ଡବ୍ଲ୍ୟୁଏଚଓର ଆଶଙ୍କା, ଓମିକ୍ରନ୍ ମୃତ୍ୟୁ ବଢ଼ିପାରେ

Share It

କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ୍‌କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଆଜି ୟୁ-ଟର୍ଣ୍ଣ ମାରିଛି । ଓମିକ୍ରନ୍‌ ଯୋଗୁ କରୋନା ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟା ବଢ଼ିପାରେ । ହସ୍ପିଟାଲରେ ରୋଗୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଇପାରେ ବୋଲି ଏହା ଆଶଙ୍କା ପ୍ରକାଶ କରିଛି । ପୂର୍ବରୁ ଡବ୍ଲ୍ୟୁଏଚ୍‌ଓ କହିଥିଲା ଯେ ଓମିକ୍ରନ୍‌ରେ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ିବ ସତ । କିନ୍ତୁ ରୋଗୀ ଗୁରୁତର ହେବେନାହିଁ ।

ଡବ୍ଲ୍ୟୁଏଚ୍‌ଓ ଏକ ବିବୃତିରେ କହିଛି ଯେ ‘ଭାରିଆଣ୍ଟ ଅଫ୍‌ କନ୍‌ସର୍ନ’ ଥିବା ଓମିକ୍ରନ୍‌ ସାରା ବିଶ୍ୱକୁ ମାଡ଼ିଯିବା ପରେ ଏହାର ପ୍ରକୃତ ପ୍ରଭାବ ଦେଖିବାକୁ ମିଳିବ । ଏହାଦ୍ୱାରା ହସ୍ପିଟାଲ ରୋଗୀ ସଂଖ୍ୟା ବଢ଼ିବା ସାଙ୍ଗକୁ ମୃତ୍ୟୁ ବୃଦ୍ଧି ପାଇବା ଆଶଙ୍କା ରହିଛି । ତେବେ ଭାରିଆଣ୍ଟର ସ୍ପଷ୍ଟ କ୍ଲିନିକ୍‌-ସଂକ୍ରାନ୍ତ ଚିତ୍ର ସାମ୍ନାକୁ ଆସିବା ପରେ ଏହା ଉପରେ ଅଧିକ ସୂଚନା ହାସଲ କରାଯାଇ ପାରିବ ଏବଂ କୌଣସି ନିର୍ଯାସରେ ପହଞ୍ଚିହେବ ।

ଏହି ପରିପ୍ରେକ୍ଷୀରେ ଡବ୍ଲ୍ୟୁଏଚ୍‌ଓ କହିଛି ଯେ ଓମିକ୍ରନ୍‌ ଚିହ୍ନଟ କରାଯାଇଥିବା ଦେଶଗୁଡ଼ିକ ପରସ୍ପର ସହ ସମନ୍ୱୟ ରଖି ହସ୍ପିଟାଲ ସମ୍ବନ୍ଧୀୟ ତଥ୍ୟ ଆଦାନପ୍ରଦାନ କରିବା ଆବଶ୍ୟକ । ରୋଗୀଙ୍କ ଲକ୍ଷଣ, ଗୁରୁତର ଅବସ୍ଥା ଏବଂ ମୃତ୍ୟୁ ଭଳି ତଥ୍ୟକୁ ଏକାଠି କରି ବିନିମୟ କରାଯିବା ଦ୍ୱାରା ଓମିକ୍ରନ୍‌ ଭାରିଆଣ୍ଟର ପ୍ରକୃତ କ୍ଷମତା ସାମ୍ନାକୁ ଆସିପାରିବ । ଫଳରେ ସେହି ଅନୁସାରେ ପଦକ୍ଷେପ ନିଆଯିବ ।

ଓମିକ୍ରନ୍‌ ଭାରିଆଣ୍ଟ ଅନେକ ଦେଶରେ ବ୍ୟାପିବାକୁ ଲାଗିଛି । ଦକ୍ଷିଣ ଆଫ୍ରିକା ପଛକୁ ବ୍ରିଟେନ୍‌ରେ ଏହାର ଅଧିକ ମାମଲା ସାମ୍ନାକୁ ଆସିଲାଣି । ଏବେ ହସ୍ପିଟାଲରେ ଅତିକମ୍‌ରେ ୨୫୦ ଓମାଇକ୍ରାନ୍‌ ଆକ୍ରାନ୍ତ ଲୋକଙ୍କ ଚିକିତ୍ସା ଜାରି ରହିଥିବା ଦେଶର ଉପ ପ୍ରଧାନମନ୍ତ୍ରୀ ଡୋମିନିକ୍‌ ରାବ୍‌ ମଙ୍ଗଳବାର ସୂଚନା ଦେଇଛନ୍ତି ।

କରୋନାର ଉତ୍ପତ୍ତିସ୍ଥଳ ବୋଲାଉଥିବା ଚୀନ୍‌ରେ ଦ୍ୱିତୀୟ ଓମିକ୍ରନ୍‌ ମାମଲା ଚିହ୍ନଟ କରାଯାଇଥିବା ଆଜି ସୂଚନା ମିଳିଛି । ଜଣେ ୬୭ ବର୍ଷୀୟ ବ୍ୟକ୍ତି ଦୁଇ ସପ୍ତାହ ଧରି ସଙ୍ଗରୋଧରେ ରହିବା ପରେ ତାଙ୍କ ନମୁନା ରିପୋର୍ଟ ଓମିକ୍ରନ୍‌ ପଜିଟିଭ୍‌ ଆସିଛି । ନଭେମ୍ବର ୨୭ରେ ସେ ବିଦେଶରୁ ଫେରିଥିଲେ । ଏହାପରେ ତାଙ୍କୁ ସଙ୍ଗରୋଧ କରାଯାଇଥିଲା । ତେବେ ସେ ବିଦେଶରୁ ଫେରିବା କ୍ଷଣି ତାଙ୍କର ନମୁନା ବାରମ୍ବାର ପରୀକ୍ଷା କରାଯାଇଥିଲା । ରିପୋର୍ଟ ନେଗେଟିଭ୍‌ ଆସିଥିଲା । ଶନିବାର ସେ ଚୀନ୍‌ର ଗୁଆଙ୍ଗଝୋଉ ସହର ଯାତ୍ରା କରିଥିଲେ ।


Share It

Comments are closed.