ମୋଦି ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଘରେ ଘରେ ପହଁଚାଇବା ପାଇଁ ପଡିବ – ଧର୍ମେନ୍ଦ୍ର ପ୍ରଧାନ

Share It

ଛେଣ୍ଡିପଦା/ଅନୁଗୁଳ, – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ଆୟୋଜିତ ଭର୍ଚୁଆଲ ଜନ ସମ୍ବାଦ ରାଲିରେ ସାମିଲ ହୋଇ ମୋଦି ସରକାରର ବିଗତ ୬ ବର୍ଷର ଶାସନ କାଳରେ ହୋଇଥିବା ଲୋକାଭିମୁଖୀ ଯୋଜନାର ହିସାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ଏହି ଲୋକାଭିମୁଖୀ ଯୋଜନାକୁ ଘରେ ଘରେ ପହଁଚାଇ ପ୍ରଧାନମନ୍ତ୍ରୀଙ୍କ ଗରିବଙ୍କ ପ୍ରତି ଯେଉଁ ସମ୍ବେଦନଶୀଳତା ରହିଛି ତାହାକୁ ମଧ୍ୟ ଲୋକଙ୍କ ପାଖରେ ପହଁଚାଇବା ପାଇଁ ଶ୍ରୀ ପ୍ରଧାନ କାର୍ଯ୍ୟକର୍ତା ମାନଙ୍କୁ ଆହ୍ୱାନ କରିଛନ୍ତି ।
ମୋଦି ସରକାରରେ ଖଣି ଓ କୋଇଲା କ୍ଷେତ୍ରରେ ନୂଆନୂଆ ନୀତି ଓ ସଂସ୍କାର ଅଣାଯାଇଛି । ସ୍ଥାନୀୟ ଲୋକଙ୍କର ବିକାଶ ଓ ଅର୍ଥନୀତିକୁ ମଜବୁତ୍ କରିବା ପାଇଁ ଜିଲ୍ଲା ଖଣିଜ ପାଣ୍ଠି(ଡିଏମଏଫର) ବ୍ୟବସ୍ଥା ହୋଇଛି । ଏହି ବଳିଷ୍ଠ ପଦକ୍ଷେପ ଯୋଗୁଁ ଖଣି ଖଦାନ ଅଂଚଳ ଛେଣ୍ଡିପଦା ତଥା ଅନୁଗୁଳ ଜିଲ୍ଲା ଲାଭାନ୍ୱିତ ହୋଇଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଗରିବ, ମହିଳା, କୃଷକ, ଜନଜାତି, ଦିବ୍ୟାଙ୍ଗ ଓ ଆର୍ôଥକ ଦୁର୍ବଳ ଶ୍ରେଣୀର ତଳ ସ୍ତରରେ ଥିବା ଲୋକମାନଙ୍କ କଲ୍ୟାଣ ପାଇଁ ମୋଦି ସରକାର ସମର୍ପିତ । ସବକା ସାଥ୍‌, ସବକା ବିକାଶ ଓ ସବକା ବିଶ୍ୱାସକୁ ମୂଳମନ୍ତ୍ର କରି ପ୍ରଧାନମନ୍ତ୍ରୀ ମୋଦି ଗରିବଙ୍କ ସମେତ ସମସ୍ତ ବର୍ଗଙ୍କୁ ଧ୍ୟାନରେ ରଖି ନିରନ୍ତର ଯୋଜନା କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଯୋଜନାରେ ଗରିବଙ୍କ ପାଇଁ ଘର, ଶୌଚାଳୟ ତିଆରି ହୋଇଛି, ଘରେ ଘରେ ବିଜୁଳି ଓ ଗ୍ୟାସ ପହଁଚିଛି । ଆଗାମୀ ଦିନରେ ସବୁ ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାଣି ପହଞ୍ଚାଯିବାର ବ୍ୟବସ୍ଥା କରାଯାଉଛି । କରୋନା ମହାମାରୀ ସମୟରେ ଗରିବଙ୍କ ପାଇଁ ୮ ମାସ ପାଇଁ ଖାଦ୍ୟାନ୍ନ ପ୍ୟାକେଜ୍ ଘୋଷଣା କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି ଦୃଢ଼ ନେତୃତ୍ୱ ଦେଶର ପ୍ରଧାନମନ୍ତ୍ରୀ ଭାବରେ ନୁହେଁ ପ୍ରଧାନ ସେବକ ଭାବରେ ଦାୟିତ୍ୱରେ ଅଛନ୍ତି । ତାଙ୍କ ନେତୃତ୍ୱରେ ଗରିବ ଲୋକଙ୍କର ବିକାଶ ହେବା ସହ ଦେଶର ସୀମା ମଧ୍ୟ ସୁରକ୍ଷିତ ହୋଇଛି । ପ୍ରଧାନମନ୍ତ୍ରୀ ଦେଶର ସଂକଟ ସମୟରେ କରୋନାର ମୁକାବିଲା ଏବଂ ଗରିବଙ୍କ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରି ବିଶ୍ୱରେ ନୂଆ ବେଂଚମାର୍କ ତିଆରି କରିପାରିଛନ୍ତି ବୋଲି କହିଛନ୍ତିି ଶ୍ରୀ ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ମାସ୍କ ଓ ଦୁଇ ମିଟର ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ସେ ନାଗରିକ ମାନଙ୍କୁ ପରାମର୍ଶ ଦେଇଥିଲେ ।
ଏହି ରାଲିରେ ସମ୍ବଲପୁର ସାସଂଦ ନୀତେଶ ଗଙ୍ଗଦେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନୁଗୁଳର ବିକାଶ ହେଉଥିବା କଥା କହିଥିଲେ । ଛେଣ୍ଡିପଦାରେ ଗେଲ ପକ୍ଷରୁ କ୍ରିୟାନ୍ୱିତ ହେଉଥିବା ପାଇପଲାଇନ ଉପରେ ଆଲୋକପାତ କରିଥିଲେ । ଏହା ସହ ଛେଣ୍ଡିପଦାରେ ସ୍ଥାନୀୟ ନିଯୁକ୍ତି ଉପରେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଏହି ଜନସମ୍ବାଦ ରାଲିକୁ ଅନୁଗୁଳ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଏହି ଭର୍ଚୁଆଲ ରାଲିରେ ପୂର୍ବତନ ରାଜ୍ୟସଭା ସାସଂଦ ରୁଦ୍ର ନାରାୟଣ ପାଣି, ବରିଷ୍ଠ ନେତା ରବି ନାରାୟଣ ପାଣି, ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରା, ଅନୁଗୁଳ ଜିଲ୍ଲା ସାଧାରଣ ରୌଧୁରୀ ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ଅଶୋକ ମହାନ୍ତି, ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ଭାଗିରଥୀ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ, ଜରାସିଂହ ଗ୍ରାମ ପଂଚାୟତର ସରପଂଚ ମିଲାପ ପ୍ରଧାନ, ମଣ୍ଡଳ ସଭାପତି ଫକୀର ମୋହନ ସାହୁ, ରୁଦ୍ରା ମୋହନ ଦାସ, ମନରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ଭିଡିଓ କନଫରେନ୍ସିଂ ଜରିଆରେ ଅଂଶଗ୍ରହଣ କରିଥିଲେ ।


Share It

Comments are closed.