣ୍ଟା ସାଜିଥିବା ଲେଗ୍ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଚୂଡାନ୍ତ ଏକାଦଶରେ ଖେଳିପାରନ୍ତି। ଅର୍ଶଦୀପ ସିଂହ, ମହମ୍ମଦ୍ ସାମି ଓ ହାର୍ଦ୍ଦିକ ପାଣ୍ଡ୍ୟା ପେସ୍ ବୋଲିଂ ଦାୟିତ୍ୱ ସମ୍ଭାଳିବେ।
Comments are closed.