ଲର୍ଡ୍ସରେ ଭାରତୀୟ ଦଳର ଐତିହାସିକ ବିଜୟ, ୧୫୧ ରନରେ ପରାସ୍ତ ହେଲା ଇଂଲଣ୍ଡ
ଭାରତର ଦ୍ରୁତ ବୋଲରମାନେ ଲର୍ଡ୍ସ ଟେଷ୍ଟର (Lords Test) ପଞ୍ଚମ ଦିନରେ ଚମତ୍କାର ବୋଲିଂ କରି ନିଜ ଦଳକୁ ୧୫୧ ରନରେ ବିଜୟୀ କରିବାରେ ସାହାଯ୍ୟ କରିଥିଲେ । ଲର୍ଡ୍ସ ଟେଷ୍ଟର ପଞ୍ଚମ ଦିନରେ ଭାରତ (Team India) ପ୍ରଥମ ସେସନ ବ୍ୟାଟିଂ କରିଥିଲା ଓ ଏହା ପରେ ଦ୍ୱିତୀୟ ସେସନର କିଛି ଓଭର ଖେଳିବା ପରେ ଇଂଲଣ୍ଡକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଜସପ୍ରୀତ ବୁମ୍ରା (Jasprit Bumrah) ପ୍ରଥମ ଓଭରରେ ଭାରତକୁ ସଫଳତା ଦେଇଥିଲେ ଓ ଏହାର ପରବର୍ତ୍ତୀ ଓଭରରେ ଶାମି ଦ୍ୱିତୀୟ ୱିକେଟ୍ ନେଇ ମ୍ୟାଚକୁ ଭାରତ ଆଡକୁ ନେଇଥିଲେ ।
ଚା’ବିରତି ପର୍ଯ୍ୟନ୍ତ ଇଂଲଣ୍ଡ (England) ଚାରିଟି ୱିକେଟ୍ ହରାଇଥିଲା । ଏହା ପର ସେସନରେ ଭାରତକୁ (Team India) ଜିତିବା ପାଇଁ ୬ ୱିକେଟ୍ ଦରକାର ଥିଲା । ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କ ଆଉଟ କରିବା ଭାରତ ପାଇଁ ସବୁଠାରୁ ବଡ ଆହ୍ୱାନ ଥିଲା । ତୃତୀୟ ସେସନରେ ବୁମ୍ରା ଏହି ଆହ୍ୱାନକୁ ସ୍ୱୀକାର କରିଥିଲେ ଓ ରୁଟ୍ ସ୍ଲିପ୍ସରେ କ୍ୟାଚ ଆଉଟ ହୋଇଥିଲେ । ପ୍ରଥମ ଇନିଂସରେ ଅପରାଜିତ ୧୮୦ ସ୍କୋର କରିଥିବା ଜୋ ରୁଟ୍ ଦ୍ୱିତୀୟ ଇନିଂସରେ ପାଞ୍ଚଟି ଚୌକା ସହ ୬୦ ଟି ବଲରେ ୩୩ ରନ୍ କରିବାରେ ସଫଳ ହୋଇଥିଲେ ।
ଏହାପରେ ଭାରତୀୟ ଦ୍ରୁତ ବୋଲରମାନେ ଆଉ ପଛକୁ ଚାହିଁ ନଥିଲେ ଓ ନିୟମିତ ବ୍ୟବଧାନରେ ୱିକେଟ୍ ନେଇଥିଲେ । ତେବେ ସାତୋଟି ୱିକେଟ୍ ପଡ଼ିବା ପରେ ଜୋସ୍ ବଟଲର ଓ ଓଲି ରବିନ୍ସନ୍ ଭାରତର ବିଜୟରେ ବାଧା ସୃଷ୍ଟି କରିଥିଲେ । କିନ୍ତୁ ମହମ୍ମଦ ସିରାଜଙ୍କ ସାଂଘାତିକ ବୋଲିଂ ପୁଣି ଥରେ ଚମତ୍କାର କରିଥିଲା ଓ ଭାରତ ଲର୍ଡସରେ ଏକ ଐତିହାସିକ ବିଜୟ ପଞ୍ଜିକରଣ କରିଥିଲା । ୨୦୧୪ ପରେ ଭାରତ ପ୍ରଥମ ଥର ପାଇଁ ଲର୍ଡ୍ସରେ ବିଜୟୀ ହୋଇଛି । ଏଥି ସହିତ ଭାରତୀୟ କ୍ରିକେଟ୍ ଇତିହାସରେ ଭାରତ ତୃତୀୟ ଥର ପାଇଁ ଲର୍ଡସରେ ଏକ ଟେଷ୍ଟ ମ୍ୟାଚ୍ ଜିତିଛି । ୧୯୩୨ ମସିହାରେ ଲର୍ଡ୍ସରେ ଭାରତ ପ୍ରଥମେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲା । ସେବେଠାରୁ ଲର୍ଡ୍ସରେ ଏହା ଭାରତର ତୃତୀୟ ବିଜୟ । ଏହାପୂର୍ବରୁ ଭାରତ ୨୦୧୪ ଓ ୧୯୮୬ ରେ ଲର୍ଡସରେ ଇଂଲଣ୍ଡକୁ ପରାସ୍ତ କରିଥିଲା । ଦ୍ୱିତୀୟ ଟେଷ୍ଟରେ ପ୍ରଥମ ବ୍ୟାଟିଂ କରି ଭାରତ ପ୍ରଥମ ଇନିଂସରେ ୩୬୪ ରନ୍ ସଂଗ୍ରହ କରିଥିଲା । ଏହା ପରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୯୧ ରନ୍ ସଂଗ୍ରହ କରି ୨୭ ରନ୍ ଅଗ୍ରଣୀ ହାସଲ କରିଥିଲା । ଏହା ପରେ ଟିମ୍ ଇଣ୍ଡିଆ ୨୯୮ ରନରେ ନିଜର ଦ୍ୱିତୀୟ ଇନିଂସ ଘୋଷଣା କରି ଇଂଲଣ୍ଡକୁ ୨୭୨ ରନର ଲକ୍ଷ୍ୟ ଦେଇଥିଲା । ଏହାର ଜବାବରେ ସମଗ୍ର ଇଂଲଣ୍ଡ ଦଳ ୧୨୦ ରନ୍ କରି ଅଲଆଉଟ ହୋଇଯାଇଥିଲା । ଭାରତ ପାଇଁ ମହମ୍ମଦ ସିରାଜ ସର୍ବାଧିକ ଚାରିଟି ୱିକେଟ୍ ନେଇଥିଲେ । ଏହା ବ୍ୟତୀତ ଜସପ୍ରୀତ ବୁମ୍ରା ତିନୋଟି ଓ ଇଶାନ୍ତ ଶର୍ମା ଦୁଇଟି ୱିକେଟ୍ ନେଇଥିଲେ । ମହମ୍ମଦ ଶାମି ଗୋଟିଏ ୱିକେଟ୍ ପାଇଥିଲେ ।
Comments are closed.