ମାଓନେତା ସବ୍ୟସାଚୀ ପଣ୍ଡା ଅସୁସ୍ଥ
ଦୀର୍ଘ ୮ବର୍ଷ ଧରି ବ୍ରହ୍ମପୁର ସର୍କଲ ଜେଲ୍ରେ ଥିବା ମାଓନେତା ସବ୍ୟସାଚୀ ପଣ୍ଡା ଅସୁସ୍ଥ ଥିବା ସୂଚନା ମିଳିଛି । ସେ ଦୁଇ ମାସ ହେଲା କାନ ଓ ଦାନ୍ତ ଯନ୍ତ୍ରଣା ଯୋଗୁଁ ଚିକିତ୍ସିତ ହେଉଛନ୍ତି । ଦୁଇ ମାସ ମଧ୍ୟରେ ଏମ୍କେସିଜି ଇଏନ୍ଟି ବିଭାଗରେ ୭ରୁ ୮ ଥର ଚିକିତ୍ସିତ ହେଲେଣି । ଇଏନ୍ଟି ବିଭାଗରେ ତାଙ୍କର ଦାନ୍ତ ଅସ୍ତ୍ରୋପଚାର ହେବ । ନୂଆ ଦାନ୍ତ ପ୍ରତିରୋପଣ ହୋଇପାରେ । କିନ୍ତୁ ଏ ନେଇ କିଛି ତାରିଖ ନିର୍ଦ୍ଧାରିତ ହୋଇନାହିଁ । ଦାନ୍ତ ଓ କାନରେ ଯନ୍ତ୍ରଣା କାରଣରୁ ସେ ଜେଲ୍ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଏମ୍କେସିଜିରେ ବିଶେଷଜ୍ଞଙ୍କ ନିକଟରେ ଚିକିତ୍ସିତ ହେଉଛନ୍ତି ।
ବ୍ରହ୍ମପୁର ଜେଲର ସତ୍ୟନାରାୟଣ ବେହେରାଙ୍କୁ ପଚାରିବାରେ କହିଛନ୍ତି, ସବ୍ୟସାଚୀ ଦାନ୍ତ ଓ କାନରେ ଯନ୍ତ୍ରଣା କାରଣରୁ ଏମ୍କେସିଜିରେ ଚିକିତ୍ସିତ ହେଉଛନ୍ତି । ଡାକ୍ତରଙ୍କ ପ୍ରେସ୍କ୍ରିପସନ୍ ପ୍ରକାରେ ତାଙ୍କର ଚିକିତ୍ସା ଚାଲିଛି । ସେପଟେ ଏମ୍କେସିଜିରେ ତାଙ୍କର ଅସ୍ତ୍ରୋପଚାର ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିଲେ ମଧ୍ୟ କେବେ ଅସ୍ତ୍ରୋପଚାର ହେବ ସେ ନେଇ ସ୍ପଷ୍ଟ ହୋଇପାରି ନାହିଁ । ୨୦୧୪ ଜୁଲାଇ ୧୬ତାରିଖରେ ବଡ଼ ବଜାର ଥାନା ଅଞ୍ଚଳରୁ ସବ୍ୟସାଚୀଙ୍କୁ ପୁଲିସ ଗିରଫ କରିଥିଲା । ସେବେଠାରୁ ସେ ବ୍ରହ୍ମପୁର ଜେଲ୍ରେ ଅଛନ୍ତି । ଏମ୍କେସିଜିରେ ତାଙ୍କର ଅସ୍ତ୍ରୋପଚାର ହେବା ପୂର୍ବରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।
Comments are closed.