ନିର୍ଭୁଲ ଚାଷୀ ନାମ ପଞ୍ଜୀକରଣ ଓ ଯାଞ୍ଚ ପ୍ରକ୍ରିୟା ଉପରେ ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଗୁରୁତ୍ୱାରୋପ

Share It

ଚଳିତ ଖରିଫରେ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣ ଓ ଏହାର ଯାଞ୍ଚ ପ୍ରକ୍ରିୟାକ ତ୍ୱରାନ୍ୱିତ କରି ଏକ ନିର୍ଭୁଲ ଚାଷୀ ନାମ ପଞ୍ଜୀକରଣ ତାଲିକା ପ୍ରସ୍ତୁତ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଲୋକସେବା ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଚାଷୀ ନାମ ପଞ୍ଜୀକରଣର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ବୈଠକରେ ସୂଚନା ଅନୁଯାୟୀ ଅଗଷ୍ଟ ୧୧ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୭ଲକ୍ଷ ୭୨ ହଜାର ୫୪୪ ଜଣ ଚାଷୀ ଖରିଫ ଧାନ ବିକ୍ରି ନିମନ୍ତେ ନାମ ପଞ୍ଜୀକରଣ କରିଛନ୍ତି । ସୂଚନାଯୋଗ୍ୟ ଯେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ଚଳିତ ଖରିଫ ଧାନ ସଂଗ୍ରହ ନିମନ୍ତେ ଇଚ୍ଛୁକ ଚାଷୀମାନଙ୍କୁ ନୂତନ ଭାବେ ସେମାନଙ୍କ ନାମ ନିକଟସ୍ଥ ସୋସାଇଟିରେ କରିବା ଆବଶ୍ୟକ ।
ଚାଷୀମାନେ ଯେପରି ସୁବିଧାରେ ସେମାନଙ୍କର ନାମ ପଞ୍ଜୀକରଣ କରିପାରିବେ ସେଥି ନିମନ୍ତେ ପ୍ରତ୍ୟେକ ସୋସାଇଟିରେ ଏକ ହେଲ୍ଫଡେସ୍କର ବ୍ୟବସ୍ଥା କରାଯାଇଛି । ହେଲ୍ଫଡେସ୍କ ଗୁଡିକ କିପରି ଚାଷୀମାନଙ୍କୁ ନାମ ପଞ୍ଜୀକରଣରେ ସହାୟକ ହୋଇପାରିଛି ସେ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମୀକ୍ଷା କରିଥିଲେ । ଏଥି ସହିତ ନାମ ପଞ୍ଜୀକରଣ ଓ ଯାଞ୍ଚ ସମ୍ପର୍କିତ କୌଣସି ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏକ ନିର୍ଭୁଲ ଚାଷୀ ପଞ୍ଜୀକରଣ ତାଲିକା ପ୍ରସ୍ତୁତ କରିବା ପାଇଁ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ବିଭାଗ ପକ୍ଷରୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି । ଚାଷୀମାନେ ଦେଇଥିବା ତଥ୍ୟ ଅନୁସାରେ ସମ୍ପୃକ୍ତି ପ୍ଲଟରେ ଧାନଚାଷ କରାଯାଇଛି କି ନାହିଁ , ସେ ସମ୍ପର୍କରେ ପ୍ରକୃତ ତଥ୍ୟ ହାସଲ କରିବା ପାଇଁ ଚଳିତ ବର୍ଷ ବିଭାଗ ପକ୍ଷରୁ ଓଡିଶା ସ୍ପେସ ଆପ୍ଲିକେସନ ସେଣ୍ଟର (ଓରସାକ) ସହାୟତାରେ ସାଟେଲାଇଟ ଇମେଜକୁ ବ୍ୟବହାର କରାଯାଉଛି । ଏହାର ଚଳିତ ଖରିଫ ପାଇଲଟ ପ୍ରକଳ୍ପ ଭାବରେ ୭ଟି ଜିଲ୍ଲାରେ ଉପଯୋଗ କରାଯାଇଛି । ସାଟେଲାଇଟଠାରୁ ଉତ୍ତୋଳିତ ଫଟୋଚିତ୍ର ବିଶ୍ଳେଷଣ ମାଧ୍ୟମରେ ଧାନ ଚାଷ ସମ୍ପର୍କରେ ପ୍ରକୃତ ତଥ୍ୟ ସଂଗ୍ରହରେ ସହାୟକ ହୋଇପାରୁଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ବୀରବିକ୍ରମ ଯାଦବ କହିଥିଲେ । ଓରସାକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ବରିଷ୍ଠ ବିଶେଷଜ୍ଞ ଧାନଚାଷ ହୋଇଥିବା ଜମିର ବୈଜ୍ଞାନିକ ପ୍ରଣାଳୀରେ ଯାଞ୍ଚ କରିବା ପ୍ରକ୍ରିୟା ସମ୍ବନ୍ଧରେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ । ସାଟେଲାଇଟ ମାଧ୍ୟମରେ ଉତ୍ତୋଳିତ ହୋଇଥିବା ହାଇ ରିଜୋଲ୍ୟୁସନ ଫଟୋଚିତ୍ରକୁ ରାଜସ୍ୱ ବିଭାଗର କାଡାଷ୍ଟ୍ରାଲ ମ୍ୟାପ ଓ ଜମିପଟ୍ଟା ସହିତ ଜିଓ ରେଫରେନସିଂ ମାଧ୍ୟମରେ ମେଳ କରାଯାଇ ଧାନଚାଷ ସମ୍ବନ୍ଧିତ ପ୍ଲଟ ଯାଞ୍ଚ କରାଯାଇଛି ବୋଲି ଓରସାଜ ତରଫରୁ ବୈଠକରେ ସୂଚନା ଦିଆଯାଇଥିଲା । ଏଥି ସହିତ ଅନ୍ୟ ପ୍ଲଟ ଗୁଡିକରେ ରାଜସ୍ୱ, ଜଳ ସମ୍ପଦ ଓ କୃଷି ବିଭାଗର ଅଧିକାରୀଙ୍କ ଦ୍ୱାରା ଯୁଗ୍ମ କମିଟି ଦ୍ୱାରା ଚାଷ ଜମିର ଯାଞ୍ଚ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମବାୟ ସମିତି ସମୂହର ନିବନ୍ଧକ ଶ୍ରୀ ସୁଶାନ୍ତ କୁମାର ବାରିକ ଓରସାକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ପି.କେ ମଲ୍ଲିକ , ଓରସାକର ବରିଷ୍ଠ ବୈଜ୍ଞାନିକ ପି.କେ ପରିଡା, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ପୁଷ୍ଟି , ସମବାୟ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ସୁଦର୍ଶନ ସେଠୀ, ଓଡିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଶ୍ୱଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


Share It

Comments are closed.