ରୋଜର ବିନ୍ନି ହେଲେ ବିସିସିଆଇର ନୂତନ ଅଧ୍ୟକ୍ଷ
ବିସିସିଆଇର ନୂତନ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି । ମୁମ୍ବାଇରେ ମଙ୍ଗଳବାର ବସିଥିବା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡର ସୌରଭ ଗାଙ୍ଗୁଲିଙ୍କ ପରେ ଏବେ ରୋଜର୍ ବିନ୍ନିଙ୍କ ନାଁରେ ସମସ୍ତ ବୋର୍ଡର ସଦସ୍ୟ ମୋହର ମାରିଛନ୍ତି। ନିର୍ଦ୍ୱନ୍ଦ୍ୱରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବିନ୍ନି। ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଷ୍ଟାର ଓ ୧୯୮୩ ବିଶ୍ବକପ୍ ବିଜେତା ଟିମ୍ର ସଦସ୍ୟ ରୋଜର ବିନ୍ନି ବିସିସିଆଇ ୩୬ ତମ ଅଧ୍ୟକ୍ଷ ହୋଇଛନ୍ତି।
ବିସିସିଆଇର ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକ ମୁମ୍ବାଇର ତାଜ୍ ହୋଟେଲରେ ହୋଇଥିଲା। ଏଥିରେ ବସିସିଆଇ ସଚିବ ଜୟ ଶାହ, ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ଉପାଧ୍ୟକ୍ଷ ରାଜୀବ ଶୁକ୍ଲା, କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ ଓ ପୂର୍ବତନ ଭାରତୀୟ କ୍ରିକେଟର୍ ରୋଜର ବିନ୍ନି ସାମିଲ ହୋଇଥିଲେ। ଜୟ ଶାହ ପୂର୍ବ ଭଳି ବିସିସିଆଇର ସଚିବ ଭାବରେ ଦାୟିତ୍ବ ଗ୍ରହଣ କରିବେ।
ବିନ୍ନି ଭାରତର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଇଛନ୍ତି। ୬୭ ବର୍ଷୀୟ ରୋଜର ବିନ୍ନି ବିସିସିଆଇ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଏକମାତ୍ର ପ୍ରାର୍ଥୀ ଥିଲେ। ଏହା ପୂର୍ବରୁ ବିନ୍ନି କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ଆସୋସିଏସନର ସଭାପତି ଥିଲେ ଏବଂ ସେ ବିସିସିଆଇ ସଭାପତି ହେବା ପରେ ବର୍ତ୍ତମାନ ରାଜ୍ୟ କ୍ରିକେଟ୍ ଆସୋସିଏସନର ସଭାପତି ପଦରୁ ଇସ୍ତଫା ଦେବେ। ୧୯୮୩ ବିଶ୍ୱ ବିଜୟୀ ଭାରତୀୟ କ୍ରିକେଟ୍ ଟିମ୍ରେ ଥିଲେ ରୋଜର୍ ବିନ୍ନି। କପିଲ ଦେବଙ୍କ ସହ ଘନିଷ୍ଠ ଥିବା ବିନ୍ନି ସେତେବେଳର ଧୂଆଁଧାର ପେସ୍ ବୋଲର୍ ସହ ଅଲରାଉଣ୍ଡର ଭାବେ ବେଶ୍ ପରିଚିତ ଥିଲେ। ୮୩ ବିଶ୍ୱକପ୍ର ସର୍ବାଧିକ ୱିକେଟ୍ ନେଇଥିବା ରେକର୍ଡ ବି ବିନ୍ନିଙ୍କ ନାଁରେ ରହିଛି। ଏବେ ବିନ୍ନି ବିସିସିଆଇର ନୂଆ ବସ୍ ହୋଇଛନ୍ତି।
Comments are closed.