୧୩ରେ କଟକ ଯିବେ ମୁଖ୍ୟମନ୍ତ୍ରୀ, ୫ ଲକ୍ଷ ୬ ହଜାର ହିତାଧିକାରୀଙ୍କୁ ବାଣ୍ଟିବେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ

Share It

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ କଟକ ଉପର ବାଲିଯାତ୍ରା ପଡିଆରେ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିବେ । ଏହାସହ ସହରର କିଛି ନୂଆ ପ୍ରକଳ୍ପର ଶୁଭାରମ୍ଭ ହେବାର ଯୋଜନା ମଧ୍ୟ ରହିଛି । କଟକରେ ପ୍ରାୟ ୩୦ ମିନିଟ୍‌ ରହି ପୁଣି ଭୁବନେଶ୍ୱର ଫେରିବେ ମୁଖ୍ୟମନ୍ତ୍ରୀ ।

କଟକ ଜିଲ୍ଲାରେ ମୋଟ୍‌ ୫ ଲକ୍ଷ ୬ ହଜାର ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ । ଏଥିରେ କଟକ ସହରର ୯୫ ହଜାର କାର୍ଡ ରହିଥିବା ବେଳେ ଅନ୍ୟ କାର୍ଡ ଗ୍ରାମାଞ୍ଚଳର ହିତାଧିକାରୀଙ୍କୁ ବଣ୍ଟାଯିବ । ସହରରେ ୱାର୍ଡ ୱାରୀ ଓ ଗ୍ରାମାଞ୍ଚଳରେ ପଞ୍ଚାୟତୱାରୀ କାର୍ଡ ବଣ୍ଟନ କରିବାକୁ ଯୋଜନା କରାଯାଇଛି । ୧୩ ତାରିଖ ପରେ ପଞ୍ଚାୟତସ୍ତରୀୟ ଶିବିର ଆୟୋଜନ କରାଯାଇ ହିତାଧିକାରୀଙ୍କୁ କାର୍ଡ ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ନେଇ ବୁଧବାର ପଞ୍ଚାୟତରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କଟକ ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । କଟକ ମହାନଗର ନିଗମ କମିସନର ଅନନ୍ୟା ଦାସ, କଟକ ଡିସିପି ପ୍ରତୀକ ସିଂହ, କଟକ ବିଜେଡି ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ, ପୂର୍ବତନ କର୍ପୋରେଟର ରଞ୍ଜନ ବିଶ୍ୱାଳଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ।

ଆଲୋଚନା ମୁତାବକ, ସକାଳ ପ୍ରାୟ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ କାର୍ଯ୍ୟକ୍ରମ ରହିଛି । ବାଲିଯାତ୍ରା ଉପର ପଡିଆର ଉଭୟ ପଟ ପଡିଆକୁ କାର୍ଯ୍ୟକ୍ରମ ପାଇଁ ରିଜର୍ଭ ରଖାଯାଇଛି । ବାରବାଟୀ ଷ୍ଟାଡିୟମ୍‌ ହର୍ଷ ଗେଟ୍‌ ସମ୍ମୁଖ ପଡିଆରେ ମୁଖ୍ୟମନ୍ତ୍ରୀଙ୍କ ହେଲିପ୍ୟାଡ୍‌ କରାଯିବ । ଆରପଟ ଅର୍ଥାତ୍‌ ଗଡ଼ଗଡ଼ିଆ ମନ୍ଦିର ସମ୍ମୁଖ ପଡିଆରେ କାର୍ଯ୍ୟକ୍ରମ ଆୟୋଜନ ହେବାର ଯୋଜନା କରାଯାଇଛି । ମୁଖ୍ୟମନ୍ତ୍ରୀ ହେଲିପ୍ୟାଡ୍‌ରେ ଅବତରଣ କରି ସିଧାସଳଖ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ମଞ୍ଚରେ ୨ ଶହ ଜଣ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ । ମୁଖ୍ୟମନ୍ତ୍ରୀ କିଛି ହିତାଧିକାରୀଙ୍କୁ କାର୍ଡ ଦେବା ପରେ କଟକର ଦୁଇ ମନ୍ତ୍ରୀ ପ୍ରତାପ ଜେନା ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅନ୍ୟମାନଙ୍କୁ କାର୍ଡ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି । ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଶେଷ କରି ମୁଖ୍ୟମନ୍ତ୍ରୀ କଟକ ସହରର କିଛି ଉନ୍ନୟନମୂଳକ ଯୋଜନାର ଶୁଭାରମ୍ଭ କରିବେ । ଏନେଇ ତାଲିକା ଚୂଡାନ୍ତ ହୋଇନାହିଁ । ଆସନ୍ତାକାଲି ସୁଦ୍ଧା ଏହାର ତାଲିକା ପ୍ରକାଶ ପାଇବାର ସମ୍ଭାବନା ରହିଛି ।


Share It

Comments are closed.