ରାତିରେ ବୁହା ଚାଲିଛି ରୁଷ ସୈନ୍ୟଙ୍କ ଶବ
ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷର ଏ ପର୍ଯ୍ୟନ୍ତ ପ୍ରାୟ ୧୫ ହଜାର ସୈନିକ ପ୍ରାଣ ହରାଇ ସାରିଲେଣି । କିନ୍ତୁ ରୁଷ ତାହା ସ୍ୱୀକାର କରୁନାହିଁ । ଅନ୍ୟପକ୍ଷରେ ପ୍ରକୃତ ସତକଥା ସାମ୍ନାକୁ ଆସିବା ଭୟରେ ରୁଷ କର୍ତ୍ତୃପକ୍ଷ ସୈନିକଙ୍କ ମୃତଦେହକୁ ରାତିରେ ବୋହିବାରେ ଲାଗିଛନ୍ତି । ପ୍ରଥମେ ୟୁକ୍ରେନରୁ ସାମରିକ ବସ୍ ଯୋଗେ ମୃତଦେହଗୁଡିକୁ ବେଲାରୁଷର ବିଭିନ୍ନ ସହରକୁ ନିଆଯାଉଛି । ସେଠାରୁ ଟ୍ରେନ କିମ୍ବା ସାମରିକ ବିମାନ ଯୋଗେ ନିଜର ମାତୃଭୂମିକୁ ପଠାଇ ଦିଆଯାଉଛି ।
ସେହିଭଳି ୟୁକ୍ରେନ ଯୁଦ୍ଧରେ ଆହତ ରୁଷୀୟ ସୈନିକଙ୍କୁ ବେଲାରୁଷ ହସ୍ପିଟାଲକୁ ନିଆଯାଉଛି । ବେଲାରୁଷର ବିଭିନ୍ନ ହସ୍ପିଟାଲରେ ମୃତ ଓ ଆହତ ରୁଷୀୟ ସୈନିକଙ୍କ ଛାତିଥର ଦୃଶ୍ୟ ସାମ୍ନାକୁ ମଧ୍ୟ ଆସିବାରେ ଲାଗିଛି । ୟୁକ୍ରେନ ସୀମାରୁ ୬୦ କି.ମି. ଦୂର ବେଲାରୁଷର ମଜିର ସହରରେ ଥିବା ଶବଗୃହରେ ମୃତଦେହ ରଖିବାକୁ ସ୍ଥାନ ନାହିଁ । ରୁଷ ସୈନିକଙ୍କ ମୃତଦେହକୁ ଗୋଟିଏ ପରେ ଗୋଟିଏ ଗଦା କରି ରଖାଯାଇଛି । ସେଠାରୁ ସାମରିକ ଆମ୍ବୁଲାନ୍ସରେ କଳାଜରି କଭର ହୋଇଥିବା ମୃତଦେହକୁ ଷ୍ଟେସନକୁ ନିଆଯାଉଛି । ସେଠାରୁ ରୁଷୀୟ ଟ୍ରେନରେ ପଠାଇ ଦିଆଯାଉଛି । ମୃତଦେହକୁ ଦେଖିବା ପରେ ମଜିର ଷ୍ଟେସନର ଯାତ୍ରୀମାନେ ଆଶ୍ଚର୍ଯ୍ୟ ଓ ଭୟଭୀତ ହୋଇପଡିଛନ୍ତି । ଯାତ୍ରୀଙ୍କ ମଧ୍ୟରୁ କେହି ଜଣେ ମୃତଦେହ ଆମ୍ବୁଲାନ୍ସରୁ କଢ଼ାଯିବା ଓ ଟ୍ରେନରେ ଲଦା ଯିବାର ଭିଡିଓ ଶୁଟିଂ କରି ତାକୁ ଇଣ୍ଟରନେଟରେ ସେୟାର କରିଦେଇଥିଲେ । ଏହି ତଥ୍ୟ ସାମ୍ନାକୁ ଆସିବା ପରେ ରୁଷ କର୍ତ୍ତୃପକ୍ଷ ଏ କ୍ଷେତ୍ରରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିଛନ୍ତି । ତେଣୁ ସେମାନେ ରାତିରେ ମୃତଦେହ ବୋହିବାରେ ଲାଗିଛନ୍ତି । ଯାହାଫଳରେ କି ସାଧାରଣ ଲୋକମାନେ ଆଉ ଜାଣିପାରିବେ ନାହିଁ । ସେହିଭଳି ଆଉ ଜଣେ ଯାତ୍ରୀ ଭିଡିଓ ଶୁଟିଂ କରୁଥିଲା ବେଳେ ରୁଷ ସୈନିକମାନେ ତାଙ୍କୁ ଦେଖିଦେବା ସହ ତୁରନ୍ତ ଉକ୍ତ ଭିଡିଓକୁ ତୁରନ୍ତ ହଟାଇବାକୁ କହିଥିଲେ ।
ୟୁକ୍ରେନ ସେନା ସହ ସଂଘର୍ଷରେ ଅନେକ ରୁଷୀୟ ସୈନ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । କିଛି ସୈନ୍ୟ ମଧ୍ୟ ଅଙ୍ଗପ୍ରତ୍ୟଙ୍ଗ ହରାଇ ସମ୍ପୂର୍ଣ୍ଣ ରୂପେ ପଙ୍ଗୁ ପାଲଟି ଯାଇଛନ୍ତି । ହସ୍ପିଟାଲରେ ପ୍ରତିଦିନ ବହୁ ସଂଖ୍ୟକ ଆହତ ସୈନିକ ଚିକିତ୍ସିତ ହେବା ଲାଗି ଆସୁଛନ୍ତି । ସମସ୍ତଙ୍କର ଚିକିତ୍ସା କରିବା କଷ୍ଟକର ମଧ୍ୟ ହୋଇପଡୁଛି । କାରଣ ହସ୍ପିଟାଲରେ ଏତେ ସଂଖ୍ୟକ ଡାକ୍ତର କିମ୍ବା ନର୍ସ ନାହାନ୍ତି । ଔଷଧର ଅଭାବ ମଧ୍ୟ ଦେଖାଦେଲାଣି । ବିଶେଷକରି ଆଣ୍ଟି-ଟିଟାନସ ଡ୍ରଗର ଅଭାବେ ଦେଖାଦେଇଛି । ତୀକ୍ଷ୍ଣ ଆଗ୍ନେୟାସ୍ତ୍ର କିମ୍ବା ଗୁଳିମାଡ଼ରେ ଆହତ ସୈନିକଙ୍କ ପାଇଁ ଏହି ଔଷଧର ନିହାତି ଆବଶ୍ୟକତା ରହିଛି । ଆଉ କିଛିଦିନ ଏଭଳି ଅବସ୍ଥା ଲାଗି ରହିଲେ ପରିସ୍ଥିତି ସାଂଘାତିକ ହୋଇପଡିବ । ଆହତ ସୈନିକଙ୍କ ଚିକିତ୍ସା କରିବା ଆଉ ସମ୍ଭବ ହେବ ନାହିଁ । ଫଳରେ ଆହତ ସୈନିକଙ୍କ ଆର୍ତ୍ତ ଚିତ୍କାର ସମସ୍ତଙ୍କ ଛାତିକୁ ଦୋହଲାଇ ଦେଉଛି ବୋଲି ବେଲାରୁଷର ହୋମେଲ ସହରରେ ଥିବା ଏକ ହସ୍ପିଟାଲର ଜଣେ କର୍ମଚାରୀ କହିଛନ୍ତି ।
Comments are closed.