ପୁଡୁଚେରୀରେ ଭାଙ୍ଗିଲା କଂଗ୍ରେସ ସରକାର, ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ

Share It

ପୁଡୁଚେରୀରେ ଭାଙ୍ଗିଲା କଂଗ୍ରେସ ସରକାର। ସୋମବାର କଂଗ୍ରେସ ସରକାରର ଭବିଷ୍ୟତ ନିର୍ଦ୍ଧାରିଣ କରିବା ପାଇଁ ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା। ଏହି ସମୟରେ ଉପ-ରାଜ୍ୟପାଳଙ୍କ ନିର୍ଦେଶାନୁସାରେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ୱାମୀଙ୍କ ଗୃହରେ ଆସ୍ଥା ଭୋଟ ପ୍ରସ୍ତାବ ଆଗତ କରିଥିଲେ। ମୁଖ୍ୟମନ୍ତ୍ରୀ ଗୃହରେ କହିଥିଲେ ଯେ, ତାଙ୍କ ସରକାରଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ରହିଛି। ତେବେ ପରେ ନାରାୟଣସ୍ୱାମୀଙ୍କ ସରକାର ଆସ୍ଥାଭୋଟରେ ହାରିଯାଇଥିଲେ। ଏହାପରେ ସେ ଉପ-ରାଜ୍ୟପାଳଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ।

ଆସ୍ଥାଭୋଟ ଆଗତ କରିବା ପୂର୍ବରୁ ସେ ପୂର୍ଣ୍ଣ ରାଜ୍ୟର ଦାବି କରିଥିଲେ। ଏହା ସହିତ ପୂର୍ବତନ ଉପରାଜ୍ୟପାଳ କିରଣ ବେଦି ଓ ବିଜେପିକୁ ତାଙ୍କ ସରକାର ପତ୍ତନ ପାଇଁ ଦାୟୀ କରିଥିଲେ। ପୁଡୁଚେରୀର ନବ-ନିଯୁକ୍ତ ଉପରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ୱାମୀଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଡତା ପ୍ରମାଣ କରିବାକୁ ନିର୍ଦେଶ ଦେଇଥିଲେ। ଶାସକ କଂଗ୍ରେସ-ଡିଏମକେ ମେଣ୍ଟ ବହୁମତ ହରାଇଥିବା ନେଇ ବିରୋଧୀ ଦଳ ଦାବି କରିବା ପରେ ଉପ-ରାଜ୍ୟପାଳ ଏହି ନିର୍ଦେଶ ଦେଇଥିଲେ।

କଂଗ୍ରେସ ବିଧାୟକ ଲକ୍ଷ୍ମୀନାରାୟଣ ଓ ଡିଏମକେ ବିଧାୟକ ଭେଙ୍କଟେସନ୍ ରବିବାର ଇସ୍ତଫା ଦେବାପରେ ୩୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସ-ଡିଏମକେ ମେଣ୍ଟର ବିଧାୟକଙ୍କ ସଂଖ୍ୟା ହ୍ରାସ ପାଇ ୧୧ ହୋଇଯାଇଥିଲା। ସେଭଳି ବିରୋଧୀ ଦଳର ୧୪ ବିଧାୟକ ଅଛନ୍ତି। ପୂର୍ବତନ ମନ୍ତ୍ରୀ ଏ.ନମାସିଭାୟମ (ଏବେ ବିଜେପିରେ) ଓ ମଲ୍ଲାଡି କୃଷ୍ଣ ରାଓଙ୍କ ସହିତ କଂଗ୍ରେସର ୪ ବିଧାୟକ ଏହାପୂର୍ବରୁ ଇସ୍ତଫା ଦେଇଥିଲେ। ସେଭଳି ଦଳର ଆଉ ଜଣେ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ନାରାୟଣସ୍ୱାମୀଙ୍କ ନିକଟତମ ଏ. ଜନ୍ କୁମାର ମଧ୍ୟ ଚଳିତ ସପ୍ତାହରେ ଇସ୍ତଫା ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ ବିଧାନସଭାରେ କହିଛନ୍ତି, ବିଧାୟକଙ୍କୁ ଦଳ ପାଇଁ ବିଶ୍ୱସ୍ଥ ରହିବା ଦରକାର। ଯେଉଁ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି ସେମାନେ ଲୋକଙ୍କୁ ସାମନା କରିପାରିବେନି, କାରଣ ଲୋକ ତାଙ୍କୁ ବିଶ୍ୱାସଘାତ କହିବେ। ତାମିଲନାଡୁ ଓ ପୁଡୁଚେରୀରେ ଆମେ ଦୁଇଟି ଭାଷା ପ୍ରଣାଳୀ ବ୍ୟବହାର କରିବାକୁ ଚାହୁଁ, କିନ୍ତୁ ବିଜେପି ଜବରଦସ୍ତ ହିନ୍ଦୀ ଆଣିବାକୁ ଚାହୁଁଛି।


Share It

Comments are closed.