ଆଜି ପଞ୍ଜାବ-ହାଇଦ୍ରାବାଦ ମଧ୍ୟରେ ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ, ଉଭୟ ଦଳ ପାଇଁ ‘କର ବା ମର’ ପରିସ୍ଥିତି
ଆଇପିଏଲ୍ର-୧୪ର ୩୭ତମ ଲିଗ୍ ମ୍ୟାଚ୍ ପଞ୍ଜାବ କିଙ୍ଗ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ । ପଏଣ୍ଟ ତାଲିକାର ଶେଷ ୨ଟି ସ୍ଥାନରେ ଥିବା ପଞ୍ଜାବ କିଙ୍ଗ୍ସ ଓ ସନ୍ରାଇଜର୍ସ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ଉଭୟ ଦଳ ଦ୍ୱିତୀୟ ଭାଗରେ ନିଜ ନିଜର ପ୍ରଥମ ମ୍ୟାଚ୍ରେ ପରାଜିତ ହୋଇଥିଲେ । ଶନିବାର ମ୍ୟାଚ୍ ଜରିଆରେ ଉଭୟ ଦଳ ବିଜୟଧାରାକୁ ଫେରିବା ପାଇଁ ପ୍ରସ୍ତୁତ ରହିଛନ୍ତି । ଏହି ମ୍ୟାଚ୍ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ ।
ପଞ୍ଜାବ କିଙ୍ଗ୍ସ ୯ଟି ମ୍ୟାଚ୍ରୁ ୩ଟି ବିଜୟ ଏବଂ ୬ଟି ପରାଜୟ ସହ ୬ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଛି । ପ୍ଲେ-ଅଫ୍ ଦୌଡ଼ରେ ରହିବାକୁ ହେଲେ ଶେଷ ୫ଟି ମ୍ୟାଚ୍ ଜିତିବା ଜରୁରୀ । ରାଜସ୍ଥାନ ରୟାଲ୍ସ ବିପକ୍ଷ ପୂର୍ବ ମ୍ୟାଚ୍ରେ ଦଳ ଏକ ନିଶ୍ଚିତ ବିଜୟ ହାତଛଡ଼ା କରିଥିଲା । ମଧ୍ୟ ଭାଗ ବ୍ୟାଟିଂ ବିଫଳତା ଯୋଗୁ ଦଳ ୨ ରନ୍ରେ ପରାଜିତ ହୋଇଥିଲା । ବୋଲିଂ ବିଭାଗ ଅପେକ୍ଷାକୃତ ଦୃଢ଼ ରହିଥିଲେ ହେଁ ମଧ୍ୟ ଓ ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍ଙ୍କ ପ୍ରଦର୍ଶନ ଚିନ୍ତାଜନକ ରହିଛି । ସନ୍ରାଇଜର୍ସକୁ ହରାଇବାକୁ ହେଲେ ବ୍ୟାଟିଂ ତ୍ରୁଟି ସୁଧାରିବା ଜରୁରୀ ହୋଇ ପଡ଼ିଛି ।
ସନ୍ରାଇଜର୍ସ ୮ଟି ମ୍ୟାଚ୍ରୁ ମାତ୍ର ଗୋଟିଏ ବିଜୟ ସହ ମାତ୍ର ୨ପଏଣ୍ଟ ପାଇ ତାଲିକାର ନିମ୍ନ ସ୍ଥାନରେ ରହିଛି । ଦଳ ପ୍ଲେ-ଅଫ୍ ଦୌଡ଼ରୁ ବାଦ ପଡ଼ିସାରିଛି । ପୂର୍ବ ମ୍ୟାଚ୍ରେ ଦଳ କ୍ୟାପିଟାଲ୍ସ ନିକଟରୁ ୮ ୱିକେଟ୍ରେ ପରାଜିତ ହୋଇଥିଲା । ଚଳିତ ସିଜନରେ ସନରାଇଜର୍ସ ସବୁ ବିଭାଗରେ ବିଫଳ ହୋଇଛି । ପ୍ରଥମ ଭାଗରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସନ୍ରାଇଜର୍ସ ୯ ୱିକେଟ୍ରେ ବିଜୟ ହାସଲ କରିଥିଲା । ଆସନ୍ତାକାଲି ଦଳ ପୂର୍ବ ପ୍ରଦର୍ଶନ ଦୋହରାଇବା ସହ ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ରହିବ ।
ପଞ୍ଜାବ କିଙ୍ଗ୍ସ: ଲୋକେଶ ରାହୁଲ (ଅଧିନାୟକ), ମୟଙ୍କ ଅଗ୍ରୱାଲ, ଆଡେନ ମାର୍କରମ, ନିକୋଲାସ ପୂରନ, ଦୀପକ ହୁଡ଼ା, ଫାବିଆନ୍ ଆଲେନ୍, ଆଦିଲ ରସିଦ, ହରପ୍ରୀତ୍ ବ୍ରାର, ଅର୍ଶଦୀପ ସିଂହ, ମହମ୍ମଦ ସାମି, ଈଶାନ ପୋରେଲ ।
ସନ୍ରାଇଜର୍ସ: ଡେଭିଡ୍ ୱାର୍ଣ୍ଣର, ରିଦ୍ଧିମାନ ଶାହା, କେନ୍ ୱିଲିୟମସନ୍, ମନୀଷ ପାଣ୍ଡେ, କେଦାର ଯାଦବ, ଅବଦୁଲ ସମଦ, ଜାସନ ହୋଲ୍ଡର, ରସିଦ ଖାନ, ଭୁବନେଶ୍ୱର କୁମାର, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ ।
Comments are closed.