ଆଜିଠୁ ଚତୁର୍ଥ ଟେଷ୍ଟ, ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତୀୟ ଦଳ

Share It

ଆଜି ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବ ଚତୁର୍ଥ ଟେଷ୍ଟ । ତୃତୀୟ ଟେଷ୍ଟର ପ୍ରଦର୍ଶନକୁ ଓଭାଲ ଗ୍ରାଉଣ୍ଡ୍‌ରେ ଦୋହରାଇବା ପାଇଁ ଘରୋଇ ଇଂଲଣ୍ଡ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଭାରତୀୟ ଦଳ ପୁଣି ଥରେ ଲଢୁଆ ପ୍ରଦର୍ଶନ କରି ସିରିଜକୁ ଫେରିବାକୁ ଯୋଜନା କରୁଛି ।

ତୃତୀୟ ଟେଷ୍ଟରେ ଇନିଂସ ବିଜୟ ପରେ ଇଂଲଣ୍ଡର ମନୋବଳ ଦ୍ୱିଗୁଣା ହୋଇଯାଇଛି । ବୋଲିଂ ବିଭାଗ ପୂର୍ବରୁ ସୁଦୃଢ ରହିଥିବାବେଳେ ବ୍ୟାଟ୍ସମ୍ୟାନମାନେ ଫର୍ମକୁ ଫେରିଛନ୍ତି । ତୃତୀୟ ଟେଷ୍ଟରେ ରୋରି ବର୍ଣ୍ଣସ, ହସିବ ହମିଦ, ଦାୱିଦ ମଲାନ ଅଧିନାୟକ ରୁଟ୍‌ଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରିଥିଲେ । ଫଳରେ ଭାରତକୁ ହରାଇବା ପାଇଁ ଇଂଲଣ୍ଡର ଗୋଟିଏ ଇନିଂସ ବ୍ୟାଟିଂ ଯଥେଷ୍ଟ ରହିଥିଲା ।

ହେଡିଂଲେରେ ପରାଜୟ ପରେ ଭାରତୀୟ ଦଳର ବିଭିନ୍ନ ବିଭାଗରେ ତ୍ରୁଟି ଲୋକ ଲୋଚନକୁ ଆସିଛି । ପେସ୍‌ ବୋଲରମାନେ କ୍ଲାନ୍ତ ହୋଇ ପଡ଼ିଛନ୍ତି । ରବିନ୍ଦ୍ର ଜାଡେଜା ଆହତ ଥିବାବେଳେ ବ୍ୟାଟ୍ସମ୍ୟାନମାନେ ଫର୍ମ ଫେରିପାଇବାକୁ ସଂଘର୍ଷ କରୁଛନ୍ତି । ଏପଟେ କିଛି ପ୍ରତିଭାବାନ୍‌ ବ୍ୟାଟ୍ସମ୍ୟାନ୍‌ ଅପେକ୍ଷା କରି ରହିଥିଲେ ହେଁ କୋହଲି ଏକାଦଶରେ ପରିବର୍ତ୍ତନ କରୁନଥିବାରୁ ବ୍ୟାଟିଂ ବିଭାଗର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି ।

ଲର୍ଡ୍ସରେ ଶତକ ଅର୍ଜନ କରିବା ପରେ ଲୋକେଶ ରାହୁଲ ହେଡିଂଲେରେ ନିରାଶ କରିଥିଲେ । ମଧ୍ୟଭାଗରେ ଅଜିଙ୍କ୍ୟ ରାହାଟଣ ଓ ରିଷଭ ପନ୍ତଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ତଥାପି ବ୍ୟାଟିଂ ବିଭାଗକୁ କୋହଲି ପରିବର୍ତ୍ତନ କରିବାକୁ ନାରାଜ । ମୟଙ୍କ ଅଗ୍ରୱାଲ୍‌, ପୃଥ୍ୱୀ ଶ’, ସୂର୍ଯ୍ୟକୁମାର ଯାଦବ ଓ ହନୁମା ବିହାରୀ ଏପର୍ଯ୍ୟନ୍ତ ଖେଳିବାକୁ ସୁଯୋଗ ପାଇନାହନ୍ତି ।

ଗୁରୁବାର ଉଭୟ ଦଳ ଏକାଦଶରେ ପରିବର୍ତ୍ତନ କରିବା ନିଶ୍ଚିତ । କ୍ରିସ୍‌ ୱକ୍ସ ଫିଟ୍‌ ହୋଇ ଦଳକୁ ଫେରିଛନ୍ତି । ତେଣୁ ସେ ସାମ କୁରାନଙ୍କ ସ୍ଥାନରେ ଖେଳିବା ଆଶା କରାଯାଉଛି । ଜୋସ ବଟଲରଙ୍କ ସ୍ଥାନରେ ଦଳ ଅତିରିକ୍ତ ବ୍ୟାଟ୍ସମ୍ୟାନଙ୍କୁ ନେଇ ଖେଳିବ । ଜନି ବେୟାରଷ୍ଟୋ ୱିକେଟ୍‌ କିପର ଦାୟିତ୍ୱ ତୁଲାଇବେ ।
ଭାରତୀୟ ଦଳର ବୋଲିଂ ବିଭାଗରେ ପରିବର୍ତ୍ତନ ହେବା ଆଶା କରାଯାଉଛି । ଈଶାନ୍ତ ଶର୍ମାଙ୍କ ସ୍ଥାନରେ ସର୍ଦୁଲ ଠାକୁର ଓ ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ରବି ଚନ୍ଦ୍ରନ ଅଶ୍ୱିନ ଖେଳିପାରନ୍ତି । ବ୍ୟାଟିଂ ବିଭାଗ ଅପରିବର୍ତ୍ତିତ ରହିବା ଏକ ପ୍ରକାର ନିଶ୍ଚିତ ।

ପିଚ୍‌: ଇଂଲଣ୍ଡରେ ଓଭାଲ ଏକମାତ୍ର ଗ୍ରାଉଣ୍ଡ୍‌, ଯେଉଁଠି ସ୍ପିନରମାନଙ୍କୁ ସହାୟତା ମିଳିଥାଏ । ପେସ୍‌ ବୋଲରମାନେ ମଧ୍ୟ ଏଠାରେ ସଫଳ ହେବେ । ୫ଦିନ ଯାକ ବର୍ଷା ହେବାର ସମ୍ଭାବନା ନାହିଁ । ଫଳରେ ଏଠାରେ ବ୍ୟାଟ୍ସମ୍ୟାନଙ୍କ ରାଜୁତି ଦେଖବାକୁ ମିଳବ । ୨୦୧୮ରେ ଉଭୟ ଦଳ ଏଠାରେ ଏକ ଟେଷ୍ଟ ଖେଳିଥିଲେ । ଇଂଲଣ୍ଡ ପକ୍ଷରୁ ଆଲିଷ୍ଟାର କୁକ୍‌ ଓ ରୁଟ ଶତକ ଅର୍ଜନ କରିଥିଲେ । ଭାରତ ପକ୍ଷରୁ ରିଷଭ ପନ୍ତ ଓ ଲୋକେଶ ରାହୁଲ ଶତକୀୟ ପାଳି ଖେଳିଥିଲେ ।
୧୯୭୧ ବିଜୟ ପରଠୁ ଭାରତୀୟ ଦଳ ଓଭାଲରେ ୮ଟି ଟେଷ୍ଟ ଖେଳିଛି । ଏଥି ମଧ୍ୟରୁ ୩ଟି ଟେଷ୍ଟ ପରାଜିତ ହୋଇଥିବାବେଳେ ଅନ୍ୟ ୫ଟି ଡ୍ର’ ରହିଛି ।

ଭାରତ: ରୋହିତ ଶର୍ମା, ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି(ଅଧିନାୟକ), ଅଜିଙ୍କ୍ୟ ରାହାଣେ, ରିଷଭ ପନ୍ତ, ରବିନ୍ଦ୍ର ଜାଡେଜା/ରବି ଅଶ୍ୱିନ, ମହମ୍ମଦ ସାମି/ଉମେଶ ଯାଦବ, ଈଶାନ୍ତ ଶର୍ମା/ସର୍ଦୁଲ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।

ଇଂଲଣ୍ଡ: ରୋରି ବର୍ଣ୍ଣସ, ହସିବ ହମିଦ, ଦାୱିଦ ମଲାନ, ଜୋ ରୁଟ୍‌(ଅଧିନାୟକ), ଓଲି ପୋପ, ଜନି ବେୟାରଷ୍ଟୋ, ମୋଇନ ଅଲି, ସାମ କୁରାନ/କ୍ରିସ୍‌ ୱକ୍ସ, ଓଲି ରବିନସନ, କ୍ରେଗ ଓଭରଟନ, ଜେମ୍ସ ଆଣ୍ଡରସନ ।


Share It

Comments are closed.