ବକେୟା ସବସିଡି ଅର୍ଥ ପ୍ରଦାନ ଓ ଚାଉଳ ଉଠାଣ ଦିଗରେ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ପତ୍ର
ଭୁବନେଶ୍ୱର : କେନ୍ଦ୍ରରୁ ଧାନକିଣା ବାବଦରେ ପାଇବାକୁଥିବା ପ୍ରଭିଜନାଲ ଓ ଅଗ୍ରୀମ ସବସିଡି ଅର୍ଥ ଠିକ ସମୟରେ ମିଳୁ ନଥିବାରୁ ରାଜ୍ୟରେ ଧାନ ସଂଗ୍ରହ କରୁଥିବା ଓଡିଶା ରାଜ୍ୟ ଯୋଗାଣ ନିଗମ ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି । ଆଦ୍ୟାବିଧି ଯୋଗାଣ ନିଗମରୁ ଧାନ ସଂଗ୍ରହ ନିମନ୍ତେ ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୧୯ ହଜାର କୋଟି ଟଙ୍କା ଋଣ କରିବାକୁ ପଡିଛି । ଏହି ପରିପ୍ରେକ୍ଷୀରେ ପ୍ରଭିଜନାଲ ଏବଂ ଅଗ୍ରୀମ ସବସିଡି ବାବଦକୁ ରାଜ୍ୟ ପାଇବାକୁ ଥିବା ୫, ୬୧୬ କୋଟି ଟଙ୍କା ବକେୟା ଅର୍ଥକୁ ତୁରନ୍ତ ପ୍ରଦାନ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲଙ୍କୁ ପତ୍ର ଲେଖିଛନ୍ତି ।
ମନ୍ତ୍ରୀ ଶ୍ରୀ ସ୍ୱାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, କଷ୍ଟମ ମିଲିଂ ଚାଉଳ ଯୋଗଣ ବାବଦରେ ଓଡିଶାରେ ୩୦ ଲକ୍ଷ ମେଟ୍ରିକ ଟନ ବଳକା ଚାଉଳର ଆକଳନ ରହିଛି ଯାହାକି ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ଚଳିତ ଖରିଫ ବିପଣନ ଋତୁରେ ରାଜ୍ୟରୁ ଉଠାଣ କରିବାର ଆବଶ୍ୟକତା ରହିଛି । ଚଳିତ ମାସ ନିମନ୍ତେ ଏଫସିଆଇ ଓଡିଶା ରିଜିଅନର, ରାଜ୍ୟରୁ ବହୁ କମ୍ ପରିମାଣର ଚାଉଳ ଉଠାଣର ବ୍ୟବସ୍ଥା ରହିଛି । ଯେଉଁ ହାରରେ ରାଜ୍ୟରୁ ଚାଉଳ ଉଠାଣ ହେଉଛି ସେଥିରେ ଧାର୍ଯ୍ୟ କରାଯାଇଥିବା ସମୟସୀମା ମଧ୍ୟରେ ଆଶା କରାଯାଉଥିବା ଚାଉଳ ଉଠାଣ କରିବା ଅତ୍ୟନ୍ତ କଷ୍ଠକର ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପତ୍ରରେ ଉଲ୍ଲେଖ କରିଛନ୍ତି । ଠିକ ସମୟରେ ଚାଉଳ ଉଠାଣ ନ ହେବା ଫଳରେ ରାଜ୍ୟର ଚାଉଳ ଗୋଦାମର କ୍ଷମତା ଉପରେ ଗମ୍ଭୀର ପ୍ରଭାବ ପଡିବ ଏବଂ କଷ୍ଟମ ମିଲରମାନଙ୍କ ଠାରୁ ଠିକ ସମୟରେ ଚାଉଳ ପାଇବାରେ ବାଧା ସୃଷ୍ଟି ହେବ ।
ପ୍ରକାରାନ୍ତରେ ଏହି ଚଳିତ ରବି ଋତୁରେ ଏବଂ ପରବର୍ତ୍ତୀ ଖରିଫ ଋତୁରେ ରାଜ୍ୟରେ ସୁରୁଖରରେ ଧାନ ସଂଗ୍ରହ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପତ୍ରରେ ଉଲ୍ଲେଖ କରିଛନ୍ତି । ତେଣୁ କେନ୍ଦ୍ରମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଉପରୋକ୍ତ ସମସ୍ୟାର ଆଶୁ ସମାଧାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି ଯେପରି ଧାନ ସଂଗ୍ରହ କାର୍ଯ୍ୟ ସୁରୁଖୁରରେ ହୋଇପାରିବ ।
Comments are closed.