ଚୀନ୍ରେ ସବୁଠାରୁ ବଡ ଲକ୍ଡାଉନ, ଜିଆନ୍ ସହରର ୧.୩ କୋଟି ଲୋକ ଗୃହ ବନ୍ଦୀ
ଚୀନ୍ରେ ଗତ ୨୪ ଘଣ୍ଟାରେ ୭୭ କରୋନା ସଂକ୍ରମଣ ମାମଲା ଚିହ୍ନଟ କରାଯାଇଛି । ଇତିମଧ୍ୟରେ ଏହାର ମୋଟ ସଂକ୍ରମଣ ମାମଲା ୧ ଲକ୍ଷ ପାର୍ (୧,୦୦,୫୪୪) କରିଯାଇଛି । ସାଙ୍କ୍ସି ପ୍ରଦେଶର ଜିଆନ୍ ସହରରେ ଅଧିକ ରୋଗୀ ବଢ଼ିବା ପରେ ସରକାର ଏଠାରେ ଲକ୍ଡାଉନ୍ ନୀତି ଆପଣାଇଛନ୍ତି । ସହରର ପାଖାପାଖି ୧.୩ କୋଟି ଲୋକ ଏଣିକି କିଛି ଦିନ ପର୍ଯ୍ୟନ୍ତ ଘରେ ବନ୍ଦ ରହିବେ ବୋଲି ଚୀନ୍ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । କରୋନା ଭୂତାଣୁ ମହାମାରୀ ଆରମ୍ଭ ବେଳେ ୱୁହାନ୍ ସହର ଯେମିତି ବନ୍ଦ ହୋଇପଡ଼ିଥିଲା, ସେମିତି ଜିଆନ୍ ସହରରେ ଲକ୍ଡାଉନ୍ କଟକଣା କଡ଼ାକଡ଼ି କରାଯାଇଛି ।
ଜିଆନ୍ ସହରର ଅଧିକାରୀମାନେ ଦର୍ଶାଇଛନ୍ତି ଯେ ଗତ ୧୦ ଦିନରେ ଏଠାରେ ୧୪୦ରୁ ଅଧିକ ମାମଲା ଚିହ୍ନଟ କରାଯାଇଛି । ‘ଶୂନ କୋଭିଡ’ ରଣନୀତି ନେଇ ଚୀନ୍ ସରକାର ଆଗକୁ ବଢ଼ୁଥିବାରୁ ୧୪୦ ନୂଆ ମାମଲା ସୃଷ୍ଟି ହେବାରୁ ନିଦ ହଜିଯାଇଛି । ଜିଆନ୍ ସହରରେ ଶୂନ କରୋନା ରଣନୀତି ଆପଣାଇବା ଉଦ୍ଦେଶ୍ୟରେ କଠୋର ଲକ୍ଡାଉନ୍ ଲାଗୁ କରାଯିବା ସହ ମାସ୍ ଟେଷ୍ଟିଙ୍ଗ୍ ଉପରେ ଫୋକସ୍ କରାଯାଇଛି । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଖୋଜି ଖୋଜି କ୍ୱାରେଣ୍ଟାଇନ୍ କରାଯାଉଛି ।
ଜିଆନ୍ ପ୍ରଦେଶରେ ଚିହ୍ନଟ ହୋଇଥିବା ରୋଗୀମାନେ କରୋନା ଭୂତାଣୁର ଡେଲ୍ଟା ଭାରିଆଣ୍ଟ ଯୋଗୁ ସଂକ୍ରମିତ ହୋଇଛନ୍ତି । ଏହା ଅଧିକ ଘାତକ ହୋଇଥିବାରୁ ତୁରନ୍ତ ପଦକ୍ଷେପ ନିଆଯାଇଛି । ତା’ଛଡ଼ା ଦେଶରେ ଏ ପର୍ଯ୍ୟନ୍ତ ଓମିକ୍ରନ୍ ଭାରିଆଣ୍ଟର ସ୍ଥାନୀୟ ମାମଲା ସାମ୍ନାକୁ ଆସିନାହିଁ । ମହାମାରୀ ସଂକ୍ରାନ୍ତ ଅନୁସନ୍ଧାନ ମୁତାବକ ଜିଆନ୍ରେ କରୋନା ସଂକ୍ରମଣ ବଢ଼ିବା ଘଟଣାରେ ପାକିସ୍ତାନ ଲିଙ୍କ୍ ରହିଛି ।
ପାକିସ୍ତାନରୁ କିଛି ଦିନ ତଳେ ଏକ ବିମାନ ଆସିଥିଲା। ଏଥିରେ ଥିବା ଜଣେ କର୍ମଚାରୀ ସଂକ୍ରମିତ ଥିଲେ ଏବଂ ସେ ହୋଟେଲରେ ଯାତ୍ରୀମାନଙ୍କ ସହ କ୍ୱାରେଣ୍ଟାଇନ୍ରେ ରହିଥିଲେ । ତଥାପି ଏ ନେଇ ତଦନ୍ତ ଜାରି ରହିଛି । ଘଟଣାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଲକ୍ଡାଉନ୍ ବେଳେ ଜିଆନ୍ ସହରର ଜଣେ ବି ଲୋକ ଯେମିତି ସହରରୁ ବାହାରକୁ ନ ଯାଆନ୍ତି, ସେଥିପାଇଁ କଡ଼ା ନିର୍ଦ୍ଦେଶ ରହିଛି ।
Comments are closed.