ବିଶେଷଜ୍ଞଙ୍କ ଦାବୀ ଶରୀରରେ ୯୦% ଆଣ୍ଟିବଡି ପ୍ରସ୍ତୁତ କରୁଛି କୋଭିସିଲ୍ଡ

Share It

କୋଭିଡ ଟିକା କୋଭିସିଲ୍ଡର ଦୁଇଟି ଡୋଜ୍‌ ନେବା ପରେ ଲୋକଙ୍କଠାରେ ୭ ମାସ ପର୍ଯ୍ୟନ୍ତ ବଳିଷ୍ଠ ଆଣ୍ଟିବଡି ରହୁଛି । ଆଣ୍ଟିବଡିର ଉପସ୍ଥିତି ସ୍ତର ହାରାହାରି ୯୦%ରୁ ଅଧିକ ରହୁଛି ବୋଲି ଏକ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି । ପୁଣେଭିତ୍ତିକ ବିଜେ ସରକାରୀ ମେଡିକାଲ କଲେଜ (ବିଜେଏମ୍‌ସି) ଓ ସାସୁନ ହସ୍ପିଟାଲ ଦ୍ୱାରା ଏହି ଅଧ୍ୟୟନ କରାଯାଇଥିଲା । କୋଭିଡ ଟିକାର ଉଭୟ ଡୋଜ୍‌ ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ପରୀକ୍ଷା ହୋଇଥିଲା । ଉଭୟ ଡୋଜ୍‌ ନେବା ପରେ ୩ରୁ ୭ ମାସ ପର୍ଯ୍ୟନ୍ତ ଏହା କୋଭିଡ-୧୯ ବିରୋଧରେ ଉଚ୍ଚ ସ୍ତରର ସୁରକ୍ଷା ଯୋଗାଉଥିବା ଜଣାପଡ଼ିଛି । ୫୦୦ରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କ ଶରୀରରେ ସେମାନେ ଏହି ସୁରକ୍ଷା କବଚ ଦେଖିବାକୁ ପାଇଥିବା ଅଧ୍ୟୟନକାରୀ ଦାବି କରିଛନ୍ତି ।

ଏ ପ୍ରସଙ୍ଗରେ ବିଜେଏମ୍‌ସିର କମ୍ୟୁନିଟି ମେଡିସିନ୍‌ ମୁଖ୍ୟ ପ୍ରଫେସର ଡା. ମୁରଲୀଧର ତାମ୍ବେ କହିଛନ୍ତି, କୋଭିସିଲ୍ଡ ଟିକାର ଉଭୟ ଡୋଜ୍‌ ନେବା ପରେ ଲୋକଙ୍କୁ ୯୦% ସୁରକ୍ଷା ମିଳୁଥିବାରୁ ବର୍ତ୍ତମାନ ସ୍ଥିତିରେ ତୃତୀୟ ସଟ୍‌ ବା ‘ବୁଷ୍ଟର ଡୋଜ୍‌’ ଦିଆଯିବା ଆବଶ୍ୟକ ନାହିଁ ।

ଡା. ତାମ୍ବେ କହିଛନ୍ତି, କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍‌ର ମଧ୍ୟବର୍ତ୍ତୀ ଅବଧିରେ ଆଣ୍ଟିବଡି ଉପସ୍ଥିତି କମ୍‌ ରହୁଛି । କିନ୍ତୁ ଦ୍ୱିତୀୟ ଡୋଜ୍‌ ପରେ ଏହା ବଢ଼ିବାକୁ ଲାଗୁଛି । ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ଉଚ୍ଚ ସ୍ତରରେ ପହଞ୍ଚି ଯାଉଛି । ଅଧ୍ୟୟନରେ ସାମିଲ ହୋଇଥିବା ସ୍ୱାସ୍ଥ୍ୟ କର୍ମୀଙ୍କଠାରେ ଆଣ୍ଟିବଡି ପଜିଟିଭିଟି ହାର ୩ ମାସ ମଧ୍ୟରେ ୯୬.୭୭% ରହିଥିଲା । ସେହିଭଳି ୪ ମାସ ମଧ୍ୟରେ ଏହି ସ୍ତର ୧୦୦% ରହୁଥିବା ବେଳେ ଦ୍ୱିତୀୟ ଡୋଜ୍‌ ନେବାର ୭ ମାସ ବେଳକୁ ଏହା ୯୧.୮୯%କୁ ହ୍ରାସ ପାଉଛି । ଅଧ୍ୟୟନରେ ସାମିଲ ମୋଟ ୫୫୮ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୯୪.୪%ଙ୍କଠାରେ କୋଭିଡ ପ୍ରତିକାର ଆଣ୍ଟିବଡି ସ୍ତର ପଜିଟିଭ୍‌ ରହିଥିବା ଜଣାପଡ଼ିଥିଲା ।


Share It

Comments are closed.