ରକ୍ତଦାନ କରି ରୋଗୀଙ୍କୁ ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ରେଢ଼ାଖୋଲ : ରକ୍ତହୀନତାରେ ପୀଡ଼ିତ ଜଣେ ଗୁରୁତର ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ୧୦୮ ଆମ୍ବୁଲାନ୍ସର ଜଣେ କର୍ମଚାରୀ । ଘଟଣାନୁଯାୟୀ ଚାରମଳ ଅଂଚଳର ଦିପ୍ତିମୟୀ ପ୍ରଧାନ(୧୮ବର୍ଷ) ନାମକ ଜଣେ ଯୁବତୀ ରକ୍ତହୀନତାରେ ପୀଡ଼ିତ ହୋଇ ଗତ ଦୁଇ ତିନି ଧରି ରେଢ଼ାଖୋଲ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ଏହା ମଧ୍ୟରେ ଯୁବତୀଙ୍କର ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା କରୁଥିବା ଡାକ୍ତର ଏସ.ବ୍ରହ୍ମା ରୋଗୀଙ୍କ ସମ୍ପର୍କୀୟଙ୍କୁ ତୁରନ୍ତ ବି’ପଜିଟିଭ ବ୍ଲଡଗ୍ରୁପର ରକ୍ତ ଯୋଗାଡ଼ କରିବାକୁ ପରାମର୍ଶ ଦେଇଥିଲେ । ନଚେତ ରୋଗୀଙ୍କ ଅବସ୍ଥା ଆହୁରି ଗୁରୁତର ହୋଇଯିବ ବୋଲି ସେ ଜଣାଇଥିଲେ ।
ମାତ୍ର ଏହି ସମୟରେ ଡାକ୍ତରଖାନାରେ ଏହି ବ୍ଲଡଗ୍ରୁପର ରକ୍ତ ଉପଲବ୍ଧ ନଥିଲା । ଏହି ସମୟରେ ସେ କୌଣସି ଏକ ବ୍ୟକ୍ତିଙ୍କ ଠାରୁ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ବିଭିନ୍ନ ସମୟରେ ଅସହାୟ ରୋଗୀଙ୍କୁ ରକ୍ତଦାନ କରୁଥିବା ବିଷୟରେ ଜାଣିବାକୁ ପାଇଲେ । ତେଣୁ ରୋଗୀଙ୍କ ସମ୍ପର୍କୀୟ ସେଠାରେ ଉପସ୍ଥିତ ଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ରକ୍ତଦାନ କରିବା ପାଇଁ ଅନୁରୋଧ କରିଥିଲେ । ସୌଭାଗ୍ୟବସତଃ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ସୁଜିତ କୁମାର ସାହୁଙ୍କ ବ୍ଲଡ ଗ୍ରୁପ ମଧ୍ୟ ବି’ପଜିଟିଭ ଥିଲା । ତେଣୁ ସେ ଆଉ କୌଣସି ପ୍ରକାରର ବିଳମ୍ବ ନକରି ତୁରନ୍ତ ଯାଇ ରୋଗୀଙ୍କୁ ରକ୍ତଦାନ କଲେ । ତାଙ୍କର ଏଭଳି ମାନବିକତା ରୋଗୀଙ୍କୁ ଏକ ନୂଆ ଜୀବନ ଦେଇଛି ।
Comments are closed.