‘ମ୍ୟାନ୍ ଭର୍ସେସ୍ ୱାଇଲ୍ଡ’ରେ ଆଉ ଜୀଅନ୍ତା ଜନ୍ତୁଙ୍କୁ ଖାଇବେନି ବିୟର ଗ୍ରିଲ୍ସ
ଲୋକପ୍ରିୟ ରିଆଲିଟି ଟିଭି ସର୍ଭାଇଭାଲ୍ ଶୋ’ ‘ମ୍ୟାନ୍ ଭର୍ସେସ୍ ୱାଇଲ୍ଡ’ର ସଂଚାଳକ ବିୟର ଗ୍ରିଲ୍ସ ଏକ ବଡ଼ ବୟାନ ଦେଇଛନ୍ତି । ଏକ ଗଣମାଧ୍ୟମ ସହ ସାକ୍ଷାତକାରରେ କହିଛନ୍ତି, ଶୋ’ ପାଇଁ ପ୍ରଥମେ ପ୍ରଥମେ ସେ ଅନେକ ଜନ୍ତୁଙ୍କୁ ମାରିଥିଲେ, ଯାହାକୁ ନେଇ ଏବେ ଖୁବ୍ ପଶ୍ଚାତାପ କରୁଛନ୍ତି । ଶୋ’ ପାଇଁ ଏଣିକି ସେ ଆଉ ଜନ୍ତୁଙ୍କୁ ହତ୍ୟା କରିବେ ନାହିଁ । ଏହା ପରିବର୍ତ୍ତେ କେବଳ ମୃତ ଜନ୍ତୁଙ୍କୁ ହିଁ ଖାଇବେ ବୋଲି କହିଛନ୍ତି । ବିୟର ଏବେ ନିଜର ଶୋ’ ‘ଇନ୍ ଟୁ ଦ ୱାଇଲ୍ଡ ୱିଥ୍ ବିୟର ଗ୍ରିଲ୍ସ’କୁ ନେଇ ଚର୍ଚ୍ଚାରେ ଅଛନ୍ତି ।ସାକ୍ଷାତକାରରେ ବିୟର କହିଛନ୍ତି ‘ମୁଁ ଭାବୁଛି ବଞ୍ଚିବା ନିମନ୍ତେ ଏବଂ ଖାଦ୍ୟ ଭାବେ ନିଶ୍ଚିତ ରୂପେ ଶୋ’ ଆରମ୍ଭରେ ମୁଁ ଅନେକ ସାପ, ବିଛା, ବେଙ୍ଗ ଓ ଅନ୍ୟ ଜନ୍ତୁଙ୍କୁ ମାରିଥିଲି । ଏବେ ଏହାକୁ ନେଇ ମୁଁ ବହୁତ ପଶ୍ଚାତାପ କରୁଛି । ଏବେ ମୁଁ ସେ ସବୁରୁ ବହୁତ ଉଦ୍ଧ୍ୱର୍କୁ ଚାଲିଆସିଛି ।’ବିୟର ଶାକାହାରୀ ବ୍ୟକ୍ତି ଓ ତାଙ୍କ ଶୋ’କୁ ଆସୁଥିବା ଶାକାହାରୀ ଷ୍ଟାର୍ଙ୍କଠାରୁ ଖୁବ୍ ପ୍ରେରଣା ପାଇଛନ୍ତି । ସେମାନେ ମାଂସ ଖାଇବା ପ୍ରତି ତାଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିଛନ୍ତି । ଏ ବିଷୟରେ ସେ କହିଛନ୍ତି ‘ମୁଁ ଅନେକ ଶାକାହାରୀ ଷ୍ଟାର୍ଙ୍କୁ ଜଙ୍ଗଲକୁ ନେଇଛି । ଏହି ଅନୁଭବ ବେଶ୍ ଦମ୍ଦାର ଥିଲା । ମୁଁ ସେମାନଙ୍କୁ ସର୍ବଦା ସମ୍ମାନ ଦିଏ ।’ବିୟରଙ୍କ ଶୋ’ ‘ଇନ୍ ଟୁ ଦ ୱାଇଲ୍ଡ ୱିଥ୍ ବିୟର ଗ୍ରିଲ୍ସ’ରେ ଭିକି କୌଶଲ, ଅଜୟ ଦେବଗନ, ଅକ୍ଷୟ କୁମାର, ରଜନୀକାନ୍ତଙ୍କ ସମେତ ଅନେକ ଭାରତୀୟ ଷ୍ଟାର୍ ନଜର ଆସିଛନ୍ତି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କଠୁ ଆରମ୍ଭ କରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବିୟରଙ୍କ ସହ ଏହି ଶୋ’ରେ ସ୍କ୍ରିନ୍ ଶେୟାର କରିଛନ୍ତି ।ଟିଭି କ୍ୟାରିଅର୍ରେ ‘ଇନ୍ଟୁ ଦ ୱାଇଲ୍ଡ ୱିଥ୍ ବିୟର ଗ୍ରିଲ୍ସ’, ‘ମ୍ୟାନ୍ ଭର୍ସେସ୍ ୱାଇଲ୍ଡ’, ‘ୟୁ ଭର୍ସେସ୍ ୱାଇଲ୍ଡ’, ‘ଦ ଆଇଲ୍ୟାଣ୍ଡ’, ‘ଏସ୍କେପ୍ ଫ୍ରମ୍ ହେଲ୍’, ‘ରନିଙ୍ଗ ୱାଇଲ୍ଡ ୱିଥ୍ ବିୟର ଗ୍ରିଲ୍ସ’, ‘ବିୟର ଗ୍ରିଲ୍ସ ସର୍ଭାଇଭାଲ୍ ସ୍କୁଲ୍’ ‘ଆବ୍ସୋଲ୍ୟୁଟ୍ ୱାଇଲ୍ଡ’ ଭଳି ଅନେକ ଶୋ’ରେ କାମ କରିଛନ୍ତି ।
Comments are closed.