ଦେଶରେ କରୋନା ଟୀକାର ମାନବ ପରୀକ୍ଷଣ ପ୍ରକ୍ରିୟା ହେଲା ଆରମ୍ଭ
ଭାରତୀୟ ଜ୍ଞାନକୌଶଳରେ ନିର୍ମିତ କରୋନା ଟିକା ‘କୋଭାକ୍ସିନ’ର ମାନବ ପରୀକ୍ଷଣ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହୋଇଛି। ଦେଶର ୧୨ଟି ହସ୍ପିଟାଲରେ ଏହି ପରୀକ୍ଷଣ କରାଯିବାକୁ ଥିବାବେଳେ ସୋମବାର ଏଥିପାଇଁ ସ୍ଵେଚ୍ଛାସେବୀଙ୍କ ପଞ୍ଜୀକରଣ କରାଯାଉଛି। ଏହି ୧୨ଟି ହସ୍ପିଟାଲ ମଧ୍ୟରେ ଭୁବନେଶ୍ଵରର ସମ୍ ହସ୍ପିଟାଲ ରହିଛି। ଏଠାରେ ବି ସୋମବାର ପଞ୍ଜୀକରଣ ଆରମ୍ଭ ହୋଇଛି। ଯେଉଁ ସୁସ୍ଥ ବ୍ୟକ୍ତିମାନେ ନିଜ ଇଚ୍ଛାରେ ପରୀକ୍ଷଣ ପାଇଁ ଆଗେଇ ଆସିବେ ସେମାନଙ୍କ ଶରୀରରେ ଏହି ଟିକା ପ୍ରୟୋଗ କରାଯିବ। ତେବେ ସ୍ଵେଚ୍ଛାସେବୀମାନଙ୍କ ପଞ୍ଜୀକରଣ ପରେ ସେମାନଙ୍କର କ୍ଲିନିକାଲ ରିସର୍ଚ୍ଚ କରାଯିବା। ପରେ କାଉନସେଲିଂ କରାଯାଇ ରକ୍ତନମୁନା ସଂଗ୍ରହ ହେବ। ରିପୋର୍ଟରେ ସବୁ ଠିକ୍ଠାକ୍ ଥିଲେ ତା’ ପରେ ଯାଇ ଟିକା ଦିଆଯିବ। ସୂଚନା ଅନୁସାରେ, ଭାରତ ବାୟୋଟେକ୍ କମ୍ପାନୀ ହାଇଦ୍ରାବାଦସ୍ଥିତ ଜିନୋମ୍ ଭ୍ୟାଲିର ଅତ୍ୟାଧୁନିକ ଲାବରେଟୋରିରେ ଏକ ନିଷ୍କ୍ରିୟ ଭୂତାଣୁ ଉପରେ ଗବେଷଣା କରିବା ପରେ କରୋନା ଟିକା ‘କୋଭାକ୍ସିନ’ ପ୍ରସ୍ତୁତ କରିଛି। ୧୧୨୦ ଜଣଙ୍କ ଉପରେ ଏହାର ପରୀକ୍ଷଣ ହେବ। ସୋମବାରଠାରୁ ଦିଲ୍ଲୀ ଏମ୍ସରେ ବି ଏଥିପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି। ଏମ୍ସରେ ପ୍ରାୟ ୨୦୦ ଜଣଙ୍କୁ କୋଭାକ୍ସିନ ଟିକା ଦିଆଯିବ।
Comments are closed.