ଆଜି ଚେନ୍ନାଇକୁ ଭେଟିବ ହାଇଦ୍ରାବାଦ, ଦେଖିବାକୁ ମିଳିବ କଡା ଟକ୍କର

Share It

ଚଳିତ ଆଇପିଏଲ୍‌ର ୪୪ତମ ଲିଗ୍‌ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏହି ମ୍ୟାଚ୍‌ ଜରିଆରେ ସୁପର କିଙ୍ଗ୍‌ସ ପ୍ଲେ-ଅଫ୍‌ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ପ୍ଲେ-ଅଫ୍‌ରୁ ବାଦ ପଡ଼ି ସାରିଥିବା ସନ୍‌ରାଇଜର୍ସ ବିଜୟ ଜାରି ରଖି ପଏଣ୍ଟ ତାଲିକାରେ ଉନ୍ନତି ଆଣିବାକୁ ପ୍ରୟାସ କରିବ ।

ସୁପର କିଙ୍ଗ୍‌ସ ୧୦ଟି ମ୍ୟାଚ୍‌ରୁ ୮ ବିଜୟ ସହ ମୋଟ ୧୬ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଛି । ପ୍ଲେ-ଅଫ୍‌ ସ୍ଥାନ ପାଇଁ ଦଳକୁ ଆଉ ଗୋଟିଏ ବିଜୟ ଆବଶ୍ୟକ। ସନ୍‌ରାଇଜର୍ସ ୧୦ଟି ମ୍ୟାଚ୍‌ରୁ ୨ଟି ଜିତି ୪ପଏଣ୍ଟ ସହ ନିମ୍ନ ସ୍ଥାନରେ ରହିଛି । ପ୍ରଥମ ଭାଗରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ସୁପର କିଙ୍ଗ୍‌ସ ୭ ୱିକେଟ୍‌ରେ ବିଜୟ ହାସଲ କରିଥିଲା । ସନ୍‌ରାଇଜର୍ସ ଦଳ ଗୁରୁବାର ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ରହିଛି ।

ଦ୍ୱିତୀୟ ଭାଗରେ ସୁପର କିଙ୍ଗ୍‌ସ କ୍ରମାନ୍ୱୟରେ ୩ଟି ମ୍ୟାଚ୍‌ ଜିତି ଦୃଢ଼ ମନୋବଳରେ ରହିଛି । କେବଳ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଫର୍ମକୁ ନେଇ ସଂଘର୍ଷ କରୁଥିବାବେଳେ ଅନ୍ୟ ସମସ୍ତେ ଭଲ ପ୍ରଦର୍ଶନ କରୁଛନ୍ତି । ସୁପର କିଙ୍ଗ୍‌ସ ବ୍ୟାଟିଂ ଓ ସନ୍‌ରାଇଜର୍ସ ବୋଲିଂ ବିଭାଗ ମଧ୍ୟରେ କଡ଼ା ଟକ୍କର ହେବା ଆଶା କରାଯାଉଛି । ସନ୍‌ରାଇଜର୍ସ ଦଳ ପୂର୍ବ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟ୍‌ରେ ହରାଇ ୫ ମ୍ୟାଚ୍‌ ପରାଜୟଧାରାରେ ବ୍ରେକ୍‌ ଲଗାଇଥିଲା । ଏହି ବିଜୟ ପରେ ଦଳୀୟ ଖେଳାଳିଙ୍କ ମନୋବଳ ଦ୍ୱିଗୁଣିତ ରହିଛି । ଆଜିର ମ୍ୟାଚ୍‌ରେ ସୁପର କିଙ୍ଗ୍‌ସକୁ ହରାଇବାକୁ ହେଲେ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ । ଓପନର ଜାସନ୍‌ ରୟ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ । ଅଧିନାୟକ କେନ୍‌ ୱିଲିୟମସନ୍‌ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଫର୍ମକୁ ଫେରିଥିଲେ । ଉଭୟଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ସୁପର କିଙ୍ଗ୍‌ସ: ଋତୁରାଜ ଗାଏକୱାଡ୍‌, ଫାଫ ଡୁପ୍ଲେସି, ମୋଇନ୍‌ ଅଲି, ଅମ୍ବାତି ରାୟୁଡୁ, ସୁରେଶ ରାଇନା, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ରବୀନ୍ଦ୍ର ଜାଡ଼େଜା, ସାମ କୁରାନ, ସର୍ଦୁଲ ଠାକୁର, ଦୀପକ ଚହର, ଜୋସ ହାଜେଲଉଡ୍‌ ।

ସନ୍‌ରାଇଜର୍ସ: ଜାସନ ରୟ, ରିଦ୍ଧିମାନ ଶାହା, କେନ୍‌ ୱିଲିୟମସନ୍‌ (ଅଧିନାୟକ), ପ୍ରିୟମ ଗର୍ଗ, ଅଭିଷେକ ଶର୍ମା, ଜାସନ ହୋଲ୍ଡର, ଅବଦୁଲ ସମଦ, ରସିଦ ଖାନ, ଭୁବନେଶ୍ୱର କୁମାର, ସନ୍ଦିପ ଶର୍ମା, ସିଦ୍ଧାର୍ଥ କୌଲ ।


Share It

Comments are closed.