କାବୁଲର ୩ଟି ସ୍ଥାନରେ ବୋମା ବିସ୍ଫୋରଣ : ୨୫ ହାଜରା ଛାତ୍ରଛାତ୍ରୀ ମୃତ

Share It

ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆତ୍ମଘାତୀ ଆକ୍ରମଣ। ବୋମା ବିସ୍ଫୋରଣରେ ୨୫ ସ୍କୁଲ ଛାତ୍ରଛାତ୍ରୀ ମୃତ। ପଶ୍ଚିମ କାବୁଲର ଦାଶ୍ତ ଏ ବାର୍ଚି ଅଞ୍ଚଳରେ ୩ଟି ସ୍ଥାନରେ ବୋମା ବିସ୍ଫୋରଣ ହୋଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନାନୁଯାୟୀ, କାବୁଲର ମୁମତାଜ ଟ୍ରେନିଂ ସେଣ୍ଟର ଏବଂ ରହୀମ ଶହୀଦ ହାଇସ୍କୁଲ ସମ୍ମୁଖରେ ଦୁଇଟି ବୋମା ବିସ୍ଫୋରଣ ହୋଇଛି। ପିଲାମାନେ ସ୍କୁଲ୍‌ରୁ ବାହାରିବା ସମୟରେ ଏହି ଆତ୍ମଘାତୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ପ୍ରାୟ ୨୫ରୁ ଉର୍ଦ୍ଧ୍ଵ ପିଲାମାନଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ତବେ ତଦନ୍ତ ପରେ ସ୍ପଷ୍ଟ ସୂଚନା ମିଳିବ ବୋଲି ଆଫଗାନିସ୍ତାନର ଗୃହ ମନ୍ତ୍ରାଳୟ କହିଛି। ସେହିପରି କାବୁଲରେ ୩ଟି ବିସ୍ଫୋରଣ ହୋଇଥିବା ଆଉ କେହି କେହି ଦାବି କରିଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ରହୀମ ଶହୀଦ ହାଇସ୍କୁଲରେ ଦୁଇ ଥର ବିସ୍ଫୋରଣ ହୋଇଛି। ଏହି ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀମାନେ ହାଜରା ସମୁଦାୟର। ତାଲିବାନୀମାନେ ହାଜରା ସମ୍ପ୍ରଦାୟର ଲୋକମାନଙ୍କୁ ପସନ୍ଦ କରନ୍ତି ନାହିଁ। ତେଣୁ ତାଲିବାନୀ ରାଜରେ ବହୁ ଥର ହାଜରା ସମ୍ପ୍ରଦାୟର ଲୋକମାନଙ୍କ ଉପରେ ଆକ୍ରମଣ ହୋଇଥିବା ନଜିର ରହିଛି। ତେବେ ଏହି ବିସ୍ଫୋରଣ କିଏ ଏବଂ କାହିଁକି କରିଛି ସେବିଷୟରେ କୌଣସି ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ।


Share It

Comments are closed.