ସମ୍ଭାବା ବାତ୍ୟା ‘ୟାସ’ ନେଇ ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ସମୀକ୍ଷା
ସମ୍ଭାବା ବାତ୍ୟା ‘ୟାସ’ ଦ୍ୱାରା ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ପ୍ରଭାବିତ ହେବାର ଆଶଙ୍କା ଦୃଷ୍ଟିରୁ ଜନସାଧାରଣଙ୍କ ଅତ୍ୟାବଶ୍ରକ ସାମଗ୍ରୀ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବାଲେଶ୍ୱର, ଭଦ୍ରକ , ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ, ଗଜପତି ଏବଂ ମୟୁରଭଞ୍ଜ ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣର ସଦ୍ୟତମ ସ୍ଥିତି ଏବଂ ରବିଧାନ ସଂଗ୍ରହ ବିଷୟରେ ସମୀକ୍ଷା କରିବା ଅବସରରେ ବିଭାଗୀୟ ଅଧିକାରୀମାନଙ୍କୁ ସଂପୂର୍ଣ୍ଣ ପ୍ରସ୍ତୁତ ରହି ସ୍ଥିତିର ମୁକାବିଲା ପାଇଁ କହିଛନ୍ତି ।
ସମ୍ବେନଶୀଳ ଅଞ୍ଚଳ ଏବଂ ବାତ୍ୟା ଦ୍ୱାରା ବିଚ୍ଛିନ୍ନ ହେବାକୁ ଥିବା ଅଞ୍ଚଳଗୁଡିକରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଖାଉଟିମାନଙ୍କ ନିକଟରେ ରାସନ ସାମଗ୍ରୀ ଯେପରି ଠିକଣା ଭାବରେ ପହଞ୍ଚିପାରିବ ସେଥି ନିମନ୍ତେ ପଦକ୍ଷେପ ନେବାକୁ କହିଛନ୍ତି । ବାତ୍ୟା ସମୟରେ ପର୍ଯ୍ୟାପ୍ତ ପରିମାଣର ଶିଖିଲା ଖାଦ୍ୟ ଚୁଡା ଓ ଗୁଡ ଗଚ୍ଛିତ ରଖିବା ସହିତ ଯେପରି ଆବଶ୍ୟକ ପରିମାଣର ଡିଜେଲ, ପେଟ୍ରୋଲ, କିରୋସିନି ଏବଂ ଏଲପିଜି ଗ୍ୟାସ ଉପଲବ୍ଧ ହୋଇପାରିବ ସେଥି ନିମନ୍ତେ ପେଟ୍ରୋଲ ପମ୍ପ ଏବଂ ଡିଲରମାନଙ୍କ ସହିତ ଯୋଗାଯୋଗ କରି ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟା ଆଶଙ୍କା ଦୃଷ୍ଟିରୁ କିଛି ଲୋକ ଆବଶ୍ୟକତା ଠାରୁ ଅଧିକ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ଯଥା-ଚାଉଳ, ଅଟା, ଡାଲି, ଖାଉବା ତେଲ, ଆଳୁ, ପିଆଜ ଇତ୍ୟାଦି କ୍ରୟ କରିବାର ସମ୍ଭାବନା ଥିବାରୁ ଖାଉଟିମାନଙ୍କୁ ଅଧିକ ସାମଗ୍ରୀ ନକିଣିବା ପାଇଁ ସଚେତନ କରିବା ପାଇଁ କହିଛନ୍ତି ।
ଏଥି ସହିତ କିଛି ଅସାଧୁ ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରି କରିବାର ଆଶଙ୍କା ଦୃଷ୍ଟିରୁ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରି ଖିଲାଫୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ସମୟରେ କୌଣସି ଅଧିକାରୀ ଏବଂ କର୍ମଚାରୀ ସଦର ମହକୁମା ଛାଡି ନଯିିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି ।
ସଂପ୍ରତି ବିଭିନ୍ନ ଜିଲ୍ଲାରେ ଚାଷୀମାନଙ୍କ ଠାରୁ ରବିଧାନ ଏବଂ ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟ ଚାଲୁ ରହିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ବାତ୍ୟାର ସ୍ଥିତିକୁ ବିଚାରକୁ ନେଇ ନିହାତି ଆବଶ୍ୟକ ସ୍ଥଳେ ରବିଧାନ ସଂଗ୍ରହ କାର୍ଯ୍ୟକୁ ସ୍ୱଳ୍ପ ପାଇଁ ସ୍ଥଗିତ ରଖିବା ଦିଗରେ ନିଷ୍ପତି ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ସଂଗୃହୀତ ହୋଇଥିବା ଧାନକୁ ତୁରନ୍ତ ମିଲରମାନେ ଉଠାଇ ନେବା ସହିତ ମଣ୍ଡିରେ ତାରପୋଲିନ ଦ୍ୱାରା ଧାନକୁ ସୁରକ୍ଷିତ ରଖିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଆରଏମସି ପକ୍ଷରୁ ମଣ୍ଡିଗୁଡିକୁ ପର୍ଯ୍ୟାପ୍ତ ପରିମାଣର ତାରପୋଲିନ ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ କହିଲେ ଯେ କୌଣସି ପ୍ରକାର ବିପର୍ଯ୍ୟୟରେ ମୁକାବିଲା କରିବା ପାଇଁ ବିଭାଗ ପୂର୍ଣ୍ଣ ମାତ୍ରାରେ ପ୍ରସ୍ତୁତ ରହିଛି । ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଶୁଖିଲା ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି ଏବଂ ପ୍ରଭାବିତ ଜିଲ୍ଲାଗୁଡିକୁ ଆବଶ୍ୟକ ପରିମାଣରେ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।
ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ସଚିବ (ଧାନ ସଂଗ୍ରହ) ଏବଂ ଅତିରିକ୍ତ ସଚିବ (ଜାତୀୟ ଖାଦ୍ୟ ସୁରକ୍ଷା ଆଇନ), ଓଡିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଏବଂ ସମବାୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ଅତିରିକ୍ତ ଶାସନ ସଚିବ , ନିବନ୍ଧକ, ସମବାୟ ସମିତି ସମୂହ, ମାର୍କଫେଡର ପରିଚାଳନା ନିର୍ଦ୍ଦେଶକ , ଓସାମ ବୋର୍ଡର ସଦସ୍ୟ ସଚିବଙ୍କ ସମେତ ଉପକୂଳ ଜିଲ୍ଲାର ଜିଲ୍ଲା ଯୋଗାଣ ଅଧିକାରୀ, ଡିଆରସିଏସ ଓ ଏଆରସିଏସ ପ୍ରମୁଖ ଯୋଗ ଦେଇଥିଲେ ।
Comments are closed.