ରୋହିତ ଓ ବୁମରାଙ୍କୁ ‘ୱିସ୍‌ଡେନ’ ପୁରସ୍କାର, ପ୍ରଥମ ଥର ଦୁଇ ଭାରତୀୟଙ୍କୁ ମିିଳିଲା ସମ୍ମାନ

Share It

କ୍ରିକେଟ୍‌ର ବାଇବେଲ ‘ୱିସ୍‌ଡେନ’ ପତ୍ରିକା ପକ୍ଷରୁ ଗୁରୁବାର ୨୦୨୨ ସିଜନ ପାଇଁ ବାର୍ଷିକ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ଦୁଇଜଣ ଭାରତୀୟ କ୍ରିକେଟର ପ୍ରଥମ ଥର ‘ୱିସ୍‌ଡେନ କ୍ରିକେଟର ଅଫ୍‌ ଦ ଇୟର’ ପୁରସ୍କାର ପାଇଛନ୍ତି । ସେମାନେ ହେଲେ ଅଧିନାୟକ ରୋହିତ ଶର୍ମା ଓ ପେସ୍‌ ବୋଲର ଯଶପ୍ରୀତ ବୁମରା । ଉଭୟଙ୍କ ବ୍ୟତୀତ ନ୍ୟୁଜିଲାଣ୍ଡ ଓପନର ଡେଭନ କନ୍‌ୱେ, ଇଂଲଣ୍ଡ ପେସ୍‌ ବୋଲର ଓଲି ରବିନସନ୍‌ ଏବଂ ଦକ୍ଷିଣ ଆଫ୍ରିକା ମହିଳା ଦଳର ଷ୍ଟାର୍‌ ଅଲରାଉଣ୍ଡ ଭାନ୍‌ ନିକର୍କ ମଧ୍ୟ ଏହି ପୁରସ୍କାର ପାଇଛନ୍ତି ।

ଇଂଲଣ୍ଡ ଟେଷ୍ଟ ଦଳର ପୂର୍ବତନ ଅଧିନାୟକ ଜୋ ରୁଟ ଓ ଦକ୍ଷିଣ ଆଫ୍ରିକାର ଲିଜେଲ ଲି’ ୱିସ୍‌ଡେନ ଶ୍ରେଷ୍ଠ କ୍ରିକେଟର ଅଫ୍‌ ଦ ଇୟର (ପୁରୁଷ, ମହିଳା) ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଅନ୍ୟ ପଟରେ ପାକିସ୍ତାନର ୱିକେଟ୍‌ କିପର ବ୍ୟାଟର ମହମ୍ମଦ ରିଜୱାନ୍‌ ବିଶ୍ୱର ଶ୍ରେଷ୍ଠ ଟି-ଟ୍ୱେଣ୍ଟି ଖେଳାଳି ପୁରସ୍କାର ପାଇଛନ୍ତି ।

୨୦୨୧ ସିଜନରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ୮ଟି (ଘରୋଇ, ବିଦେଶ) ଟେଷ୍ଟ ଖେଳିଥିଲା । ସେଥିମଧ୍ୟରୁ ଭାରତ ୫ଟି ଜିତିଥିବାବେଳେ ୨ଟିରେ ପରାଜିତ ହୋଇଥିଲା । ଭାରତୀୟ ଦଳର ସଫଳତା ପଛରେ ରୋହିତ ଓ ବୁମ୍‌ରାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଇଂଲଣ୍ଡ ଗସ୍ତରେ ବୁମରା ୧୮ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ବ୍ୟାଟିଂରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଥିଲେ ।

ସେହିପରି ରୋହିତ ଇଂଲଣ୍ଡ ଗସ୍ତରେ ୫୨ ଆଭରେଜରେ ସର୍ବାଧିକ ୩୬୮ରନ୍‌ ସଂଗ୍ରହ କରିଥିଲେ । ଏହି ସିରିଜରେ ଭାରତ ୨-୧ରେ ଆଗୁଆ ଥିବାବେଳେ ପଞ୍ଚମ ଟେଷ୍ଟ ସ୍ଥଗିତ ରହିଛି । ଅନ୍ୟ ପଟରେ ରୁଟ୍‌ ୨୦୨୧ ସିଜନରେ ୧୫ଟି ଟେଷ୍ଟରୁ ୬୧.୦୦ ଆଭରେଜ୍‌ରେ ୧,୭୦୮ରନ୍‌ ସଂଗ୍ରହ କରିଥିଲେ।

 


Share It

Comments are closed.