ଭୟଭୀତ ହୋଇ ଅଧିକ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ନକରିବାକୁ ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ପରାମର୍ଶ
କୋଭିଡ-୧୯ର ତାଲାବନ୍ଦ ସ୍ଥିତିରେ ଏବଂ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଦୃଷ୍ଟିରୁ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରି ଓ ବେଆଇନ ମହଜୁଦ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ସଂପ୍ରତି କୋଭିଡ-୧୯ର ଦ୍ୱିତୀୟ ଲହର ଯୋଗୁଁ ସାରା ଲକଡାଉନ ଏବଂ ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିଥିବାବେଳେ ମଇ ୨୬ ତାରିଖରେ ଓଡିଶା ଉପକୂଳରେ ସମ୍ଭାବ୍ୟ ବାତ୍ୟାର ଆଶଙ୍କା ଦୃଷ୍ଟିରୁ କିଛି ଲୋକ ଆବଶ୍ୟକତାଠାରୁ ଅଧିକ ପରିମାଣରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା – ଚାଉଳ , ଅଟା , ଡାଲି , ଖାଇବାତେଲ, ଆଳୁ, ପିଆଜ, ଇତ୍ୟାଦି କ୍ରୟ କରିବାର ସମ୍ଭାବନା ରହିଛି । ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରି କରିବାର ଆଶଙ୍କା ଦୃଷ୍ଟିରୁ ଯାଞ୍ଚବ୍ୟବସ୍ଥାକୁ କଡାକଡି କରି ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟରେ ଅତ୍ୟାଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ ରହିଛି ଏବଂ ଏହାର ପରିବହନ ଲକଡାଉନ କାରଣରୁ ମୁକ୍ତ ରଖାଯାଇଛି । ଏପରି କ୍ଷେତ୍ରରେ ସମ୍ଭାବ୍ୟ ବାତ୍ୟା ଯୋଗୁଁ ଭୟଭୀତ ହୋଇ ଅଧିକ ପରିମାଣରେ ଖାଦ୍ୟ ସାମଗ୍ରୀ ଆଦି ନକିଣିବା ପାଇଁ ଶ୍ରୀ ସ୍ୱାଇଁ ଖାଉଟି ମାମଙ୍କୁ ପରାମର୍ଶ ଦେଇଛନ୍ତି । ଏ ଦିଗରେ ଗ୍ରାହକମାନଙ୍କ ମଧ୍ୟରେ ଯଥେଷ୍ଟ ସଚେତନତା ସୃଷ୍ଟି ପାଇଁ ମଧ୍ୟ ମନ୍ତ୍ରୀ ଶ୍ରୀ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କ୍ଷେତ୍ର ଅଧିକାରୀଙ୍କ ଦ୍ୱାରା ଅସାଧୁ କାରବାର ଉପରେ ସତର୍କ ଦୃଷ୍ଟି ରଖାଯିବା ସହିତ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଏଥି ସହ ରାଜ୍ୟ ଓ ଜିଲ୍ଲା ସ୍ତରରେ ଖାଉଟି ଦ୍ରବ୍ୟ ବ୍ୟବସାୟୀଙ୍କ ସହିତ ନିୟମିତ ବୈଠକ କରି ବଜାରରେ ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନୀ ଓ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।
Comments are closed.