ରାତି ପାହିଲେ ଲକଡାଉନ, କ’ଣ ରହିଛି ନିୟମାବଳୀ ଜାଣନ୍ତୁ
ରାତି ପାହିଲେ ରାଜ୍ୟବାପୀ ଲାଗୁ ହେବ ୧୪ ଦିନିଆ ଲକ୍ଡାଉନ୍। ପୂର୍ବରୁ ନାଇଟ୍ କର୍ଫ୍ୟୁ ଜାରି ଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ୯ଟାରୁ ନାଇଟ୍ କର୍ଫ୍ୟୁ ଆରମ୍ଭ ହେଉଥିବା ବେଳେ ଏହା ସକାଳ ୫ଟାରେ ଯାଏଁ ବଳବତ୍ତର ରହିବ। ଏହାପରେ ମେ ୫ ଅର୍ଥାତ ବୁଧବାର ସକାଳ ୫ଟାରୁ ୧୯ ତାରିଖ ସକାଳ ୫ଟା ଯାଏଁ ବଳବତ୍ତର ରହିବ ଏ ଲକ୍ଡାଉନ୍।ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ। ଏହି ଲକ୍ଡାଉନ୍ ସତ୍ତେ୍ୱ ସହରାଞ୍ଚଳରେ ପ୍ରତି ଶନି ଓ ରବିବାର ପୂର୍ବଭଳି ବଳବତ୍ତର ରହିବ ସଟ୍ଡାଉନ୍ ।
ଲକ୍ଡାଉନ୍ରେ ଜରୁରୀ ସେବା ଓ ଜରୁରୀ କାମକୁ ବାଦ୍ ଦେଲେ ଗାଡ଼ି ମୋଟର ଚଳାଚଳରୁ ନେଇ ଦୋକାନ ବଜାର ପର୍ଯ୍ୟନ୍ତ ସବୁ ବନ୍ଦ ରହିବ । ବସ୍ ଗଡ଼ିବନି। ଅଟୋ, ରିକ୍ସା ଉପରେ ବି ରୋକ୍ ଲାଗିଛି । ଜରୁରୀ କାମ ନଥିଲେ କେହି ପଦାକୁ ବାହାରିବେନି । କୌଣସି ପ୍ରକାର ସଭାସମିତି, ସମାବେଶ ହୋଇପାରିବନି । କରୋନା ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବାକୁ ରାଜ୍ୟ ସରକାର ବାଧ୍ୟ ହୋଇ ଏପରି କଠୋର ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ପଦକ୍ଷେପ ନିଆଯାଇଛି ।
ଲକ୍ଡାଉନ୍ ସମ୍ପର୍କରେ ରବିବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଥିଲେ । ତେବେ ଲକଡାଉନ ବେଳେ ଲୋକଙ୍କର ଜୀବିକା ଯେଭଳି ବାଧାପ୍ରାପ୍ତ ନହୁଏ ତାକୁ ସରକାର ଅଗ୍ରାଧିକାର ଦେଇଛନ୍ତି । ସଂକ୍ରମଣ ରୋକିବା ସରକାରଙ୍କର ମୂଳ ଉଦ୍ଦେଶ୍ୟ, ମାତ୍ର ଲକଡାଉନରେ ଗରିବ, ଚାଷୀ ଓ ଶ୍ରମିକ ପରିବାର ଗୁଡ଼ିକର ଜୀବିକାକୁ ଧ୍ୟାନରେ ରଖି ଅନୁକୂଳ ପଦକ୍ଷେପ ନିଆଯାଇଛି ।
ଲକ୍ଡାଉନ୍ବେଳେ ଯେପରି ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ଦୈନନ୍ଦିନ ସାମଗ୍ରୀ ଉପଲବ୍ଧ ରହିବ, ସେଥିପାଇଁ ବ୍ୟବସ୍ଥା କରାଯାଇଛି । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ପନିପରିବା, ତେଜରାତି ଦୋକାନ, ଫଳ ଦୋକାନ, ମାଛ, ମାଂସ ଦୋକାନ ଖୋଲା ରହିବ। ଦୋକାନଗୁଡ଼ିକ ପରସ୍ପର ମଧ୍ୟରେ ୩୦ ଫୁଟ ଦୂରତା ରକ୍ଷା କରିବେ । ଗ୍ରାହକ ଓ ବିକ୍ରେତା କଡ଼ାକଡ଼ି ଭାବେ କୋଭିଡ୍ ନିୟମ ମାନିବେ । କୌଣସି ଜାଗାରେ ହାଟ ଖୋଲିବନି । ଲୋକେ ଚାଲି ଚାଲି ଯାଇ ନିଜ ଘରଠାରୁ ୫୦୦ ମିଟର ଦୂରତା ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ କୁହାଯାଇଛି । ପୁଲିସ ଏହା ଉପରେ ନଜର ରଖିବ ।
ଗାଡ଼ିମୋଟର ଚଳାଚଳ ବନ୍ଦ ରହିବ । କେବଳ ଜରୁରୀ ସେବାରେ ନିୟୋଜିତ ସଂସ୍ଥାର କର୍ମଚାରୀମାନେ ପରିଚୟପତ୍ର ଦେଖାଇ ଯାଇପାରିବେ । ବିମାନବନ୍ଦର ଓ ରେଳ ଷ୍ଟେସନକୁ ଯିବା ପାଇଁ ଆବଶ୍ୟକ ପ୍ରମାଣ ଦେଖାଇ ଯାଇହେବ । ଲକ୍ଡାଉନ୍ରେ କୋଭିଡ୍ ଟିକାକରଣ ବାଧାପ୍ରାପ୍ତ ହେବନି । ଅନୁମତିପ୍ରାପ୍ତ ଲୋକେ ଟିକା ପାଇଁ ଟିକାକରଣ କେନ୍ଦ୍ରକୁ ଯାଇପାରିବେ । ସେହିପରି କୋଭିଡ୍ ଟେଷ୍ଟିଂ ପାଇଁ ଲୋକେ ଯାଇପାରିବେ ।
ହୋଟେଲ, ରେସ୍ତୋରାଁ ଏବଂ ଢାବାଗୁଡ଼ିକ କେବଳ ହୋମ୍ ଡେଲିଭରି ଦେଇପାରିବେ । ସମସ୍ତ ପ୍ରକାର ଅନଲାଇନ ଓ ହୋମ୍ ଡେଲିଭରି ସେବା ଉଭୟ ଲକ୍ଡାଉନ୍ ଓ ସଟ୍ଡାଉନ୍ରେ ଚାଲୁ ରହିବ । କାର୍ଯ୍ୟ ଚାଲୁ ରଖିବା ପାଇଁ ସରକାର ଅନୁମତି ଦେଇନଥିବା ସମସ୍ତ ଶିକ୍ଷାନୁଷ୍ଠାନ, ତାଲିମ କେନ୍ଦ୍ର, କୋଚିଂ ସେଣ୍ଟର ଆଦି ବନ୍ଦ ରହିବ । ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ଅନୁଷ୍ଠାନମାନଙ୍କ ଦ୍ୱାରା ହେବାକୁ ଥିବା ପରୀକ୍ଷା ସଂପୃକ୍ତ ବିଭାଗର ଅନୁମତି କ୍ରମେ ହିଁ କରାଯିବ । ସମସ୍ତ ପ୍ରକାର ପ୍ରଦର୍ଶନୀ, ମେଳା, ସମ୍ମିଳନୀ, ସିନେମା ହଲ୍, ମାର୍କେଟ କମ୍ପେ୍ଲକ୍ସ, ମଲ୍, ଜିମ୍, ଥିଏଟର, ବାର୍, ଯାତ୍ରା, ମୁକ୍ତାକାଶ ରଂଗମଞ୍ଚ ଓ ସର୍ବସାଧାରଣ ମନୋରଞ୍ଜନ କାର୍ଯ୍ୟକ୍ରମ ବନ୍ଦ ରହିବ । ସେଲୁନ, ସ୍ପା, ବିୟୁଟି ପାର୍ଲର ଆଦି ଖୋଲିବନି ଲକଡାଉନରେ ।
ଧର୍ମସ୍ଥଳୀ ଓ ଧର୍ମାନୁଷ୍ଠାନରେ ଦେବନୀତି ସ୍ୱଳ୍ପ ସଂଖ୍ୟକ ପୂଜାରୀ ଓ ସେବାୟତଙ୍କୁ ନେଇ ସମ୍ପନ୍ନ କରାଯିବ । ସର୍ବସାଧାରଣଙ୍କ ଦର୍ଶନ ଉପରେ ରୋକ୍ ଲାଗିଛି । ଧାର୍ମିକ ସମାବେଶକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ପୂର୍ବ କଟକଣା ଜାରି ରହିଛି । ବିବାହ ଉତ୍ସବରେ ବର, କନ୍ୟା, ପୂଜକ ଓ ଉଭୟ ପକ୍ଷର ଲୋକଙ୍କ ସମେତ ସର୍ବାଧିକ ୫୦ଜଣ ଉପସ୍ଥିତ ରହିପାରିବେ । ଶେଷ କୃତ୍ୟ କର୍ମରେ ସର୍ବାଧିକ ୨୦ଜଣ ଯୋଗ ଦେଇପାରିବେ ।
ଜୀବନ ସହ ଜୀବିକାକୁ ମଧ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଲକଡାଉନ ସତ୍ତେ୍ୱ ସମସ୍ତ ପ୍ରକାର ମାଲ୍ ପରିବହନ, କୃଷି ଓ ଆନୁସଙ୍ଗିକ କାର୍ଯ୍ୟ, ଶିଳ୍ପାନୁଷ୍ଠାନ ଓ ଜରୁରୀ ସେବା ପୂର୍ବଭଳି କଟକଣାମୁକ୍ତ ରହିଛି । କୃଷି, ଉଦ୍ୟାନ କୃଷି, ପଶୁପାଳନ, ମତ୍ସ୍ୟଚାଷ କାର୍ଯ୍ୟ ଜାରି ରହିବ । ବିହନ, ସାର, କୀଟନାଶକ ଦ୍ରବ୍ୟ ଦୋକାନ ଖୋଲା ରହିବ ।
ଗଣମାଧ୍ୟମକୁ କଟକଣାମୁକ୍ତ ରଖାଯାଇଛି । ଖବରକାଗଜ ବିତରକମାନେ ସକାଳ ୫ଟାରୁ ୮ଟା ଭିତରେ ଖବରକାଗଜ ବିତରଣ କରିପାରିବେ। ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ଜାରି ରହିବ। ତେଣୁ ନିର୍ମାଣ ସାମଗ୍ରୀ ଦୋକାନ ଖୋଲା ରହିବ । ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପାଇଁ ବହି ଦୋକାନକୁ କଟକଣାମୁକ୍ତ ରଖାଯାଇଛି ।
ଇଲେକ୍ଟ୍ରିସିଆନ, ଏସି-ଫ୍ରିଜ୍-କୁଲର ଆଦି ମରାମତି କରୁଥିବା ମିସ୍ତ୍ରୀ, ପ୍ଲମ୍ବର, ଆଇଟି ଟେକ୍ନିସିଆନ, କାଠ କାରିଗର ନିଜ କାମ କରିପାରିବେ । ଏସବୁ ମରାମତି ସେବା ଯୋଗାଉଥିବା ଦୋକାନ ଖୋଲା ରହିବ । ମୋବାଇଲ ମରାମତି ଦୋକାନ ବି ଖୋଲା ରହିବ । ଗାଡ଼ି ମରାମତି କରୁଥିବା ଗ୍ୟାରେଜ ମଧ୍ୟ ଲକଡାଉନରେ ଖୋଲା ରହିବ । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କାର୍ଯ୍ୟ ଜାରି ରହିପାରିବ ।
ଲକ୍ଡାଉନ୍ ସମୟରେ ରାଜ୍ୟ ଅର୍ଥ ବିଭାଗ କୋଭିଡ୍ କଟକଣା ଅନୁଯାୟୀ ବ୍ୟାଙ୍କ, ଏଟିଏମ, ଇନସ୍ୟୁରାନ୍ସ, ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା, ଋଣ ସମବାୟ ସମିତି କାର୍ଯ୍ୟ ଜାରି ରଖିପାରିବେ । ସ୍ୱାସ୍ଥ୍ୟ ସେବା, ଜଳଯୋଗାଣ, ବିଦ୍ୟୁତ ସରବରାହ, ପରିମଳ ସେବା, ଟେଲିଫୋନ ଓ ଇଣ୍ଟରନେଟ ଦେବା, ଡିଟିଏସ୍ ସେବା, ଗ୍ୟାସ ବିତରଣ ଓ ପେଟ୍ରୋଲ ପମ୍ପ ଆଦି ଖୋଲା ରହିବ । ଆଇଟି ସଂସ୍ଥାଗୁଡ଼ିକ ୫୦% କର୍ମଚାରୀଙ୍କ ଉପସ୍ଥିତିରେ ଚାଲିବ ।
ଜରୁରୀ ସେବାରେ ଜଡ଼ିତ ବିଭାଗକୁ ବାଦ୍ ଦେଲେ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ସ୍ୱଳ୍ପ କର୍ମଚାରୀଙ୍କୁ ନେଇ ଚାଲିବ । ଘରୋଇ ଓ କର୍ପୋରେଟ ସଂସ୍ଥାଗୁଡ଼ିକ ୩୩% କର୍ମଚାରୀଙ୍କ ଉପସ୍ଥିତିକୁ ନେଇ କାର୍ଯ୍ୟାଳୟ ଚଳାଇବାକୁ ପରାମର୍ଶ ଦିଆଯାଇଛି । ଅନ୍ୟମାନେ ୱାର୍କ ଫ୍ରମ୍ ହୋମ୍ କରିପାରିବେ ।
ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଥିବାରୁ ହିତାଧିକାରୀଙ୍କ ପାଖରେ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ । ବୃଦ୍ଧାଶ୍ରମ, ବାଳାଶ୍ରମ, କନ୍ୟାଶ୍ରମ, ଭିନ୍ନକ୍ଷମ କେନ୍ଦ୍ର ଆଦି ଚାଲୁ ରହିବ । ବିଭିନ୍ନ ଅନଲାଇନ ବିକ୍ରି ସଂସ୍ଥାମାନେ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ହୋମ୍ ଡେଲିଭରି କରିପାରିବେ । ସମସ୍ତ କୋଭିଡ୍ ନିୟମ ମାନି ସରକାରୀ ଓ ବେସରକାରୀ ଶିଳ୍ପାନୁଷ୍ଠାନ, ନିର୍ମାଣ କାର୍ଯ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀ, ମିଶନ ଶକ୍ତି କାର୍ଯ୍ୟ ଚାଲୁ ରହିବ । କେନ୍ଦ୍ର ସରକାରଙ୍କ ଅଧୀନ ସଂସ୍ଥା ଓ ଦପ୍ତର ଚାଲିପାରିବ ।
ଲକ୍ଡାଉନ୍ ସତ୍ତେ୍ୱ ପିପିଲି ଉପନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହେବନି । ନିର୍ବାଚନ ପାଇଁ ତାଲିମ, ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ଯାତାୟାତ ଚାଲୁ ରହିବ । ପ୍ରାର୍ଥୀ କୋଭିଡ୍ କଟକଣା ମାନି ତାଙ୍କ କାର୍ଯ୍ୟ ଜାରି ରଖିପାରିବେ । ଭୋଟ ଦିନ ମତଦାତାମାନେ ଭୋଟ ଦେବାକୁ ଯାଇପାରିବେ ।
ଲକଡାଉନ ସମୟରେ ପଞ୍ଚାୟତର ଜନପ୍ରତିନିଧିମାନେ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବେ । ହୋମ୍ ଆଇସୋଲେସନରେ ଥିବା ଲୋକଙ୍କ ତଥ୍ୟ ରଖିବେ । ଲକଡାଉନର ସମସ୍ତ ନିୟମ ମାନିବାକୁ ରାଜ୍ୟ ସରକାର ଲୋକଙ୍କୁ ଅନୁରୋଧ କରିଛନ୍ତି ।
Comments are closed.