ଆମ୍ବୁଲାନ୍ସ କର୍ମୀଙ୍କ ଦ୍ୱାରା ଉପରିସ୍ଥ ଅଧିକାରୀଙ୍କୁ ମାଡ
ଦୀର୍ଘ ସାଢେ ୩ ଘଣ୍ଟା ଧରି ବିନା କାରଣ ଆମ୍ବୁଲାନ୍ସକୁ ଅଟକାଇ ରଖିବାରୁ କରା ଯାଇଥିଲା ନୋଟିସ
୧୦୮ ଆମ୍ବୁଲାନ୍ସକୁ ଦୀର୍ଘ ସାଢେ ତିନି ଘଣ୍ଟା ଧରି ଅଯଥାରେ ଅଟକାଇ ରଖିଥିଲେ ଜଣେ ୧୦୮ ଆମ୍ବୁଲାନ୍ସ ଚାଳକ, ଉପରିସ୍ଥ ଅଧିକାରୀ ଏଥିପାଇଁ ଜବାବ ତଲବ କରିବାରୁ ଆମ୍ବୁଲାନ୍ସ କର୍ମୀଙ୍କ ଦ୍ୱାରା ତାଙ୍କ ଉପରେ କରାଗଲା ସଂଘବଦ୍ଧ ଆକ୍ରମଣ । ଘଟଣା ଅନୁଯାୟୀ ଗତ ମାର୍ଚ୍ଚ ୯ ତାରିଖରେ ଯାଜପୁର ଟାଉନ ପୋଲିସ ଷ୍ଟେସନସ୍ଥିତ ୧୦୮ ଆମ୍ବୁଲାନ୍ସ ଏକ ରୋଗୀକୁ ନେଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରୁ କଟକ ଏସସିବି ମେଡିକାଲକୁ ନେଇ ଆସିଥିଲେ । ସେଠାରେ ରୋଗୀକୁ ଛାଡ଼ିବା ପରେ ଚାଳକ ପ୍ରଭାକର ନାୟକ ବିନା କୌଣସି କାରଣରେ ମେଡିକାଲ ମଧ୍ୟରେ ଗାଡ଼ିକୁ ସାଢ଼େ ତିନି ଘଂଟା ଧରି ଅଟକାଇ ରଖିଥିଲେ । ଏସମ୍ପର୍କରେ ଯାଜପୁର ଜିଲା ୧୦୮ ଆମ୍ବୁଲାନ୍ସର କ୍ଲଷ୍ଟର ଲିଡର ଚନ୍ଦ୍ରକାନ୍ତ ପାତ୍ର ଜାଣିବା ପରେ ସେ ଉକ୍ତ ଆମ୍ଭୁଲାନ୍ସ ଚାଳକଙ୍କୁ ଗାଡ଼ିକୁ କାହିଁକି ଦୀର୍ଘ ସମୟ ଧରି ସେଠାରେ ଅଟକାଇ ରଖିଥିଲେ ବୋଲି ପ୍ରଶ୍ନ କରିଥିଲେ ଏବଂ ତିନିଦିନ ମଧ୍ୟରେ ଲିଖିତ ଆକାରରେ କାରଣ ଦର୍ଶାଇବା ପାଇଁ କହିଥିଲେ । ଏହାସହ ଚନ୍ଦ୍ରକାନ୍ତ ଉକ୍ତ ଚାଳକଙ୍କୁ କାର୍ଯ୍ୟାଳୟରେ ଆସି ଦେଖା କରିବାକୁ ମଧ୍ୟ କହିଥିଲେ ।
ଏଥିରେ ଉତ୍କ୍ଷୀପ୍ତ ହୋଇ ଆମ୍ବୁଲାନ୍ସ ଚାଳକ ପ୍ରଭାକର ନାୟକ ଆଜି ଯାଜପୁର ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟାଳୟରେ ପହଞ୍ôଚ ଚନ୍ଦ୍ରକାନ୍ତଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ସହ ଆସିଥିବା ଅନ୍ୟ ଚାରିଜଣ ଆମ୍ଭୁଲାନ୍ସ କର୍ମଚାରୀ ଯଥା ଚାଳକ ପ୍ରଶାନ୍ତ କୁମାର ସାମଲ, ଚାଳକ ସୁମନ୍ତ ପରିଡ଼ା, ହେଲପର ଅମୀୟ କୁମାର ଜେନା ଏବଂ ପୂର୍ବରୁ ଆମ୍ବୁଲାନ୍ସ ସେବାରେ ଅବହେଳା କରି ନିଲମ୍ବିତ ହୋଇଥିବା ଆମ୍ବୁଲାନ୍ସ ଚାଳକ ସାରଦା ପ୍ରସନ୍ନ ମହାରଣା ମିଶି ସଂଘବଦ୍ଧ ଭାବେ ଚନ୍ଦ୍ରକାନ୍ତଙ୍କୁ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ଗୁରୁତର ଆହତ ଥିବା ଚନ୍ଦ୍ରକାନ୍ତ ବର୍ତ୍ତମାନ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ଏବଂ ଏ ସଂପର୍କରେ ଯାଜପୁର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଛି ।
Comments are closed.