ଅକ୍ଟୋବରରୁ ଲାଗୁ ହେବ ନୂଆ ଡେବିଟ ପେମେଣ୍ଟ ସିଷ୍ଟମ, କ’ଣ ରହିଛି ନିୟମ ଜାଣନ୍ତୁ
ଅକ୍ଟୋବରରୁ ନୂଆ ଅଟୋ ଡେବିଟ୍ ପେମେଣ୍ଟ ସିଷ୍ଟମ ଲାଗୁ ହେବାକୁ ଯାଉଛି । ଏହା ଅଧୀନରେ ବ୍ୟାଙ୍କ ଏବଂ ପେଟିଏମ୍, ଫୋନ୍ ପେ’ ଭଳି ଡିଜିଟାଲ ପେମେଣ୍ଟ ପ୍ଲାଟ୍ଫର୍ମଙ୍କୁ କିସ୍ତି କିମ୍ବା ବିଲ୍ ବାବଦ ଟଙ୍କା କାଟିବା ପୂର୍ବରୁ ପ୍ରତିଥର ଗ୍ରାହକଙ୍କ ଅନୁମତି ନେବାକୁ ପଡ଼ିବ । ନିଜ ସିଷ୍ଟମ୍ରେ ଏମାନେ ଏଭଳି ପରିବର୍ତ୍ତନ ଆଣିବେ, ଯାହାଦ୍ୱାରା ଗୋଟିଏ ଥର ଅନୁମତି ମିଳିବା ପରେ ପ୍ରତି ଥର ଟଙ୍କା ଆପଣାଛାଏଁ କଟିବନି । ମୋବାଇଲ ଆପ୍ କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗରେ ଯଦି ବିଦ୍ୟୁତ୍ ବିଲ୍ କିମ୍ବା ନେଟ୍ଫ୍ଲିକ୍ସ ପେମେଣ୍ଟ ଆଦିକୁ ଗ୍ରାହକ ଅଟୋ ଡେବିଟ୍ ମୋଡ୍ରେ ପକାଇଥିବେ ତେବେ ଏକ ନିର୍ଦ୍ଦିଷ୍ଟ ତାରିଖରେ ଟଙ୍କା ଆପଣାଛାଏଁ କଟିଯିବାକୁ ଅଟୋ ଡେବିଟ୍ କୁହାଯାଇଥାଏ । ଏହି ସୁବିଧାର ଲାଭ ନେବା ପାଇଁ ଗ୍ରାହକଙ୍କର ଏକ ସକ୍ରିୟ ମୋବାଇଲ ନମ୍ବର ବ୍ୟାଙ୍କରେ ଅପ୍ଡେଟ୍ ହୋଇଥିବା ଦରକାର । କାରଣ ଗ୍ରାହକଙ୍କ ମୋବାଇଲରେ ହିଁ ଅଟୋ ଡେବିଟ୍ ସହ ଜଡ଼ିତ ନୋଟିଫିକେସନ୍ ଏସ୍ଏମ୍ଏସ୍ ମାଧ୍ୟମରେ ପଠାଯାଇଥାଏ ।
ନୂଆ ବ୍ୟବସ୍ଥା ଅଧୀନରେ ବ୍ୟାଙ୍କଗୁଡ଼ିକୁ ପେମେଣ୍ଟ ତାରିଖର ୫ ଦିନ ପୂର୍ବରୁ ଗ୍ରାହକଙ୍କ ମୋବାଇଲରେ ଏକ ନୋଟିଫିକେସନ ପଠାଇବାକୁ ପଡ଼ିବ । ନୋଟିଫିକେସନ୍ରେ ଗ୍ରାହକଙ୍କ ମଞ୍ଜୁରି ରହିବା ଦରକାର । ୫୦୦୦ ଟଙ୍କାରୁ ଅଧିକ ପେମେଣ୍ଟରେ ଓଟିପି ସିଷ୍ଟମ୍କୁ ବାଧ୍ୟତାମୂଳକ କରାଯାଇଛି । ବିଶେଷ କରି ବିଭିନ୍ନ ପ୍ରକାର ଠକେଇକୁ ରୋକିବା ପାଇଁ ନୂଆ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉଛି । ସାଧାରଣତଃ ଲୋକେ ନିଜ ମୋବାଇଲ, ପାଣି ବିଲ୍, ବିଦ୍ୟୁତ୍ ଆଦି ବିଲ୍କୁ ଅଟୋ ମୋଡ୍ରେ ପକାଇଦିଅନ୍ତି । ବିଲ୍ ପେମେଣ୍ଟର ତାରିଖ ଆସିଲେ ଟଙ୍କା ଆପଣାଛାଏଁ କଟିଯାଏ । ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ଡିଜିଟାଲ ପେମେଣ୍ଟ ପ୍ଲାଟ୍ଫର୍ମ କିମ୍ବା ବ୍ୟାଙ୍କ ଗ୍ରାହକଙ୍କଠାରୁ ଗୋଟିଏ ଥର ଅନୁମତି ନେବା ପରେ ପ୍ରତି ମାସ ସେମାନଙ୍କୁ ନ ଜଣାଇ ଲୋକଙ୍କ ଟଙ୍କା କାଟି ଦିଅନ୍ତି । ଏଥିରେ ଠକେଇ ଆଶଙ୍କା ରହିଛି । ଏହି ସମସ୍ୟାର ସମାଧାନ ପାଇଁ ନୂଆ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉଛି ।
Comments are closed.