‘୫-ଟି’କୁ କଡାକଡି ଭାବେ ଅନୁପାଳନ ଓ ବଜେଟ ଅର୍ଥକୁ ଧାର୍ଯ୍ୟ ସମୟରେ ଖର୍ଚ୍ଚ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରବର୍ତ୍ତିତ ‘୫-ଟି’କୁ କଡାକଡି ଭାବେ ଅନୁପାଳନ କରି ବିଭିନ୍ନ ଯୋଜନାର ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଓ ବଜେଟରେ ଆବଣ୍ଟିତ ଅର୍ଥକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଖର୍ଚ୍ଚ କରି ଏହାର ଉଦ୍ଦିଷ୍ଟ ଲକ୍ଷ୍ୟ ପୂରଣ କରିବା ପାଇଁ ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଲୋକସେବା ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମବାୟ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ‘୫-ଟି’ କାର୍ଯ୍ୟ ଖସଡାର ଅଗ୍ରଗତି ଓ ବଜେଟର ଆବଣ୍ଟିତ ଅର୍ଥର ଖର୍ଚ୍ଚ ସଂପର୍କରେ ସମୀକ୍ଷା କରିଥିଲେ । ବିଭାଗର କାର୍ଯ୍ୟଧାରକୁ ଅଧିକ କ୍ରିୟାଶୀଳ ଓ ସ୍ୱଚ୍ଚ କରିବା ଉଦ୍ଦେଶ୍ୟରେ ପ୍ରଯୁକ୍ତିବିଦ୍ୟାର ପ୍ରଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ସମବାୟ ବିଭାଗ ଅଧିନସ୍ଥ ପ୍ରାଥମିକ କୃଷି ସମବାୟ ସମିତି ଚାଷୀମାନଙ୍କୁ ସାର, ବିହନ, ଫସଲ ଋଣ ଯୋଗାଇବା ସହ ଚାଷୀମାନଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରି ଧାନ, ଡାଲି ଓ ତୈଳବୀଜ ସଂଗ୍ରହ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଥିବା ପରିପ୍ରେକ୍ଷୀରେ ପ୍ୟାକ୍ସ/ଲ୍ୟାମ୍ସର ପୁନର୍ଗଠନକୁ ପ୍ରାଥମିକତା ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଏହି ଅବସରରେ ପ୍ୟାକ୍ସଗୁଡିକର ସଂପୂର୍ଣ୍ଣ କମ୍ପ୍ୟୁଟରାଇଜେସନ କାର୍ଯ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ ।
ବିଭାଗ ଅଧିନରେ ଥିବା ୱେୟାର ହାଉସ ଗୁଡିକର ଡିଜିଟାଇଜେସନ ଓ ସମବାୟ ବ୍ୟାଙ୍କର ଦେଣନେଣ କାରବାରରେ ଆଧୁନିକ ମାଇକ୍ରୋ ପେମେଣ୍ଟ ସିଷ୍ଟମର ପ୍ରଚଳନ କାର୍ଯ୍ୟକୁ ଶେଷ କରିବା ପାଇଁ କହିଥିଲେ । ଏଥି ସହିତ ମାଇକ୍ରୋ ଏଟିଏମ ସ୍ଥାପନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଇ-ନାମ ଜରିଆରେ ଚାଷୀମାନେ ବଜାରରେ ସେମାନଙ୍କ ଦ୍ରବ୍ୟ ସହଜରେ ବିକ୍ରି କରିପାରିବା ନିମନ୍ତେ ଇ-ନାମକୁ ବ୍ୟାପକ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।
ମନ୍ତ୍ରୀ ଶ୍ରୀ ସ୍ୱାଇଁ ବେଠକରେ ସମବାୟ ବିଭାଗର ଗତବର୍ଷ ଓ ଚଳିତ ବର୍ଷର ବଜେଟରେ ଆବଣ୍ଟିତ ଅର୍ଥର ଖର୍ଚ୍ଚର ସମୀକ୍ଷା କରିଥିଲେ । ଏଥିରେ ନୂତନ ଗୋଦାମ ଗୃହ ନିର୍ମାଣ , କାର୍ଯ୍ୟାଳୟ ନିର୍ମାଣ ଓ ବିଭିନ୍ନ ସ୍ଥାନରେ ଭିତ୍ତିଭୂିମ ପ୍ରତିଷ୍ଠାର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ନିର୍ମାଣଧୀନ କାର୍ଯ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ସଂପର୍କରେ ଜନସଚେତନତା ସୃଷ୍ଟି ନିମନ୍ତେ ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟ, କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ନିୟମିତ ପ୍ରଶିକ୍ଷଣ ବ୍ୟବସ୍ଥା , ପ୍ୟାକ୍ସ କର୍ମଚାରୀମାନଙ୍କର ପ୍ରଶିକ୍ଷଣ ଆଦିର ସମୀକ୍ଷା ହୋଇଥିଲା । ଏଥି ସହିତ ଅଡିଟ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବ ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ଓ ଅଗ୍ରଗତି ସଂପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ ।
ବୈଠକରେ ସମବାୟ ସମିତି ସମୂହର ନିବନ୍ଧକ ସୁଶାନ୍ତ କୁମାର ବାରିକ , ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୋପବନ୍ଧୁ ଶତପଥୀ , ସମବାୟ ବିଭାଗର ସ୍ୱତନ୍ତ୍ର ସଚିବ ଭରତଚନ୍ଦ୍ର ବେହେରା , ଅତିରିକ୍ତ ଶାସନ ସଚିବ ଶ୍ରୀ ସୁଦର୍ଶନ ସେଠୀ, ଓଡିଶା ରାଜ୍ୟ ପଣ୍ୟଗାର ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ଗର୍ଡିଆ, ମାର୍କଫେଡର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ବିତ୍ତି ପରାମର୍ଶଦାତା ଦୀପା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.