ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଇଣ୍ଡିଆ ୨୦୨୨
ଭୁବନେଶ୍ୱର : ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଇଣ୍ଡିଆ ୨୦୨୨ ଆସନ୍ତା କାଲିଠାରୁ (ଅକ୍ଟୋବର ୧୧ ତାରିଖ) ଆରମ୍ଭ ହେବାକୁ ଯାଉଛି ଏବଂ ଏଥିପାଇଁ ସମସ୍ତ ୧୬ଟି ଅଂଶଗ୍ରହଣକାରୀ ଦଳ ଭେନ୍ୟୁରେ ପହଂଚିସାରିଛନ୍ତି । ଓଡିଶା ଓ ଗୋଆରେ ଟୁର୍ଣ୍ଣାମେଂଟ୍ର ଓପ୍ନିଙ୍ଗ ଗେମ୍ ଖେଳାଯିବ ଏବଂ ଆୟୋଜକ ରାଷ୍ଟ୍ର ଭାରତ ଆସନ୍ତାକାଲି ରାତି ୮ଟାରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ୟୁଏସ୍ଏ ବିପକ୍ଷରେ ପଡିଆକୁ ଓହ୍ଲାଇବ । ଇଣ୍ଡିଆ ଗ୍ରୁପ୍ରେ ମରୋକ୍କୋ ଓ ବ୍ରାଜିଲ୍ ମଧ୍ୟ ରହିଛନ୍ତି । ମରୋକ୍କୋ ଓ ବ୍ରାଜିଲ ମଧ୍ୟରେ ଗୋଆରେ ଆଉ ଏକ ଓପ୍ନିଙ୍ଗ ମ୍ୟାଚ୍ ଖେଳାଯିବ । ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଂଟ୍ର ୭ମ ସଂସ୍କରଣରେ ୪ଟି ଗ୍ରୁପ୍- ଏ, ବି, ସି ଓ ଡି ରହିଛନ୍ତି ଏବଂ ଟୁର୍ଣ୍ଣାମେଂଟ୍ର ୩ୟ ଭେନ୍ୟୁ ହେଉଛି ନଭି ମୁମ୍ବାଇ ଯେଉଁଠାରେ ଆସନ୍ତା ଅକ୍ଟୋବର ୩୦ ତାରିଖରେ ଗ୍ରାଣ୍ଡ୍ ଫିନାଲେ ମ୍ୟାଚ୍ ଖେଳାଯିବ । ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଇଣ୍ଡିଆ ୨୦୨୨, ୩ ଜଣ ପୂର୍ବତନ ଚାମ୍ପିଅନ ଫ୍ରାନ୍ସ, ଜାପାନ ଓ ସ୍ପେନ୍ର ଅଂଶଗ୍ରହଣ ଦେଖିବ ।
ଗ୍ରୁପ୍ ଏ’ରେ ଡେବ୍ୟୁଟାଂଟ୍ ଇଣ୍ଡିଆ ଓ ମରୋକ୍କୋ, ବ୍ରାଜିଲ ଓ ୟୁଏସ୍ଏ ସହ ଯୋଗ ଦେବେ । ୨୦୧୭ରେ ପୁରୁଷ ଦଳ ପରେ ଏବେ ଭାରତର ୧୭ ବର୍ଷରୁ କମ୍ ମହିଳା ଦଳ ପ୍ରଥମ ଥର ପାଇଁ ଫିଫା ବିଶ୍ୱକପ୍ରେ ଖେଳିବାକୁ ଯାଉଛି । ଗ୍ରୁପ୍ ବି’ରେ ପ୍ରଶଂସକଙ୍କ ପସନ୍ଦର ଟିମ୍ ଜର୍ମାନୀ ସମେତ ନାଇଜେରିଆ, ଚିଲୀ ଓ ନ୍ୟୁଜିଲ୍ୟାଣ୍ଡ ରହିଛନ୍ତି । ନାଇଜେରିଆ ୫ ଥର ଏହି ଟୁର୍ଣ୍ଣାମେଂଟ୍ ଖେଳିଥିବା ବେଳେ ୩ ଥର କ୍ୱାଟର ଫାଇନାଲକୁ ଯାଇଛି । ନାଇଜେରିଆ ଖେଳାଳିମାନେ ଏହି ପ୍ରତିଯୋଗିତାର ସମସ୍ତ ଗେମ୍ର ୫୦% ମ୍ୟାଚ୍ ଜିତିଛନ୍ତି । ସେହିପରି ଚିଲୀ ୨ୟ ଥର ପାଇଁ ଏହି ଟୁର୍ଣ୍ଣାମେଂଟ୍ରେ ଭାଗ ନେଉଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଟୁର୍ଣ୍ଣାମେଂଟ୍ର ଉଦ୍ଘାଟନୀ ସଂସ୍କରଣ ଆୟୋଜନ କରିଥିଲା । ନ୍ୟୁଜିଲ୍ୟାଣ୍ଡ ୨୦୧୮ରେ ବ୍ରୋଞ୍ଜ୍ ମେଡାଲ ମଧ୍ୟ ଜିତିଥିଲା । ଗ୍ରୁପ୍ ସି’ରେ ଡିଫେଣ୍ଡିଙ୍ଗ୍ ଚାମ୍ପିଅନ ସ୍ପେନ୍ ସହିତ ମେକ୍ସିକୋ, କୋଲମ୍ବିଆ ଓ ଚୀନ୍ ରହିଛନ୍ତି । ଟୁର୍ଣ୍ଣାମେଂଟ୍ର ଅନ୍ୟତମ ସର୍ବୋତମ ଟିମ୍ ସ୍ପେନ୍ ଦୁଇଟି ବ୍ରୋଞ୍ଜ୍, ଗୋଟିଏ ସିଲ୍ଭର ଓ ଗୋଟିଏ ଗୋଲ୍ଡ ମେଡାଲ ଜିତିଛି । ଏହାଛଡା ମେକ୍ସିକୋ ମଧ୍ୟ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ରେ ନିରନ୍ତର ଉନ୍ନତ ପ୍ରଦର୍ଶନ ଦେଇଆସିଛି । ମେକ୍ସିକୋ ୨୦୧୮ରେ ରନର୍-ଅପ୍ ହୋଇଥିବା ବେଳେ ୨୦ଟି ମ୍ୟାଚ୍ରୁ ୮ଟିରେ ଜିତିଥିବା ବେଳେ ୮ଟିରେ ପରାଜିତ ହୋଇଛି ।
କୋଲମ୍ବିଆ ମୋଟ ୧୨ଟି ମ୍ୟାଚ୍ରୁ କେବଳ ଗୋଟିଏରେ ଜିତିଥିବା ବେଳେ ୪ଟି ଡ୍ର’ ରଖିଥିଲା, ତେବେ ଏହି ଦେଶ ସବୁବେଳେ ଟୁର୍ଣ୍ଣାମେଂଟ୍ର କମ୍ପିଟିଟିଭ୍ ସାଇଡ୍ରେ ରହିଆସିଛି । ଚୀନ୍ ୩ୟ ଥର ପାଇଁ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ରେ ଭାଗ ନେବାକୁ ଯାଉଛି । ଚୀନ୍ ମୋଟ ୬ଟିରୁ ୨ଟି ଗେମ୍ ଜିତିଛି । ଅନ୍ୟପକ୍ଷରେ ଗ୍ରୁପ୍’ ଡିରେ ଜାପାନ, ତାଞ୍ଜାନିଆ, କାନାଡା ଓ ଫ୍ରାନ୍ସ ରହିଛନ୍ତି । ଏସିଆନ ଫୁଟ୍ବଲର ପାୱାରହାଉସ୍ ଜାପାନ୍ ସବୁବେଳେ କ୍ୱାଟର୍-ଫାଇନାଲରେ ପ୍ରବେଶ କରିଥିବା ବେଳେ ୩ଟି ଫାଇନାଲ ଖେଳିଛି ଓ ୨୦୧୪ରେ ଟାଇଟଲ ଜିତିଛି । ୩୦ଟି ଗେମ୍ରୁ ଜାପାନ ୨୨ଟି ଗେମ୍ ଜିତିଥିବା ବେଳେ କେବଳ ୨ଟିରେ ପରାଜିତ ହୋଇଛି । କାନାଡା ଗତ ସଂସ୍କରଣରେ ୪ର୍ଥ ସ୍ଥାନରେ ରହିଥିଲା ବେଳେ ଏହା ମୋଟ ୨୬ଟି ଗେମ୍ରୁ ୯ଟିରେ ବିଜୟୀ ହୋଇଛି । ପୂର୍ବତନ ଚାମ୍ପିଅନ ଫ୍ରାନ୍ସର ପ୍ରତିଯୋଗିତାରେ ୫୦%ର ରେକର୍ଡ ରହିଛି ଏବଂ ଏହା ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ର ଦୁଇଟି ସଂସ୍କରଣରେ ବିଜୟୀ ହୋଇଛି । ତେବେ ତାଞ୍ଜାନିଆ ପ୍ରଥମ ଥର ପାଇଁ ଫିଫା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛି ।
Comments are closed.