ଦ୍ୱିତୀୟ ଡୋଜ୍‌ ନେବାର ୬ ମାସ ପରେ ଦିଆଯାଇପାରେ ବୁଷ୍ଟର ଡୋଜ୍‌

Share It

ଦେଶରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ବଡ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛନ୍ତି କେନ୍ଦ୍ର ସରକାର । ଭ୍ୟାକସିନର ଦ୍ୱିତୀୟ ଡୋଜ୍‌ ଏବଂ ବୁଷ୍ଟର ଡୋଜ୍‌ ମଧ୍ୟରେ ଦୂରତା କମାଇବା ପାଇଁ ବିଚାର କରାଯାଉଛି । ଖୁବଶୀଘ୍ର ଦ୍ୱିତୀୟ ଡୋଜ୍‌ ଭ୍ୟାକସିନ୍‌ ଏବଂ ବୁଷ୍ଟର ଡୋଜ୍‌ ମଧ୍ୟରେ ସମୟ ସୀମା ୬ ମାସକୁ ହ୍ରାସ କରାଯାଇପାରେ । ଏହା ପୂର୍ବରୁ ଦ୍ୱିତୀୟ ଡୋଜ୍‌ ନେବାର ୯ମାସ ପରେ ବୁଷ୍ଟର ନେଉଥିଲେ ।

ଏ ନେଇ ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୨୯ ତାରିଖରେ ନେସନାଲ ଇମ୍ୟୁନାଇଜେସନ୍‌ ଟେକ୍ନିକାଲ ଆଡଭାଇଜରୀ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଏଥିରେ ବୁଷ୍ଟର ଡୋଜ୍‌ ନେବାର ସମୟ ସୀମାକୁ କମ କରିବାକୁ ସୁପାରିଶ କରିପାରେ କମିଟି । ଏହା ପୂର୍ବରୁ ICMR ଏବଂ ଅନ୍ୟ ଇଣ୍ଟରନ୍ୟାସନାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ଆଣ୍ଟିବଡିକୁ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ । ଉଭୟ ଡୋଜ୍‌ ନେବାର ୬ ମାସ ପରେ ଶରୀରରେ ଆଣ୍ଟିବଡି ସ୍ତର କମିଯାଇଥାଏ । ସେଥିପାଇଁ ବୁଷ୍ଟର ଡୋଜ୍‌ ଦେଇ ଇମିନ୍ୟୁ ସିଷ୍ଟମକୁ ବୃଦ୍ଧି କରାଯାଏ । କିଛିଦିନ ପୂର୍ବରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ମାନଙ୍କୁ ବୁଷ୍ଟର ଡୋଜ୍‌ ଦେବା ନେଇ ଘୋଷଣା କରାଯାଇଥିଲା ।

ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ବିଭିନ୍ନ ପରୀକ୍ଷଣ ପରେ ବୁଷ୍ଟର ଡୋଜ୍‌ ନେବା ଅବଧି ହ୍ରାସ କରିବା ପାଇଁ ବିଚାର କରାଯାଉଛି । ଖୁବଶୀଘ୍ର ଏ ନେଇ ନିଷ୍ପତ୍ତି ନେଇପାରନ୍ତି କେନ୍ଦ୍ର ସରକାର । ବୁଷ୍ଟର ଡୋଜ୍‌ ନେବାର ଅନ୍ତର ୯ ମାସରୁ କମାଇ ୬ ମାସ କରାଯିବା ନେଇ ବିମର୍ଷ ଚାଲିଛି । ତେବେ ଶୁକ୍ରବାର NTAGIର ବୈଠକରେ ଯଦି ଗ୍ରୀନ୍‌ ସିଗନାଲ ମିଳେ ତେବେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।

ସୂଚନାଯୋଗ୍ୟ, ଭାରତରେ ଜାନୁଆରୀ ୧୦ ତାରିଖରୁ ବୁଷ୍ଟର ଡୋଜ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିବା ନେଇ ଘୋଷଣା ହୋଇଥିଲା । ପରେ ଏପ୍ରିଲ ମାସରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ଙ୍କୁ ବୁଷ୍ଟର୍‌ ଡୋଜ ଜାରି ରହିଛି । ଭାରତରେ ବର୍ତ୍ତମାନ ୫ ଲକ୍ଷ ୧୭ ହଜାରରୁ ଉର୍ଦ୍ଧ୍ୱଙ୍କୁ ବୁଷ୍ଟର ଡୋଜ୍‌ ଦିଆଯାଇ ସାରିଥିବା ବେଳେ ୬୦ ବର୍ଷରୁ ଉର୍ଦ୍ଧ୍ୱ ୧ କୋଟି ୪୫ ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ବୁଷ୍ଟର ଡୋଜ୍‌ ନେଇସାରିଛନ୍ତି ।


Share It

Comments are closed.