ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ଆଇପିଏଲର ବଳକା ମ୍ୟାଚ, କିନ୍ତୁ ଏହା ପୂର୍ବରୁ ନିୟମରେ ବଡ ପରିବର୍ତ୍ତନ କଲା ବିସିସିଆଇ
ପୁଣିଥରେ ହେବ ଚୌକା-ଛକାର ବର୍ଷା। କାରଣ ସେପ୍ଟମ୍ବର ୧୯ ତାରିଖରୁ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗର ବଳକା ମ୍ୟାଚ୍। ୟୁଏଇରେ ଖେଳାଯିବାକୁ ଥିବା ବେଳେ ସମସ୍ତ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାରେ ପହଁଞ୍ଚିଛି। ତେବେ ଆଇପିଏଲ କମିଟି କରୋନା ସଂକ୍ରମଣ ଓ ଖେଳାଳିଙ୍କ ସୁରକ୍ଷା ତଥା ସ୍ୱାସ୍ଥ୍ୟକୁ ନଜରରେ ରଖି ନିୟମରେ କରିଛି କିଛି ବଡ଼ ପରିବର୍ତ୍ତନ। ନୂଆ ଗାଇଡଲାଇନ୍ ଅନୁଯାୟୀ, ଯଦି ବଲ୍ ଷ୍ଟାଡିୟମ୍ ବାହାରକୁ ଯାଏ କିମ୍ବା ଷ୍ଟାଣ୍ଡକୁ ଯାଏ ତେବେ ସେହି ବଲରେ ଆଉ ଖେଳ ହେବ ନାହିଁ। ତାର ବିକଳ୍ପ ଭାବେ ଆଉ ଏକ ବଲରେ ଖେଳାଯିବ।
ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, କୌଣସି ବ୍ୟାଟ୍ସମ୍ୟାନ୍ ଛକା ମାରିବା ପରେ ବଲ ଷ୍ଟାଡିୟମ କିମ୍ବା ଷ୍ଟାଣ୍ଡରେ ପଡିଲେ ସେହି ବଲକୁ ପୁଣି ଥରେ ପଡିଆ ମଧ୍ୟକୁ ଅଣାଯିବ ନାହିଁ କିମ୍ବା ଖେଳାଯିବ ନାହିଁ। ଚତୁର୍ଥ ଅମ୍ପାୟାରଙ୍କ ଦ୍ୱାରା ପୂର୍ବରୁ ସାନିଟାଇଜ୍ ହୋଇ ଥିବା ବଲକୁ ଖେଳିବା ପାଇଁ ଦିଆଯିବ । ବିଶେଷଜ୍ଞମାନେ ପୂର୍ବରୁ କହିସାରିଛନ୍ତି ଯେ, କ୍ରିକେଟ ବଲ ଦ୍ୱାରା ସଂକ୍ରମଣ ବ୍ୟାପିବା ଆଶଙ୍କା ଖୁବ କମ୍। କିନ୍ତୁ ବିସିସିଆଇ କୌଣସି ରିସ୍କ ନେବାକୁ ଚାହୁଁନାହିଁ ।
ସବୁଠୁ ବଡ଼ କଥା ହେଲା ୟୁଏଇରେ ହେବାକୁ ଥିବା ବଳକା ମ୍ୟାଚ୍ ଗୁଡ଼ିକ ଦେଖିବା ପାଇଁ ଦର୍ଶକଙ୍କୁ ଅନୁମତି ମିଳିଛି। ଷ୍ଟାଡିୟମର କେବଳ ଉପର ଭାଗରେ ବସି ମ୍ୟାଚ୍ ଦେଖିପାରିବେ ଦର୍ଶକ । ପଡିଆ ମଧ୍ୟରେ ଛେପ ପକାଇବା ତଥା ବଲ ସାଇନ୍ କରିବା ପାଇଁ ଛେପ ଲଗାଇବା ଉପରେ ମଧ୍ୟ କଡା କଟକଣା ଲାଗୁକରାଯାଇଛି। ପ୍ରକାଶ ଥାଉକି , ଭାରତରେ କରୋନା ସଂକ୍ରମଣ ଅଧିକ ହେବାରୁ ଆଇପିଏଲରକୁ ଅଧାରୁ ସ୍ଥଗିତ ରଖାଯାଇଥିଲା।
Comments are closed.