ବେଙ୍ଗାଲୁରୁରେ ଖେଳାଯିବ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜ
ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୀମିତ ଓଭର କ୍ରିକେଟ୍ ସିରିଜ ଶେଷ ହେବା ପରେ ଶ୍ରୀଲଙ୍କା ଦଳ ଭାରତ ଗସ୍ତରେ ଆସି ୩ଟି ଟି-ଟ୍ୱେଣ୍ଟି ଓ ୨ଟି ଟେଷ୍ଟ ଖେଳିବ । ଟେଷ୍ଟ ସିରିଜର ଗୋଟିଏ ମ୍ୟାଚ୍ ବେଙ୍ଗାଲୁରୁ ଠାରେ ପିଙ୍କ୍ ବଲ୍ (ଦିବା-ରାତ୍ର)ରେ ଖେଳାଯିବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଜି ସ୍ପଷ୍ଟ କରିଛନ୍ତି । ପୂର୍ବ ସୂଚୀରେ ଏହି ସିରିଜ ଖେଳାଯିବ । କିନ୍ତୁ ଟେଷ୍ଟ ପରିବର୍ତ୍ତେ ପ୍ରଥମେ ଟି-ଟ୍ୱେଣ୍ଟି ସିରିଜ ଅନୁଷ୍ଠିତ ହେବ । ଭାରତ-ଶ୍ରୀଲଙ୍କା ସିରିଜ ଫେବ୍ରୁଆରୀ ୨୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୮ରେ ଶେଷ ହେବ ।
ଗାଙ୍ଗୁଲି କହିଛନ୍ତି, ଶ୍ରୀଲଙ୍କା ବିପକ୍ଷରେ ଭାରତ ବେଙ୍ଗାଲୁରୁରେ ପିଙ୍କ୍ ବଲ୍ ଟେଷ୍ଟ ଖେଳିବ । ଏପର୍ଯ୍ୟନ୍ତ ସିରିଜର ଭେନ୍ୟୁ ଚୂଡ଼ାନ୍ତ ହୋଇନି । ଖୁବଶୀଘ୍ର ଭେନ୍ୟୁ ଘୋଷଣା କରାଯିବ ।’ ଭାରତ ଘରୋଇ ପରିବେଶରେ ତୃତୀୟ ଥର ପାଇଁ ପିଙ୍କ୍ ବଲ୍ ଟେଷ୍ଟ ଖେଳିବ । ପୂର୍ବରୁ ଦଳ ୨୦୧୯ରେ କୋଲକାତାରେ ବାଂଲାଦେଶ ଏବଂ ୨୦୨୧ରେ ଅହମ୍ମଦାବାଦରେ ଇଂଲଣ୍ଡ ବିପକ୍ଷରେ ପିଙ୍କ ବଲ୍ ଟେଷ୍ଟ ଖେଳି ବିଜୟୀ ହୋଇଥିଲା । ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ପୂର୍ବ ୨ଟି ଯାକ ମ୍ୟାଚ୍ ଖେଳିଥିଲା । ଶ୍ରୀଲଙ୍କା ବିପକ୍ଷରେ ଦଳ ନୂଆ ଅଧିନାୟକଙ୍କ ନେତୃତ୍ୱରେ ଖେଳିବ । ଶ୍ରୀଲଙ୍କା ବିପକ୍ଷ ପିଙ୍କ୍ ବଲ୍ ଟେଷ୍ଟ କୋହଲିଙ୍କ କ୍ୟାରିୟରର ୧୦୦ତମ ମ୍ୟାଚ୍ ହେବ ।
କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଅହମ୍ମଦାବାଦରେ ଖେଳାଯିବାକୁ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ମ୍ୟାଚ୍ ବିଶିଷ୍ଟ ଘରୋଇ ଦିନିକିଆ ସିରିଜ (ଫେବ୍ରୁଆରୀ ୬, ୯, ୧୧)କୁ ରୁଦ୍ଧ ଦ୍ୱାରରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାକୁ ନେଇ ଗାଙ୍ଗୁଲି ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ସିରିଜର ପ୍ରଥମ ମ୍ୟାଚ୍ ଭାରତର ୧୦୦୦ତମ ଦିନିକିଆ ହେବ । କିନ୍ତୁ ଦର୍ଶକ ଷ୍ଟାଡିୟମରେ ବସି ଏହି ଐତିହାସିକ ମ୍ୟାଚ୍ର ମଜା ନେଇ ପାରିବେନି । ଏହା ଦୁଃର୍ଭାଗ୍ୟଜନକ । ପୂର୍ବରୁ ୫୦୦ତମ ଦିନିକିଆରେ ମୁଁ ଦଳର ଅଧିନାୟକ ରହିଥିଲି ।
Comments are closed.