ଜୀବନରେ ସଂଘର୍ଷ କରୁଥିବା ପୁଅ ସହ ଡେଟ୍‌ କରିବାକୁ ଚାହାନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ

Share It

‘ ୨ ୦ ୨ ୧ ବ୍ରହ୍ମାଣ୍ଡ ସୁନ୍ଦରୀ’ ଟାଇଟେଲ ଜିତି ଭାରତ ପାଇଁ ଗୌରବ ଆଣିଥିବା ହରନାଜ ସନ୍ଧୁ ନିଜ ପସନ୍ଦ ନାପସନ୍ଦ ତଥା ଭବିଷ୍ୟତର କେତେକ ସ୍ୱପ୍ନ ସମ୍ପର୍କରେ ଖୁଲାସା କରିଛନ୍ତି । ସେ ଜଣେ ଧନୀ ଲୋକ ଅପେକ୍ଷା ସଂଘର୍ଷ କରୁଥିବା ଯୁବକ ସହ ଡେଟିଂ କରିବାକୁ ଶ୍ରେୟ ମନେ କରିବେ ବୋଲି କହିଛନ୍ତି ।

ସେ କହିଛନ୍ତି, କ୍ଷମତାଶାଳୀ, ଧନୀ ତଥା ବୟସ୍କ ଲୋକ ତୁଳନାରେ ସଂଘର୍ଷ କରୁଥିବା ଯୁବକଙ୍କୁ ସେ ବଏଫ୍ରେଣ୍ଡ କରିବାକୁ ଚାହିଁବେ । କାହିଁକି ନା ସେ ନିଜେ ମଧ୍ୟ ସଂଘର୍ଷ କରିଛନ୍ତି । ଅନେକ ସଂଘର୍ଷ ପରେ ସେ ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି । ଜୀବନରେ ଆଗକୁ ମଧ୍ୟ ସେ ସଂଘର୍ଷ ଜାରି ରଖିବେ ବୋଲି ମନସ୍ଥ କରିଛନ୍ତି। ଏଣୁ ତାଙ୍କର ଜୀବନସାଥୀ ମଧ୍ୟ ତାଙ୍କ ଭଳି ହୋଇଥାଉ ବୋଲି ସେ ଇଚ୍ଛା କରନ୍ତି ।

ବଲିଉଡରେ ଚାଲୁଥିବା କାଷ୍ଟିଂ କାଉଚ ସମ୍ପର୍କରେ ନିଜର ମତ ରଖି ହରନାଜ କହିଛନ୍ତି ଯେ, ବଲିଉଡରେ ଏଣ୍ଟ୍ରି କରିବା ପରେ କେଉଁଭଳି ସ୍ଥିତି ସାମ୍ନା କରିବାକୁ ପଡେ ଏ ସମ୍ପର୍କରେ ମୋର କୌଣସି ଧାରଣା ତଥା କୌଣସି ଜ୍ଞାନ ନାହିଁ । କିନ୍ତୁ ମୁଁ ଏତିକି ଜାଣେ ତୁମେ କେଉଁଭଳି ନିଷ୍ପତ୍ତି ନେବ ଏହା ସମ୍ପୂର୍ଣ୍ଣ ରୂପେ ତୁମ ଉପରେ ନିର୍ଭର କରେ ।

ବଲିଉଡରେ ପାଦ ଥାପିବା ନେଇ ସେ କହିଛନ୍ତି ଯେ, ତାଙ୍କ ପରିବାର ଲୋକ ଯେଉଁଭଳି ଖୁସି ହେବେ ତାଙ୍କର ନିଷ୍ପତ୍ତି ସେଇଭଳି ହେବ । ତେବେ ପ୍ରିୟଙ୍କା ଚୋପ୍ରା, ଲାରା ଦତ୍ତା ଏବଂ ସୁଷ୍ମିତା ସେନଙ୍କ ଭଳି ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଅଭିନେତ୍ରୀଙ୍କ ସହ ଫିଲ୍ମ କରିବା ହରନାଜଙ୍କର ସ୍ୱପ୍ନ ରହିଛି । ଏହି ଅଭିନେତ୍ରୀମାନଙ୍କ ସହ ମିଶି ମହିଳା ସଶକ୍ତିକରଣର ବାର୍ତ୍ତା ଦେଉଥିବା ଭଳି ଏକ ସିନେମା ମିଳିଲେ ଏଭଳି ସୁଯୋଗକୁ ସେ କେବେ ବି ହାତଛଡା କରିବେନି ବୋଲି ହରନାଜ କହିଛନ୍ତି ।


Share It

Comments are closed.