୨୦୨୨ରୁ ଏଟିଏମ୍‌ ଟ୍ରାଞ୍ଜାକ୍‌ସନ ହେବ ବ୍ୟୟବହୁଳ, ଖାଉଟିଙ୍କ ପକେଟ ଉପରେ ପଡ଼ିବ ପ୍ରଭାବ

Share It

ନୂତନ ବର୍ଷରୁ ଅନେକ ପରିବର୍ତ୍ତନ ଆସିବାକୁ ଯାଉଛି । ଏହାର ପ୍ରଭାବ ଖାଉଟିଙ୍କ ପକେଟ ଉପରେ ପଡ଼ିବ । ଏଭଳି କିଛି ପରିବର୍ତ୍ତନ ଉପରେ ଏକ ନଜର…

ବ୍ୟୟବହୁଳ ହେବ ଏଟିଏମ୍‌ ଟ୍ରାଞ୍ଜାକ୍‌ସନ
୨୦୨୨ ଜାନୁଆରୀ ୧ରୁ ଧାର୍ଯ୍ୟ ମାଗଣା ସୀମାଠାରୁ ଅଧିକ ଥର ଏଟିଏମ୍‌ ଟ୍ରାଞ୍ଜାକ୍‌ସନରେ ବ୍ୟାଙ୍କ ଉପଭୋକ୍ତାଙ୍କୁ ଅଧିକ ଗଣିବାକୁ ପଡ଼ିବ । କ୍ୟାସ୍‌ ଏବଂ ନନ୍‌-କ୍ୟାସ୍‌ ଏଟିଏମ୍‌ କାରବାର ପାଇଁ ଥିବା ମାସିକ ମାଗଣା ସୀମା ବାଦ୍‌ ଅଧିକ ଟ୍ରାଞ୍ଜାକ୍‌ସନ ପାଇଁ ଦେୟ ବଢ଼ାଇବା ନିମେନ୍ତ ବ୍ୟାଙ୍କଗୁଡିକୁ ରିଜର୍ଭ ବ୍ୟାଙ୍କ ଅନୁମତି ଦେଇଛି । ପୂର୍ବରୁ ମାଗଣା ସୀମା ବାଦ୍‌ ପ୍ରତ୍ୟକ ଟ୍ରାଞ୍ଜାକ୍‌ସନ ପାଇଁ ୨୦ ଟଙ୍କା ଦେବାକୁ ପଡୁଥିବାବେଳେ ଜାନୁଆରୀରୁ ଏହା ୨୧ ଟଙ୍କାକୁ ବୃଦ୍ଧି ପାଇବ । ଅନ୍ୟପକ୍ଷରେ, ଗ୍ରାହକ ନିଜ ବ୍ୟାଙ୍କ ଏଟିଏମ୍‌ରୁ ପ୍ରତିମାସ ୫ଟି ମାଗଣା ଟ୍ରାଞ୍ଜାକ୍‌ସନ(ବିତ୍ତୀୟ ଏବଂ ଅଣ-ବିତ୍ତୀୟ) ପାଇଁ ଯୋଗ୍ୟ ରହିବେ । ମେଟ୍ରୋ ସହରରେ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ୩ଟି ଟ୍ରାଞ୍ଜାକ୍‌ସନ ଏବଂ ଅଣ-ମେଟ୍ରୋ ସହରରେ ୫ଟି ଟ୍ରାଞ୍ଜାକ୍‌ସନ ମାଗଣା ଜାରି ରହିବ ।

ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍‌ସ ବ୍ୟାଙ୍କର ନୂଆ ଦେୟ
ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍‌ସ ବ୍ୟାଙ୍କ(ଆଇପିପିବି) ଗ୍ରାହକ ଧାର୍ଯ୍ୟ ସୀମାଠାରୁ ଅଧିକ ଥର ଟଙ୍କା ଉଠାଣ ଏବଂ ଜମା ଉପରେ ଅତିରିକ୍ତ ଗଣିବେ । ଏହି ନିୟମ ୨୦୨୨ ଜାନୁଆରୀ ୧ରୁ ଲାଗୁ ହେବ । ସଞ୍ଚୟ ଏବଂ ଚଳନ୍ତି ଖାତାରେ ବିନା ଦେୟରେ ଗ୍ରାହକ ମାସକୁ କେବଳ ୧୦,୦୦୦ ଟଙ୍କା ହିଁ ଜମା କରିପାରିବେ । ଏହି ସୀମାଠାରୁ ଅଧିକ ଜମା ଉପରେ ଗ୍ରାହକଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ । ସେହିଭଳି ସଞ୍ଚୟ ଏବଂ ଜମା ଖାତାରୁ ପ୍ରତି ମାସ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଣ ଦେୟମୁକ୍ତ ରହିବ । ଏହା ପରେ ପ୍ରତି ଟ୍ରାଞ୍ଜାକ୍‌ସନରେ ୦.୫୦% ଦେୟ ଦେବାକୁ ପଡ଼ିବ ।

ଆଧାର-ୟୁଏଏନ୍‌ ସଂଯୁକ୍ତ ହୋଇ ନ ଥିଲେ ପଡ଼ିବନି ଇପିଏଫ ଟଙ୍କା
ଯଦି ୟୁଏଏନ୍‌ ଆଧାର ନମ୍ବର ସହ ସଂଯୁକ୍ତ ହୋଇ ନ ଥିବ ତେବେ ଜାନୁଆରୀ ୧ରୁ ନିଯୁକ୍ତିଦାତା ଆପଣଙ୍କ ମାସିକ ଇପିଏଫ୍‌ ଯୋଗଦାନଙ୍କୁ ଜମା କରିବାକୁ ସକ୍ଷମ ହେବେ ନାହିଁ । ଏଣୁ ୨୦୨୧ ଡିସେମ୍ବର ୩୧ ସୁଦ୍ଧା ୟୁଏଏନ୍‌ ସହ ଆଧାର ସଂଯୁକ୍ତ କରିବାକୁ ଉପଭୋକ୍ତାଙ୍କୁ କୁହାଯାଇଛି ।

ବିଳମ୍ବିତ ଆଇଟିଆର୍‌ ଫାଇଲିଂ ପାଇଁ ଜରିମାନା
ମହାମାରୀ ଯୋଗୁ ୨୦୨୦-୨୧ ଆର୍ଥିକବର୍ଷ ପାଇଁ ଆୟକର ରିଟର୍ଣ୍ଣ(ଆଇଟିଆର୍‌) ଦାଖଲ କରିବାର ଡେଡ୍‌ଲାଇନ୍‌କୁ ଦୁଇଥର ବଢ଼ାଯାଇଛି । ପ୍ରଥମେ ଏହା ୨୦୨୧ ଜୁଲାଇ ୩୧ରୁ ସେପ୍ଟେମ୍ବର ୩୦କୁ ବଢ଼ାଯାଇଥିଲା । ପରେ ଡିସେମ୍ବର ୩୧କୁ ସମ୍ପ୍ରସାରିତ କରାଯାଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଆଇଟିଆର୍‌ ଦାଖଲ ନ କଲେ କରଦାତାଙ୍କୁ ଜରିମାନା ଦେବାକୁ ପଡ଼ିବ ।

ବ୍ୟାଙ୍କ ଲକର ପାଇଁ ନୂଆ ନିୟମ
ବ୍ୟାଙ୍କ ଲକର ସଂକ୍ରାନ୍ତରେ ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ନିୟମ ଜାରି କରିଛି । ଏହା ଜାନୁଆରୀ ୧ରୁ କାର୍ଯ୍ୟକାରୀ ହେବ । ଏହା ଅନ୍ତର୍ଗତ ଚୋରି କିମ୍ବା ନିଜ କର୍ମଚାରୀଙ୍କ ଦ୍ୱାରା ଜାଲିଆତି ଯୋଗୁ ଲକରରେ ଥିବା ଜିନିଷ ହାନି ହେଲେ ବ୍ୟାଙ୍କଗୁଡିକ ନିଜ ଉତ୍ତରଦାୟିତ୍ୱକୁ ଅସ୍ୱୀକାର କରିପାରିବେ ନାହିଁ । ଏହି କ୍ଷତି ପାଇଁ ବ୍ୟାଙ୍କଗୁଡିକ ଉପରେ ବାର୍ଷିକ ଲକର୍‌ ଚାର୍ଜର ୧୦୦ ଗୁଣା ବୋଝ ପଡ଼ିବ ।


Share It

Comments are closed.