‘ବିଗ ବି’ଙ୍କ ବିଳାସମୟ କାର ରୋଲ୍ସ ରୋୟସକୁ ସିଜ କଲା ବେଙ୍ଗାଲୁରୁ ପରିବହନ ବିଭାଗ
ଦେଶରେ ବିଳାସମୟ କାର ଚଢ଼ି ରୋଡ୍ ଟେକ୍ସ ଦେଉନଥିବାରୁ ଚିନ୍ତା ପ୍ରକଟ କରିଥିଲା ସଡକ ଓ ପରିବହନ ମନ୍ତ୍ରାଳୟ। ଏନେଇ ଆଗକୁ କଡ଼ା ପଦକ୍ଷେପ ନିଆଯିବ ବୋଲି ମଧ୍ୟ କୁହାଯାଇଥିଲା।
ଏଥିପାଇଁ ଆଜି ବେଙ୍ଗାଲୁରୁ ପରିବହନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏଥିରେ ରୋଲ୍ସ ରୟସ୍, ଫେରାରି ଏବଂ ପର୍ଶ କାର ଭଳି ୧୦ଟି ବିଳାସମୟ କାର ଜବତ କରାଯାଇଛି। ତେବେ ଗୁରୁତର କଥା ହେଉଛି ଜବତ ହୋଇଥିବା କାର୍ ମଧ୍ୟରୁ ଗୋଟିଏ ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନଙ୍କ ନାଁରେ ରହିଛି। ସହରରେ ଟ୍ରାଫିକ ନିୟମ ଭାଙ୍ଗିବା, ନକଲି କାଗଜପତ୍ର ରଖିବା ଓ ରୋଡ୍ ଟ୍ୟାକ୍ସ ନଦେଇ ଗାଡ଼ି ଚଲାଉଥିବାରୁ ଗାଡ଼ିଗୁଡ଼ିକ ସିଜ୍ କରିଛି ପରିବହନ ବିଭାଗ।
କରୋନା ସମୟରେ ବେଙ୍ଗାଲୁରୁର ପୋଶ ଅଞ୍ଚଳରେ ବହୁ ଦାମୀ କାର ପାର୍କ ହୋଇଥିବା ବିଭାଗୀୟ ଅଧିକାରୀମାନେ ଦେଖିବା ପରେ ଗାଡ଼ିଗୁଡ଼ିକର ନମ୍ବର ନୋଟ୍ କରିବା ସହିତ କାଗଜପତ୍ର ଯାଞ୍ଚ କରିଥିଲେ। ଫଳରେ କେଉଁ ଗାଡ଼ିର କାଗଜପତ୍ର ଠିକ୍ ନଥିଲା ତ କେଉଁ କାରରେ ରୋଡ୍ ଟ୍ୟାକ୍ସ ଦିଆଯାଇ ନଥିଲା। ପୁଣି କେତେକ ଗାଡ଼ିରେ ମାଲିକାନା ହସ୍ତାନ୍ତର କରାଯାଇ ନଥିଲା। ପରିବହନ ବିଭାଗ ଯାଞ୍ଚ କରିବା ପରେ ଗୋଟିଏ ରୋଲ୍ସ ରୟସ ଗାଡ଼ି ଅମିତାଭ ବଚ୍ଚନଙ୍କ ନାଁରେ ଥିବା ଜଣାପଡ଼ିଥିଲା।
ସୂଚନା ଅନୁସାରେ, କିଛି ବର୍ଷ ପୂର୍ବରୁ ନିଜର ରୋଲ୍ସ ରୟସ୍ ଫାଣ୍ଟମ କାରକୁ ବିକ୍ରି କରିଦେଇଥିଲେ ଅମିତାଭ ବଚ୍ଚନ। ଏହି କାର୍ଟି ତାଙ୍କୁ ଫିଲ୍ମ ନିର୍ମାତା ବିଧୁ ବିନୋଦ ଚୋପ୍ରା ଗିଫ୍ଟ ଦେଇଥିଲେ। ଆଉ ଅମିତାଭ ୨୦୧୯ରେ ଏହି କାରକୁ ବେଙ୍ଗାଲୁରୁର ଜଣେ ବ୍ୟବସାୟୀ ୟୁସୁଫ ଶରିଫ ଓରଫ ସ୍କ୍ରାପ୍ ବାବୁକୁ ବିକ୍ରି କରିଦେଇଥିଲେ। ତେବେ ଅଧିକାରୀଙ୍କ ମତରେ କାରର ଦାମ ୩.୫ କୋଟି ହୋଇଥିବା ବେଳେ ୟୁସୁଫ୍ ୬ କୋଟି ଟଙ୍କା ଦେଇ କିଣିଥିଲେ। ଏହା ସହ କାର କାଗଜ ପତ୍ରରେ ୟୁସୁଫ୍ ନିଜ ନାଁ ଲେଖିନଥିଲା। ଗାଡ଼ି କାଗଜପତ୍ରରେ ଅମିତାଭଙ୍କ ନାଁ ହିଁ ଥିଲା। ଯେତେବେଳେ ୟୁସୁଫଙ୍କ ଡ୍ରାଇଭର କାର ଏମଜି ରୋଡରେ ପାର୍କ କଲା ସେତେବେଳେ କାରଟିକୁ ପୋଲିସ ଜବତ କରିଥିଲା। ୟୁସୁଫର ଡ୍ରାଇଭର ଆରଟିଓ ଅଫିସ୍ ଯିବା ପରେ ପ୍ରଥମେ କାରର ଓନରସିପ୍ ଟ୍ରାନ୍ସଫର କରିବାକୁ ଅଧିକାରୀମାନେ କହିଥିବା ଜଣାପଡ଼ିଛି।
Comments are closed.