ଆମେରିକା କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ବୈଷୟିକ ମୁଖ୍ୟ ହେଲେ ଭାରତୀୟ ବଂଶୋଦ୍ଭବ
ଭାରତୀୟ ବଂଶୋଦ୍ଭବ ବୈଷୟିକ ବୃତ୍ତିଧାରୀ ମୁଲଚନ୍ଦାନୀଙ୍କୁ ସିଆଇଏର ପ୍ରଥମ ସିଟିଓ ଭାବେ ଚୟନ କରାଯାଇଛି । ଦିଲ୍ଲୀର ଏକ ସ୍କୁଲରେ ପାଠ ପଢିଥିବା ସିଲିକନ୍ ଭ୍ୟାଲିର ଆଇଟି ବିଶେଷଜ୍ଞ ନନ୍ଦ ମୁଲଚନ୍ଦାନୀ ପ୍ରଥମ ଭାରତୀୟ ଯିଏ ଭାରତୀୟ-ଆମେରିକୀୟ ଅଟନ୍ତି ଏବଂ ତାଙ୍କୁ ଆମେରିକାର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା (ସିଆଇଏ)ରେ ବଡ ପଦବୀ ମିଳିଛି । ନିର୍ଦ୍ଦେଶକ ୱିଲିୟମ୍ ଜେ ବର୍ନସ୍ ସୋସିଆଲ ମିଡିଆରେ ଏହି ପ୍ରତିଷ୍ଠିତ ପଦବୀର ଘୋଷଣା କରିଛନ୍ତି । ସିଆଇଏ ଅନୁସାରେ ମୁଲଚନ୍ଦାନୀଙ୍କ ନିକଟରେ ସିଲିକନ୍ ଭ୍ୟାଲିରେ ବିଶେଷଜ୍ଞ ଭାବେ କାମ କରିବାର ୨୫ ବର୍ଷର ଅଭିଜ୍ଞତା ରହିଛି ।
ସିଆଇଏରେ ସାମିଲ ହେବା ପୂର୍ବରୁ ମୁଲଚନ୍ଦାନୀ ପ୍ରତିରକ୍ଷା ବିଭାଗର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସେଣ୍ଟରର ସିଟିଓ ଏବଂ କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ କାମ କରୁଥିଲେ । ସେ ଜଣେ ସିରିଏଲ ଉଦ୍ୟୋଗୀ ଭାବେ ଅନେକ ସଫଳ ଷ୍ଟାର୍ଟଅପ୍ର ସିଇଓ ମଧ୍ୟ ରହିସାରିଛନ୍ତି । ସେଗୁଡିକ ହେଲା ଓବ୍ଲିକ୍ସ (ଓରାକଲ୍ ଦ୍ବାରା ଅଧିଗ୍ରହିତ), ଡିଟରମିନା (ଭିଏମୱେୟର୍ ଦ୍ବାରା ଅଧିଗ୍ରହିତ), ଓପନ୍ଡିଏନ୍ଏସ୍ (ସିସ୍କୋ ଦ୍ବାରା ଅଧିଗ୍ରହିତ) ଏବଂ ସ୍କେଲଏକ୍ସଟ୍ରିମ୍ (ସାଇଟ୍ରିକ୍ସ ଦ୍ବାରା ଅଧିଗ୍ରହିତ) । ସେ ଭେଞ୍ଚର କ୍ୟାପିଟାଲ୍ ଫର୍ମ ଏକ୍ସେଲ ପାର୍ଟନର୍ସରେ ଉତ୍ପାଦ ଏବଂ ବିକାଶ ରଣନୀତି ଉପରେ କମ୍ପାନୀମାନଙ୍କୁ ପରାମର୍ଶ ଦେଉଥିବା ଜଣେ ଉଦ୍ୟୋଗୀ ମଧ୍ୟ ଥିଲେ ।
ସିଆଇଏ ଟ୍ବିଟ୍ କରି କହିଛି ଯେ, ସିଆଇଏ ନିର୍ଦ୍ଦେଶକ ଓ୍ବିଲିୟମ୍ ଜେ ବର୍ନସ ନନ୍ଦ ମୁଲଚନ୍ଦାନୀଙ୍କୁ ସିଆଇଏର ପ୍ରଥମ ମୁଖ୍ୟ ବୈଷୟିକ ଅଧିକାରୀ (ସିଟିଓ) ନିଯୁକ୍ତ କରିଛନ୍ତି । ୨୫ ବର୍ଷରୁ ଅଧିକ ଅଭିଜ୍ଞତା ସହିତ ମୁଲଚନ୍ଦାନୀ ଏହା ନିଶ୍ଚିତ କରିବେ ଯେ ଏଜେନ୍ସି ସିଆଇଏ ଅଭିଯାନରେ ଅତ୍ୟାଧୁନିକ ଉଦ୍ଭାବନର ଲାଭ ଉଠାଇବେ ।
ମୁଲଚନ୍ଦାନୀ କହିଥିଲେ ଯେ, ମୁଁ ଏହି ଭୂମିକାରେ ସିଆଇଏରେ ସାମିଲ ହୋଇ ଗର୍ବ ଅନୁଭବ କରୁଛି । ଏଜେନ୍ସୀର ଟେକ୍ନୋଲୋଜିଷ୍ଟ ଏବଂ ଡୋମେନ୍ ବିଶେଷଜ୍ଞମାନଙ୍କ ଦଳରେ କାମ କରିବାକୁ ନେଇ ଉତ୍ସାହିତ । ଯେଉଁମାନେ ବ୍ୟାପକ ପ୍ରଦ୍ୟୋଗିକୀ ରଣନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରିବା ପାଇଁ ବିଶ୍ବସ୍ତରୀୟ ବୁଦ୍ଧିମତା ଏବଂ କ୍ଷମତା ପ୍ରଦାନ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ମୁଲଚନ୍ଦାନୀ ଦିଲ୍ଲୀରେ ବ୍ଲୁବେଲ୍ସ ସ୍କୁଲ ଇଣ୍ଟରନ୍ୟାସନାଲପେ ପାଠ ପଢିଛନ୍ତି । ଏହା ବ୍ୟତୀତ ସେ କର୍ନେଲରୁ କମ୍ପ୍ୟୁଟର ସାଇନ୍ସ ଏବଂ ଗଣିତରେ ଡିଗ୍ରୀ ହାସଲ କରିଛନ୍ତି । ଷ୍ଟେନଫୋର୍ଡରୁ ମ୍ୟାନେଜମେଣ୍ଟରେ ମାଷ୍ଟର ଅଫ୍ ସାଇନ୍ସ ଏବଂ ହାଭାର୍ଡରୁ ସାଧାରଣ ପ୍ରଶାସନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।
Comments are closed.