ନୂଆ ଶିଶୁ ଚଳଚିତ୍ର ‘ବିଶ୍ୱ’ ସହ ପୁଣିଥରେ ଫେରିଛନ୍ତି ନୀଳମାଧବ ପଣ୍ଡା
ଖ୍ୟାତନାମା ଚଳଚିତ୍ର ନିର୍ମାତା ନୀଳମାଧବ ପଣ୍ଡା ‘ଆଇ ଆମ୍ କଲାମ୍’ ଶିଶୁ ଚଳଚିତ୍ରରୁ ପ୍ରସିଦ୍ଧି ହାସଲ କରିଥିଲେ । ତାଙ୍କର କାର୍ଯ୍ୟ ସମାନ ରୂପେ ପରିବେଶ ଓ ଶିଶୁମାନଙ୍କ ସମସ୍ୟା କେନ୍ଦ୍ରିତ ଥିଲା । ସେ ନିଜର ଆଉ ଏକ ପ୍ରକଳ୍ପକୁ ନେଇ ଉତ୍ସାହିତ ଅଛନ୍ତି ଯେଉଁଥିରେ ଜଣେ ଶିଶୁଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ଏଭଳି କାହାଣୀ ଉପରେ ନିଜର ରୁଚି ପ୍ରସଙ୍ଗରେ ସେ କହିଛନ୍ତି, ଭାରତ ହେଉଛି ଏକ ରାଷ୍ଟ୍ର ଯେଉଁଠାରେ ପିଲାମାନଙ୍କ ସଂଖ୍ୟା ୨୮.୬% ରହିଛି , ତଥାପି ଆମ ପାଖରେ ଶିଶୁ କୈନ୍ଦ୍ରିକ କିମ୍ବା ସେମାନଙ୍କ ସମସ୍ୟାଗୁଡିକ ଉପରେ ଆଲୋକପାତ କରୁଥିବା ଖୁବ୍ କମ୍ ଚଳଚିତ୍ର ରହିଛି । ଏହି ଚଳଚିତ୍ରରେ ନିର୍ଦ୍ଦେଶକ ଅନୁଜ ତ୍ୟାଗି ଡେବ୍ୟୁ କରିବେ ଏବଂ ତାଙ୍କର ଏହି ଚଳଚିତ୍ର “ବିଶ୍ୱ” ଜଣେ ଅନ୍ଧ ବାଳକଙ୍କ ଜୀବନ ଓ ସେ କିଭଳି ଚିଲିକା ହ୍ରଦ କୂଳରେ ଥିବା ଏକ ଗ୍ରାମର ହିରୋ ହୋଇପାରୁଛନ୍ତି, ତାହା ଉପରେ ପର୍ଯ୍ୟବେସିତ । ଏହି ଚଳଚିତ୍ରରେ ଲୋକପ୍ରିୟ ଅଭିନେତା ବିନୟ ପାଠକ୍, ଯଗ୍ୟ ଭାସିନ୍, ସାରିବ୍ ହାସ୍ମି (ଫ୍ୟାମିଲି ମ୍ୟାନ୍ ଫେମ୍) ଓ ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ ଉଷା ଯାଦବ ପ୍ରମୁଖ ଭୂମିକାରେ ନଜର ଆସିବେ ।
‘ବିଶ୍ୱ’ ଚଳଚିତ୍ରକୁ ଲକ୍ଡାଉନ୍ ଆରମ୍ଭ ହେବା ପୂର୍ବରୁ ସମ୍ପୂର୍ଣ୍ଣ ରୂପେ ଓଡିଶାର ସୌନ୍ଦର୍ଯ୍ୟତା ମଧ୍ୟରେ ସୁଟ୍ କରାଯାଇଛି । ବିଶ୍ୱ ଚଳଚିତ୍ରରେ ଚିଲିକା ହ୍ରଦ, ଭୁବନେଶ୍ୱର ଓ ପୁରୀର ସୌନ୍ଦର୍ଯ୍ୟକୁ ପ୍ରଦର୍ଶିତ କରାଯାଇଛି ଏବଂ ଏହି ଚଳଚିତ୍ର ପ୍ରତିଷ୍ଠିତ ବଷ୍ଟର୍ ଫିଲ୍ମ ଫେଷ୍ଟିଭାଲ (କୋପେନ୍ହାଗେନ୍, ଡେନ୍ମାର୍କ) ଏବଂ ଡାଏଟିଆଟୋ ଚିଲ୍ଡ୍ରେନ୍ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବା ପାଇଁ ପ୍ରସ୍ତୁତ ରହିଛି । ଏସମ୍ପର୍କରେ ନୀଳମାଧବ କହିଛନ୍ତି, ପିଲାମାନଙ୍କ ପ୍ରସଙ୍ଗ ଉପରେ ଚଳଚିତ୍ର ସବୁବେଳେ ତାଙ୍କ କ୍ୟାରିୟରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ରହିଆସିଛି କାରଣ ସେ ଆଇ ଆମ୍ କଲାମ୍, ଜଲ୍ପରୀ ଓ ହାଲ୍କା ଭଳି ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ । ନିଜର ଡେବ୍ୟୁ ଫିଲ୍ମ ସମ୍ପର୍କରେ ନିର୍ଦ୍ଦେଶକ ଅନୁଜ ତ୍ୟାଗି କହିଛନ୍ତି, ‘ ବିଶ୍ୱ ହେଉଛି ଏକ ଛୋଟ ବାଳକର କାହାଣୀ ଯିଏକି ହେଉଛନ୍ତି ଅନ୍ଧ କିନ୍ତୁ ତଥାପି ସେ ଜଣେ ହିରୋ ହୋଇପାରୁଛନ୍ତି । ଏହି ବିଷୟବସ୍ତୁ ଖୁବ୍ ନୂଆ ହୋଇଥିବା ବେଳେ ଆମେ ସୁଟିଙ୍ଗ୍ କରିଥିବା ସ୍ଥାନଗୁଡିକ ମଧ୍ୟ ଖୁବ୍ ସୁନ୍ଦର ରହିଛି । ଆମେ ଭାଗ୍ୟଶାଳୀ ଯେ, ଆମେ ଲକ୍ଡାଉନ୍ର ଠିକ୍ ଦିନକ ପୂର୍ବରୁ ଆମର ପ୍ରକଳ୍ପ ଶେଷ କରିପାରିଥିଲୁ । ଏହି ଫିଲ୍ମ ବଷ୍ଟର ଫିଲ୍ମ ଫେଷ୍ଟିଭାଲ ପାଇଁ ଚୟନ ହୋଇଥିବାରୁ ମୁଁ ଓ ମୋର ସମସ୍ତ ଟିମ୍ ପାଇଁ ଏହା ଏକ ଗୌରବର ବିଷୟ ।”
Comments are closed.